ଜେଲ ଗଲେ ଠକ ସୁଧାଂଶୁ ରାଉତ । ସାମ୍ବାଦିକ କହି ସୋସିଆଲ ମିଡିଆରେ ପ୍ରସାରଣ କରୁଥିଲେ ମିଛ ଖବର, ଦେଉଥିଲେ ଅଶାଳୀନ ମନ୍ତବ୍ୟ

1,171

କନକ ବ୍ୟୁରୋ: ଜେଲ୍ ଗଲେ ଠକ ସୁଧାଂଶୁ ରାଉତ । ନିଜକୁ ସାମ୍ବାଦିକ କହି ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ କରୁଥିବା ସୁଧାଂଶୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କନକ ନ୍ୟୁଜ ବିରୋଧରେ ମିଛ ଖବର ପ୍ରସାରଣ ସହ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ପୋଲିସ । ଏହାପରେ ଭୁବନେଶ୍ୱର ଜେଏମ୍ଏଫସି ୩ ନମ୍ବର କୋର୍ଟରେ ସୁଧାଂଶୁଙ୍କୁ ହାଜର କରାଯାଇଥିଲା । ଜାମିନ୍ ନାମଞ୍ଜୁର ହେବାରୁ ଶେଷରେ ସୁଧାଂଶୁଙ୍କୁ ଜେଲ ଯିବାକୁ ପଡିଛି । ତେବେ ପୂର୍ବରୁ ମଧ୍ୟ ଦୂତୀ ଚାନ୍ଦଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରି ୩ ମାସ ଝାରପଡା ଜେଲରେ ରହିଥିଲେ ସୁଧାଂଶୁ ।

  • ମହଙ୍ଗା ପଡି଼ଲା ମିଛ ଖବର
  • ଗିରଫ ହେଲେ ଠକ ସୁଧାଂଶୁ!

ସୋସିଆଲ ମିଡିଆରେ ଉଦ୍ଦେଶ୍ୟମୂଳକ ଖବର ପ୍ରସାରଣ ଏବଂ ଅଶାଳୀନ ବ୍ୟବହାର ଅଭିଯୋଗରେ ସୁଧାଂଶଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ତେବେ ଗିରଫଦାରି ଭୟରେ ଭୁବନେଶ୍ୱର ଛାଡି କେନ୍ଦୁଝରରେ ଲୁଚିଥିଲେ ସୁଧାଂଶୁ । ଆଉ କେନ୍ଦୁଝର ବଡବିଲର ଏକ ଲଜରୁ ସୁଧାଂଶୁଙ୍କୁ କମିଶନରେଟ ପୁଲିସର ସ୍ୱତନ୍ତ୍ର ଟିମ୍ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଥିଲା । କନକ ନ୍ୟୁଜ ନାଁରେ ମିଛ ଖବର ପ୍ରସାରଣ କରିବା ଏବଂ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ସହୀଦ ନଗର ଥାନା ପୁଲିସ ।

ସୁଧାଂଶୁଙ୍କ ବିରୋଧରେ ଦଫା

  • ଆଇପିସି ଦଫା ୨୯୪ ଅର୍ଥାତ ଅଶ୍ଳୀଳ ଭାଷରେ ଗାଳିଗୁଲଜ
  • ୩୨୩ ଅର୍ଥାତ ଉଦ୍ଦେଶ୍ୟମୂଳକ ଭାବେ ଜଣଙ୍କୁ ମାନସିକ ଆଘାତ ପହଂଚାଇବା
  • ୫୦୬ ଅର୍ଥାତ ଉଦ୍ଦେଶ୍ୟମୂଳକ ଭାବେ ଧମକାଇବା
  • ୫୦୯ ଅର୍ଥାତ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ବା ଅସଦାଚରଣ
  • ଆଇଟି ଆକ୍ଟ ୬୭ ଅର୍ଥାତ ମିଛ ଖବର କରି ସୋସିଆଲ ମିଡିଆରେ ପୋଷ୍ଟ କରିବା

ଭଳି ସଙ୍ଗୀନ ଦଫା ସବୁ ଲଗାଇଛିି ପୋଲିସ । ବାରମ୍ବାର ସୋସିଆଲ ମିଡିଆରେ କନକ ନ୍ୟୁଜ୍ ଏବଂ ଏହାର ସମ୍ପାଦକଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରୁଥିଲେ ସୁଧାଂଶୁ । ଏନେଇ ସହୀଦ ନଗର ଥାନାରେ ଅଭିଯୋଗ କରାଯାଇଥଲା । ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୂର୍ବରୁ ସୁଧାଂଶୁ ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ବିରୋଧରେ ଏଭଳି ମିଛ ଖବର ପ୍ରସାରଣ ସହ ଅଶାଳୀନ ବ୍ୟବହାର କରି ଗିରଫ ହୋଇଥିଲେ । ସେଥିପାଇଁ ପ୍ରାୟ ୩ ମାସ ଝାରପଡା ଜେଲରେ ରହିଥିଲେ । ହେଲେ ଜେଲରୁ ବାହାରିବା ପରେ ବି ପ୍ରକୃତି ଛାଡିନଥିଲେ ସୁଧାଂଶୁ । ଉଦ୍ଦେଶ୍ୟମୂଳକ ଭାବରେ କନକ ନ୍ୟୁଜ ବିରୋଧରେ ଆକ୍ଷେପ ମୂଳକ ଖବରସବୁ ପ୍ରସାରଣ ଚଳାଇଥିଲେ । ଅତି ଅଶାଳୀନ ଶବ୍ଦ ପ୍ରୟୋଗ କରିବା ସହ ମହିଳାଙ୍କ ସମ୍ମାନ ହାନୀ ହେଲା ଭଳି ଆକ୍ଷେପ ସବୁ କରିଆସୁଥିଲେ । ପୂର୍ବରୁ ତାଙ୍କ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନରେ ଏକାଧିକ ଅପରାଧିକ ମାମଲା ମଧ୍ୟ ରହିଛି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନକଲି ଲେଟର ପ୍ୟାଡ୍ କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ବି ରହିଛି ।