କନକ ବ୍ୟୁରୋ : ଉତ୍ତର ଚୀନ୍ର ଶାନ୍ଶି ପ୍ରଦେଶରେ ଚଳିତ ମାସ ପ୍ରାରମ୍ଭରେ ପ୍ରବଳ ଅଦିନିଆ ବର୍ଷା ଓ ବନ୍ୟା ହେବା ଫଳରେ ଅନ୍ୟୂନ ୨୦ ଜଣ ଲୋକ ମୃତ୍ୟୁବରଣ କରିଥିବା ରିପୋର୍ଟ ମିଳିଛି । ମଙ୍ଗଳବାର ମିଳିଥିବା ସୂଚନା ଅନୁସାରେ ଯେଉଁ ଅଞ୍ଚଳ ସାଧାରଣତଃ ଶୁଖିଲା ରହେ ସେଠାରେ ତିନି ମାସର ବର୍ଷା ଗୋଟିଏ ସପ୍ତାହରେ ହେବା ଫଳରେ ଜଳାର୍ଣ୍ଣବ ପରିସ୍ଥିତି ହୋଇଛି ।
ଦେଶରେ ଶକ୍ତିସଂକଟ ଲାଗି ରହିଥିବା ବେଳେ କୋଇଲା-ସମୃଦ୍ଧ ଅଞ୍ଚଳ ଗତ ଜୁଲାଇ ମାସରେ ବନ୍ୟାରେ ବୁଡ଼ିଯାଇଥିଲା । ଫଳରେ କେନ୍ଦ୍ରୀୟ ହେନାନ ପ୍ରଦେଶରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ଅଞ୍ଚଳରେ ଅତି କମ୍ରେ ୬୦ଟି କୋଇଲା ଖଣି ଥିବାବେଳେ ଏହା ଦେଶର ସବୁଠୁ ଅଧିକ କୋଇଲା ଉତ୍ପାଦନକାରୀ ପ୍ରଦେଶ । ବନ୍ୟା ଯୋଗୁ କୋଇଲା ଖଣିଗୁଡ଼ିକ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ମାତ୍ର ୪ଟି ଛାଡ଼ି ଅନ୍ୟସବୁ କୋଇଲା ଖଣି କାର୍ଯ୍ୟକ୍ଷମ ହୋଇଛି ବୋଲି ଜରୁରୀ ପରିଚାଳନା ଅଧିକାରୀ ୱାଙ୍ଗ୍ କିରି କହିଛନ୍ତି ।
କିରିଙ୍କ କହିବା ଅନୁସାରେ ଚଳିତ ମାସର ବର୍ଷା ଓ ବନ୍ୟା ବିତ୍ପାତ ହେତୁ ପ୍ରାୟ ୧୯୦୦୦ କୋଠା ଭୁଶୁଡ଼ି ପଡ଼ିଛି ଏବଂ ୧୮୦୦୦ କୋଠା ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ୨୦ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି । ଅନ୍ୟୂନ ୧.୭୫ ନିୟୁତ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ଏବଂ ୧୨୦,୦୦୦ ଲୋକଙ୍କୁ ସୁରକ୍ଷିତ ଭାବେ ବିସ୍ଥାପିତ କରାଯାଇଛି । କିରି କହିଛନ୍ତି ଯେ, ଶାନ୍ଶିରେ ମାସିକ ହାରାହାରି ଯେତିକି ବର୍ଷା ହୁଏ, ଗୋଟିଏ ସପ୍ତାହରେ ତା’ର ତିନିଗୁଣ ବର୍ଷା ହେବା ଯୋଗୁ ଏଭଳି ବନ୍ୟା ବିପର୍ଯ୍ୟୟ ସୃଷ୍ଟି ହୋଇଛି । ଜଳବାୟୁ ପରିବର୍ତ୍ତନ ଏହି ବିପର୍ଯ୍ୟୟର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।