କନକ ବ୍ୟୁରୋ : ବିଶେଷକରି ରସ ଗରା, ବାଲଟି, କଡେଇ, ହାଣ୍ଡି, କୁଣ୍ଡ, ଢ଼ାଳ, ରସରେ ତିଆରି ବିଭିନ୍ନ ବାସନକୁସନ ଓ ଘର କରଣା ସାମଗ୍ରୀ ଲୋକେ ବ୍ୟବହାର କରିଥାଆନ୍ତି । ପୂର୍ବରୁ ଏହି ସବୁ ଜିନିଷ କାରିଗର ମାନେ ନିଜ ହାତରେ ତିଆରି କରୁଥିଲେ । ଏବେ ଯୁଗ ବଦଳିବା ସହ ଏହି ସବୁ ଜିନିଷ ମେସିନରେ ତିଆରି କରାଯାଉଛି । ଆଉ ଏହି ବ୍ୟବସାୟକୁ ଅପଣାଇ କାରିଗର ମାନେ ବେଶ ଭଲ ରୋଜଗାର କରୁଛନ୍ତି । ତେବେ କଟକ ଆଠଗଡ଼ ଅଞ୍ଚଳର ବାସୁଦେବ ମିଶ୍ର ଏହି ବ୍ୟବସାୟ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି । ବାସୁଦେବ ୧୯୮୦ ମସିହାରେ ବି.ଏ. ପାସ କରିବା ପରେ ଚାକିରି ପଛରେ ନପଡ଼ି ନିଜର ଏକ କ୍ଷୁଦ୍ର କାରଖାନା ପ୍ରସ୍ତୁତ କରିଥିଲେ । ମାତ୍ର ୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି କାରଖାନା ଏବେ ପାଖାପାଖି ୧୧ ଲକ୍ଷ ଟଙ୍କାରେ ପହଞ୍ଚିଛି । ପାଖାପାଖି ୪୦ ବର୍ଷ ଧରି ଚାଲିଥିବା ଏହି କାରଖାନା ଭଲ ଲାଭ ମଧ୍ୟ ଦେଉଛି ।

Advertisment

ତାଙ୍କ କାରଖାନାରେ ନିଜେ କାମ କରିବା ସହ ଆହୁରି ୩ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ବାସୁଦେବ । ମାସିକ ସବୁ ଖର୍ଚ୍ଚ ଯାଇ ୨୫ ହଜାର ଟଙ୍କା ଲାଭ ମିଳୁଥିବା ସେ କୁହନ୍ତି । ଅନଗୁଳୁରୁ କଞ୍ଚାମାଲ ଆଣି ଗରା, ବାଲଟି, କଡ଼େଇ, ସସ୍ପେନ, ତସଲା ପ୍ରସ୍ତୁତ କରାଯାଉଛି । ଏଠାରୁ ତିଆରି ହେଉଥିବା ଜିନିଷ ଅନଗୁଳ, କଟକ, ଜଗତସିଂହପୁର ଭଳି ଜିଲ୍ଲାକୁ ବିକ୍ରି ପାଇଁ ପଠାଯାଉଛି । ସବୁଠାରୁ ବଡ଼ କଥା ହେଉଛି କାରିଗର ମାନଙ୍କୁ ହାତପାହାନ୍ତାରେ କାମ ମିଳୁଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତି ।

ଆଠଗଡ଼ ବାଳି ଗାଁରେ ପ୍ରସ୍ତୁତ ହେଉଥିବା ଗରା’ଓ ବାଲଟିର ଚାହିଦା ସବୁ ଅଞ୍ଚଳରେ ରହିଛି । ୪୦ ବର୍ଷ କାଳ ଏହି ବ୍ୟବସାୟରେ ଅନେକ ଝଡ଼ଝଞ୍ଜା ଆସିଥିଲେ ବି ସେ ଏହି ବ୍ୟବସାୟରୁ କେବେ ମୁହଁ ଫେରାଇନାହାନ୍ତି । ନିଜସ୍ୱ ଉଦ୍ୟମର ରୋଜଗାର କରୁଥିବାରୁ ଆତ୍ମସନ୍ତୋଷ ମିଳୁଥିବା କୁହନ୍ତି ସଫଳ ଉଦ୍ୟୋଗୀ ବାସୁଦେବ ।