କୃଷ୍ଣପ୍ରସାଦ ଅଞ୍ଚଳର ସଫଳ ଚାଷୀ ସନ୍ୟାସୀ ତରେଇ ।ଚାଷ କାମ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ମିଳିଛି ସମ୍ମାନ

147

କନକ ବ୍ୟୁରୋ : କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାଆର । ଏହି କାମରେ ନା କାହା ଉପରେ ନିର୍ଭର କରିବାକୁ ପଡ଼ିଥାଏ ନା କାହା ଅଧିନରେ କାମ କରିବାର ଚିନ୍ତା ଥାଏ । ନିଜ ସ୍ୱାଧୀନରେ ଦିନକୁ ମାତ୍ର ଦୁଇରୁ ୩ଘଂଟା ପରିଶ୍ରମ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କୃଷ୍ଣପ୍ରସାଦ ଅଞ୍ଚଳର ସଫଳ ଚାଷୀ ସନ୍ୟାସୀ ତରେଇ । କାକୁଡ଼ି, ଭେଣ୍ଡି, ବାଇଗଣ, କଲରା, କନ୍ଦମୂଳ, ବିନ୍ସ, ତରଭୁଜ ଚାଷରେ ହସୁଛି କ୍ଷେତ । ଦିର୍ଘ ୧୮ ବର୍ଷ ଧରି ନିଜର ତିନି ଏକର ଜମିରେ ଭଳିକିଭଳି ପନିପରିବା ଚାଷ କରି ସଫଳତା ସାଉଁଟିଛନ୍ତି ସନ୍ୟାସୀ । ଆଉ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କ କ୍ଷେତରେ ପାଖାପାଖି ୧୦ ପ୍ରକାରର ପନିପରିବା ଚାଷ ହୋଇଛି । ଆଉ ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରି ସେ ଲାଭବାନ ହେଉଛନ୍ତି ।

୨୦୦୪ରୁ ଚାଷ କାମ ଆରମ୍ଭ କରିଥିଲେ ସନ୍ୟାସୀ । ପ୍ରଥମେ ଫୁଲ ଚାଷରୁ ଆରମ୍ଭ ହୋଇଥିଲା ଚାଷ କାମ । ପରେ ପନିପରିବା ଚାଷ କରି ଲାଭବାନ ହେଉଛନ୍ତି । ତିନି ଏକର ଜମିରୁ ୧ ଏକର ଜମିରେ ଫୁଲ, ୧ଏକର ଜମିରେ ପନିପରିବା ଓ ୧ ଏକର ଜମିରେ କେବଳ ତରଭୁଜ ଚାଷ କରୁଛନ୍ତି ସନ୍ୟାସୀ । ୩ଏକର ଚାଷ ପାଇଁ ପାଖାପାଖି ୭୦ରୁ ୮୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସମସ୍ତ ଖର୍ଚ୍ଚ ଯାଇ ବର୍ଷକୁ ୨ରୁ ୩ଲକ୍ଷ ରୋଜଗାର ହେଉଛି । ବର୍ଷା ସମୟରେ ଛତୁ ଚାଷ ମଧ୍ୟ କରନ୍ତି ସନ୍ୟାସୀ । ବିନା ସାରରେ ପରିବା ଚାଷ କରୁଥିବାରୁ ତାଙ୍କ ଜମି ନିକଟକୁ ଆସି ସ୍ଥାନୀୟ ଅଂଚଳର ଲୋକେ ପରିବା କିଣିନିଅନ୍ତି ।

ବାହାର ରାଜ୍ୟକୁ ଯାଇ ଦାଦନ ଖଟିବା ଅପେକ୍ଷା ନିଜ ଗାଁରେ ରହି କିଛି କରିବାର ଇଛା ଆଜି ସନ୍ୟାସୀଙ୍କୁ ଦେଇଛି ସଫଳତା । ନିଜସ୍ୱ ଉଦ୍ୟମରେ ପରିଶ୍ରମ କରି କ୍ଷେତରେ ସୁନା ଫସଲ ଫଳାଇଛନ୍ତି ସନ୍ୟାସୀ । ଏହାଦ୍ୱାରା ପରିବାର ପ୍ରତିପୋଷଣରେ କୌଣସି ଅସୁବିଧା ମଧ୍ୟ ହେଉନାହିଁ । ସତରେ ସନ୍ୟାସୀଙ୍କ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ ।