କନକ ବ୍ୟୁରୋ: ରୋହି, ଭାକୁର. ମିରକାଳି, ଗ୍ରାସକପ୍, ପଙ୍ଗାସ, ଚିଙ୍ଗୁଡ଼ି, ରୁପଚାନ୍ଦି ଭଳି ମାଛ ଚାଷ କରି ଆତ୍ମନିର୍ଭର ହୋଇଛନ୍ତି କେନ୍ଦୁଝର ଚମ୍ପୁଆ ଅଞ୍ଚଳର ଶୁଭେନ୍ଦୁ ମହାନ୍ତ । ତାଙ୍କ ପୋଖରୀରୁ ଧରାହେଉଛି କ୍ୱିଂଟାଲ କ୍ୱିଂଟାଲ ମାଛ । ସପ୍ତାହକୁ ୨ରୁ ୩ ଥର ମାଛ ଧରି ସ୍ଥାନୀୟ ବଜାର ସହ ପଡ଼ୋଶୀ ରାଜ୍ୟରେ ବିକ୍ରି କରୁଛନ୍ତି ଶୁଭେନ୍ଦୁ । ଏହି ଚାଷକୁ ଆପଣାଇ ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି । ଅନ୍ୟମାନଙ୍କ ଭଳି ପାଠ ପଢ଼ି ଚାକିରି କରିବାର ଆଶା ରଖିଥିଲେ ଶୁଭେନ୍ଦୁ । କିନ୍ତୁ ତାହା ହୋଇପାରିନଥିଲା । ଯୁକ୍ତ ଦୁଇ ପାସ୍ କରିବା ପରେ ଖଣି ଖାଦାନରେ କାମ କରୁଥିଲେ ଶୁଭେନ୍ଦୁ । ଏହା ପରେ ନିଜେ କିଛି କରିବା ଆଶାରେ ମାଛ ଚାଷ କରିବା ପାଇଁ ମନ ବଳାଇଥିଲେ । ଏଥିପାଇଁ ସେ ଭୁବନେଶ୍ୱର ଓ ଚିଲିକା ଅଞ୍ଚଳରେ ଯାଇ ତାଲିମ ନେଇଥିଲେ । ପ୍ରଥମେ ଅଳ୍ପ କିଛି ପୋଖରୀ କରି ସଫଳତା ହାସଲ କରିବା ପରେ ଆଉ ପଛକୁ ଫେରିନାହାନ୍ତି ଶୁଭେନ୍ଦୁ ।

Advertisment

ଏହିକାମରୁ ତାଙ୍କୁ ଭଲ ଲାଭ ମିଳୁଥିବାରୁ ୨ଟି ପୋଖରୀରୁ ଆରମ୍ଭ ହୋଇଥିବା ଚାଷ ଏବେ ୧୨ଟି ପୋଖରୀରେ ପହଞ୍ଚିଛି । ଏପରିକି ଆକ୍ୱାରିମରେ ରଖାଯାଉଥିବା ମାଛ ଯାଅାଁଳ ଚାଷ କରି ବିକ୍ରି କରୁଛନ୍ତି ଶୁଭେନ୍ଦୁ । କେନ୍ଦୁଝର, ଚମ୍ପୁଆ, ବଡ଼ବିଲ ଓ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଅଞ୍ଚଳକୁ ମାଛ ଜାଅାଁଳ ବିକ୍ରି କରି ଭଲ ଦୁଇପଇସା ରୋଜଗାର କରୁଛନ୍ତି । ଆଗକୁ ସେ ମାଛ ଚାଷ ତାଲିମ କେନ୍ଦ୍ର ଖୋଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଯାହା ଦ୍ୱାରା ବେକାର ଯୁବକମାନେ ଚାକିରି ପଛରେ ପଡ଼ି ସମୟ ନଷ୍ଟ କରିବା ଅପେକ୍ଷା ନିଜେ ଆତ୍ମନିର୍ଭର ହୋଇପାରିବେ ବୋଲି ସେ କହିଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ବାହାଘର ଓ ବ୍ରତଘର ଭୋଜିଭାତରେ ଆବଶ୍ୟକ ହେଉଥିବା ମାଛ ଲୋକମାନଙ୍କୁ ଯୋଗାଇପାରୁଛନ୍ତି ଶୁଭେନ୍ଦୁ । ଏହା ସହ ସ୍ଥାନୀୟ ଅଞ୍ଚଳର ୧୦ ଜଣଙ୍କୁ ସେ ରୋଜଗାର ଦେଇଛନ୍ତି । ଘର ପାଖରେ କାମ ମିଳୁଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି କର୍ମଚାରୀ । ଶୁଭେନ୍ଦୁଙ୍କ ଏଭଳି ଉଦ୍ୟମ ଅନ୍ୟ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ ।