ଗୋଆ ହତ୍ୟା ମାମଲାରେ ଆସୁଛି ଚାଞ୍ଚଲ୍ୟକର ତଥ୍ୟ । ଶବ ଭର୍ତି ବ୍ୟାଗରୁ ମିଳିଲା ଅଭିଯୁକ୍ତ ସୂଚନା ସେଟଙ୍କ ହାତ ଲେଖା ଚିରା ଚିଠି

1,147

କନକ ବ୍ୟୁରୋ : ୪ବର୍ଷର ପୁଅକୁ ହତ୍ୟା କରିବା ଅଭିଯୋଗରେ ସୂଚନା ସେଟଙ୍କୁ ଜେରା କରୁଛି ପୁଲିସ । ୬ଦିନ ପାଇଁ କର୍ଣ୍ଣାଟକ ପୁଲିସ ରିମାଣ୍ଡରେ ନେଇ ଜେରା କରୁଛି । ଅନ୍ୟପଟେ ଘଟଣାସ୍ଥଳ, ସୂଚନାଙ୍କ କର୍ଣ୍ଣାଟକ ଘର ଓ ଶବ ଭର୍ତି ବ୍ୟାଗରୁ ସୁରାକ ଖୋଜୁ ଖୋଜୁ ପୁଲିସ ହାତରେ ଲାଗିଛି ଚିରା ଚିଠି । ସୂଚନାଙ୍କ ହାତ ଲେଖା ଚିଠିରେ ରହିଛି ଆଶ୍ଚର୍ଯ୍ୟଜନକ କଥା । କୋର୍ଟଙ୍କ ନିର୍ଦ୍ଦେଶରେ ଖୁସି ନଥିଲେ ସୂଚନା । ସ୍ୱାମୀଙ୍କ ସହ ପୁଅ ଦେଖା କରିବା ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରିପାରିନଥିଲେ । ପୁଲିସ ଅନୁମାନ କରୁଛି ହୁଏତ ହତ୍ୟା ପଛର ଏହାର ମୁଖ୍ୟ କାରଣ ହୋଇପାରେ । ସବୁଠୁ ବଡ କଥା ହେଉଛି ପେନ କି ପେନସିଲ ନୁହେଁ ଟିସୁ ପେପର ଉପରେ ଆଇଲାଇନରରେ ଚିଠି ଲେଖିଥିଲେ ସୂଚନା । ତରବରରେ ଚିଠି ଲେଖିବା ପରେ ସୂଚନା ଏହାକୁ ଚିରିବା ସହ ଶବ ଭର୍ତ୍ତି ବ୍ୟାଗରେ ରଖିଥିବା ପୁଲିସ କହିଛି ।

ଯେଉଁ ହୋଟେଲରେ ସୂଚନା ରହୁଥିଲେ ସେଠାରୁ କଫ ସିରଫ, ଛୁରି, ତକିଆ, ଗାମୁଛା ଓ ଏକ ଲାଲ ରଙ୍ଗର ବ୍ୟାଗକୁ ଜବତ କରିଛି ପୁଲିସ । ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କ ନେଇ ସିନ ରିକ୍ରିଏଟ କରିପାରେ ପୁଲିସ । ପରେ କର୍ଣ୍ଣାଟକ ଆପାର୍ଟମେଂଟରେ ଗୋଆ ଓ କର୍ଣ୍ଣାଟକ ପୁଲିସ ମିଳିତ ଟିମ ପହଁଚି ତନାଘନା କରିବ ।

ପୁଲିସ ନିକଟରେ ବୟାନ ରେକର୍ଡ କରିଛନ୍ତି କ୍ୟାବ ଡ୍ରାଇଭର ଜନ ଡିସୋଜା । ସୂଚନା କହିବାରୁ ଗୋଆରୁ କର୍ଣ୍ଣାଟକ ପାଇଁ କ୍ୟାବ ବୁକ କରିଥିଲେ ହୋଟେଲ କର୍ମଚାରୀ । ରାତି ପ୍ରାୟ ୧୨ ସମୟରେ ସୂଚନା ଏକ ଟ୍ରଲି ବ୍ୟାଗ ସହ କାରରେ ବସି କର୍ଣ୍ଣାଟକର ନିଦ୍ଧିଷ୍ଟ ଇଲାକାକୁ ଯିବା ପାଇଁ ଡ୍ରାଇଭରଙ୍କୁ କହିଥିଲେ । ୪ଘଂଟା ଧରି ଟ୍ରାଫିକରେ କାର ଫସିବା ପରେ ଡ୍ରାଇଭର ସୂଚନାଙ୍କୁ ବିମାନଯାତ୍ରା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ସୂଚନା ଜିଦ କରିଥିଲେ ସଡକପଥରେ ଯିବା ପାଇଁ ଓ ଆବଶ୍ୟକଠୁ ଅଧିକ ଭଡ଼ା ଦେବାକୁ ମଧ୍ୟ ରାଜିଥିଲେ । ଭଡ଼ା ବାବଦକୁ ୩୦ହଜାର ଟଙ୍କା ଛିଣ୍ଡିଥିଲା ।

କାହିଁକି ପୁଅକୁ ହତ୍ୟା କଲେ ସୂଚନା? ଯଦି ହତ୍ୟା ପଛରେ ସୂଚନାଙ୍କ ହାତ ନାହିଁ ତେବେ ମାମଲାର ମାଷ୍ଟରମାଇଣ୍ଡ କିଏ?ଏଭଳି ଅନେକ ପ୍ରଶ୍ନ ଗୁଡେଇ ତୁଡେଇ ଥିବାବେଳେ ଖିଅ ଖୋଜୁଛନ୍ତି ଉଭୟ ଗୋଆ ଓ କର୍ଣ୍ଣାଟକ ପୁଲିସର ମିଳିତ ଟିମ ।