ଏମିତି ମନ୍ଦିର ବିଡି ଭୋଗ ଲଗାଇଲେ ପୂରଣ ହୁଏ ମନସ୍କାମନା । ନଚେତ୍ ମାଡିଆସେ ବିପଦ

96

କନକ ବ୍ୟୁରୋ: ଆମ ଦେଶରେ ରହିଛି ଏପରି ମନ୍ଦିର ଯେଉଁଠି ଫଳମୂଳ ନୁହେଁ ବରଂ ଅର୍ପଣ କରାଯାଏ ବିଡି । ଅଜବ ଲାଗୁଥିଲେ ବି କଥାଟା ବିଲକୁଲ ସତ । ଏପରି ମନ୍ଦିର ରହିଛି ବିହାରର – କୈମୁର ଜିଲ୍ଲାରେ । ମନ୍ଦିରଟି ପାହାଡ ଉପରେ ରହିଛି । ଆଉ ଏହି ମନ୍ଦିରରେ ଅର୍ପଣ ହେଉଥିବା ଭୋଗକୁ ନେଇ ସାରା ଦେଶରେ ଏହାର ଚର୍ଚ୍ଚା ।

ବିହାର କୈମୁର ଜିଲ୍ଲା ଖୁଟିଆ ଅଞ୍ଚଳ ପାହାଡ ଉପରେ ରହିଛି ମୁସହରହାୱା ବାବାଙ୍କ ମନ୍ଦିର । ସତେ ଯେମିତି ସେହି ପାହାଡିଆ ଇଲାକାର ରକ୍ଷକ ହୋଉଛନ୍ତି ବାବା । ବାବାଙ୍କ ପାଖରେ ପ୍ରତ୍ୟହ ଭୋଗଲାଗେ କଠାକଠା ବିଡି । କାରଣ କିମ୍ବଦନ୍ତୀ ଅନୁସାରେ ଏଠାରେ ବାବାଙ୍କ ପାଖରେ ବିଡି ଭୋଗ ଲଗାଇଲେ ଭକ୍ତଙ୍କ ମନୋସ୍କାମନା ପୂରଣ ହୁଏ ।

ଯିଏ ବି ପାହାଡର ଘାଟି ରାସ୍ତାରେ ଯିବା ବେଳକୁ ହେଉ ଅବା ଆସିବା ବେଳକୁ ମୁସହରବାବାଙ୍କ ମନ୍ଦିରରେ କିଛି ସମୟ ଅଟକିଯାଆନ୍ତି । ଆଉ ବାବାଙ୍କ ପାଖରେ ବିଡି ଭୋଗ ଲଗାନ୍ତି । କୁହାଯାଏ ଅତିକମରେ ଦୁଇଟି ବିଡି ଲଗାଇଲେ ମନବାଂଛା ପୂରଣ କରନ୍ତି ମୁସହର ବାବା । ଫଳରେ ଘାଟି ରାସ୍ତାରେ ଯାତ୍ରୀ ବା ଭକ୍ତ ନିରାପଦ ଭାବେ ଯା ଆସ କରିପାରନ୍ତି । ଆଉ ଯଦି ଏହାକୁ ଅମାନ୍ୟ କରି ,କେହି ଆଗକୁ ବଢେ ତେବେ ମାଡିଆସେ ବିପଦ । ଘାଟି ରାସ୍ତାରେ ଯାତ୍ରୀଙ୍କ କିିଛି ନା କିଛି ବିପଦର ସାମନା କରିବାକୁ ପଡେ । ଆଉ ଯେଉଁ ଶ୍ରଦ୍ଧାଳୁଙ୍କ ପାଖରେ ବିଡି ନଥାଏ ସେମାନେ ବିଡି ଉଦ୍ଦେଶ୍ୟରେ ହୁଣ୍ଡିରେ ଟଙ୍କା ପକାଇ ମୁସହରହାୱା ବାବାଙ୍କୁ ମୁଣ୍ଡିଆ ମାରି କ୍ଷମାପ୍ରାର୍ଥନା କରନ୍ତି ।

କେବଳ ଘାଟି ରାସ୍ତାରେ ଯିବା ଆସିବା କରିବା ପାଇଁ ନୁହେଁ ବରଂ ବାବାଙ୍କ ପାଖରେ ବିଡି ଅର୍ପଣ କରି ଯେଉଁ ମନସ୍କାମନା କରାଯାଏ ତାହା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଦୂରଦୂରାନ୍ତରୁ ଏହି ଦୁର୍ଗମ ପଥ ପାରି ହୋଇ ବାବାଙ୍କ ପାଖକୁ ଚାଲିଆସନ୍ତି ଭକ୍ତ । ମୁସହରହାୱା ବାବାଙ୍କ ପାଖରେ ବିଡି ଭୋଗ ଲଗାଇଲେ ନହେଉଥିବା କାମ ବି ହେଉଥିବା ଖୋଦ୍ ମନ୍ଦିରର ପୂଜକ କହିଛନ୍ତି ।

ଏହି କ୍ରମରେ ଆସେ ଉଜ୍ଜୟିନୀର କାଳଭୈରବ ମନ୍ଦିର, ଯେଉଁଠାରେ ମହାଦେବଙ୍କ କାଳଭୈରବ ରୂପକୁ ପୂଜା କରାଯାଏ । ଏଠାରେ ଭକ୍ତମାନେ ଠାକୁରଙ୍କୁ ମଦ ଭୋଗ ଲଗାନ୍ତି । ଆଉ ଏହି ମଦକୁ ମହାକାଳଙ୍କ ବିଗ୍ରହ ପାନ କରୁଥିବା ମଧ୍ୟ ଦେଖିବାକୁ ମିଳେ । ହେଲେ ଏପରି କାହିଁକି ଏହାର କାରଣ ଏଯାଏଁ କେହି କହିପାରିନାହାଁନ୍ତି । ଥରେ ଜଣେ ବିଦେଶୀ ଏହି ଠାକୁରଙ୍କ ପାଟି ଦେଇ କୁଆଡେ ଯାଉଛି ବୋଲି ଅନୁସନ୍ଧାନ କରିବାକୁ ଦାବି କରିବା ପରେ ଦେଉଳର ଅନେକ ସ୍ଥାନରେ ଖୋଳାଗଲା, ହେଲେ କିଛି ସୁରାକ ମିଳିଲା ନାହିଁ । ଫଳରେ ବିଦେଶୀ ଅଧିକାରୀ ଜଣକ ସେହି ମୁହୂର୍ତ୍ତରୁ ହିଁ କାଳଭୈରବଙ୍କ ଭକ୍ତ ପାଲଟିଗଲେ ।

ଆମ ଦେଶରେ ଏପରି ଅନେକ ମନ୍ଦିର ରହିଛି ଯାହାର ପୂଜା ଶୈଳୀ ଅତି ରହସ୍ୟମୟ , ଯାହାର ଭେଦ ଏଯାଏଁ ଖୋଲି ପାରିନି ।