ନାଡ଼ି ବ୍ୟବସାୟରୁ ଉଦ୍ୟୋଗୀ ମହିଳା । ନିଜେ ରୋଜଗାର କରିବା ସହ ୨୦ଟି ପରିବାର ପାଇଁ ଅନ୍ନଦାତ୍ରୀ ପାଲଟିଛନ୍ତି ଜୟପୁରର ଗୌରେଶ୍ୱରୀ

245

କନକ ବ୍ୟୁରୋ: ଛୋଟ ଏକ ଟିଣ ଛପର ଘର । ଆଉ ତା’ରି ଭିତରେ ଚାଲିଛି, ବ୍ୟବସାୟ । କିଏ ନାଡ଼ି ତିଆରି କରୁଛି ତ ଆଉ କିଏ ନାଡ଼ି ଛାଣୁଛି । ପୁଣି କିଏ ପ୍ୟାକେଟିଂ କରିବାରେ ବ୍ୟସ୍ତ ଅଛନ୍ତି । ସ୍ୱଚ୍ଛତା ଓ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଚାଲିଛି ପ୍ରସ୍ତୁତି । ସ୍ୱାଦ ଯେପରି ଚାହିଦା ବି ସେହିପରି । ଚାହିଦା ଅନୁସାରେ ସାମଗ୍ରୀ ତିଆରି କରୁଛନ୍ତି କର୍ମଚାରୀ ।

  • ଅନ୍ଧାରୀ ମୂଲକର ଆଶାର ଆଲୋକ
  • ଜୟପୁର ସହରର ଗୌରେଶ୍ୱରୀ ମିଶ୍ର
  • ନାରୀ ସଶକ୍ତିକରଣର ଅନନ୍ୟ ଉଦାହରଣ

ବାଦାମ ନାଡ଼ି, ଡ଼ାଲି ନାଡ଼ି, ରାଶି ନାଡ଼ି ଭଳି ଭିନ୍ନ ଭିନ୍ନ ପ୍ରକାରର ନାଡ଼ି ପ୍ରସ୍ତୁତ କରୁଛନ୍ତି ମହିଳା । ଏଥିପାଇଁ ସ୍ୱତନ୍ତ୍ର ମେସିନ୍ ରହିଛି । ପାଖାପାଖି ୨୦ ଜଣ ମହିଳା ଏହି କାରଖାନା ଯୋଗୁଁ ଉପକୃତ ହୋଇପାରିଛନ୍ତି । ଏହି ମହିଳାମାନଙ୍କ ଭିତରୁ କିଏ ୭ ବର୍ଷ ତ କିଏ ୧୦ ବର୍ଷ ହେଲା ଏଠାରେ କାମ କରି ପରିବାର ଚଳାଉଛନ୍ତି । ସକାଳ ୯ଟା ହୋଇଗଲେ ସମସ୍ତେ ନିଜ ନିଜ ଘର କାମ ସାରି ପହଞ୍ଚିଯାଆନ୍ତି ଏହି ନାଡ଼ି ତିଆରି କାରଖାନାରେ । ଆଉ ନିଜ ନିଜ କାମରେ ଲାଗିପଡ଼ନ୍ତି । ଆଉ କାମ କେବଳ ସମ୍ଭବ ହୋଇପାରିଛି ଗୌରେଶ୍ୱରୀଙ୍କ ପାଇଁ ।

  • ଶିକ୍ଷାଗତ ଯୋଗ୍ୟତା, ଫ୍ୟାସନ ଡିଜାଇନର
  • ଜୀବିକା ପାଲଟିଛି ନାଡ଼ି ବ୍ୟବସାୟ

ଦୃଢ଼ ଇଚ୍ଛା ଶକ୍ତି ଗୌରେଶ୍ୱରୀଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଫ୍ୟାସନ ଡିଜାଇନିଂରେ କୋର୍ସ କରିବା ପରେ ଫ୍ୟାସନ ଦୁନିଆରେ କିଛି କାମ କରିବା ପାଇଁ ତାଙ୍କର ଇଛା ଥିଲା । ବାହାଘର ପରେ ନାଡ଼ି ତିଆରି କାମ ଆରମ୍ଭ କଲେ । ଆଉ ଏହି କାମ ତାଙ୍କ ପାଇଁ ବେଶ କଷ୍ଟକର ଥିଲା । କେମିତି ନାଡ଼ି ପ୍ରସ୍ତୁତ କରାଯିବ ସେନେଇ ତାଙ୍କ ପାଖରେ କୌଣସି ଜ୍ଞାନ ନଥିଲା । ତଥାପି ସେ ହାର ମାନିନଥିଲେ । ସ୍ୱାମୀ, ପୁଅ ଓ ଝିଅଙ୍କୁ ନେଇ ତାଙ୍କର ଛୋଟିଆ ପରିବାରଟିଏ ଅଛି । ସମସ୍ତଙ୍କ କଥା ବୁଝିବା ପରେ ଏହି କାମ ପାଇଁ ସମସ୍ତ ସମୟ ଦିଅନ୍ତି । କାରଖାନାକୁ ପରିଚାଳନା କରିବା ସହ ବ୍ୟବସାୟର ଦେଖାରଖା କରନ୍ତି । ଯାହା ତାଙ୍କୁ ଏବେ ବେଶ ସଫଳତା ଦେଇଛି । ମହିଳାମାନଙ୍କୁ ମୁଖ୍ୟସ୍ରୋତକୁ ଆଣି ରୋଜଗାରକ୍ଷମ କରାଇବା ତାଙ୍କ ପ୍ରାଥମିକତା ରହିଛି । ଗୌରେଶ୍ୱରୀ କୁହନ୍ତି ପ୍ରତ୍ୟେକ ମହିଳାମାନଙ୍କ ପାଖରେ କିଛି କିଛି ଭଲ ଗୁଣ ରହିଛି । ସେମାନେ ତାହାର ଉପଯୋଗ କରିପାରିଲେ ରୋଜଗାରକ୍ଷମ ହୋଇପାରିବେ ।
ମାତ୍ର ୨୦୦ ଟଙ୍କାରୁ ଆରମ୍ଭ ହୋଇଥିବା ଏହି କାମ ଏବେ ଦିନକୁ ୫୦ ହଜାରରୁ ଅଧିକ ଟଙ୍କାର ବ୍ୟବସାୟ କରୁଛି । ଅନେକ ମହିଳା ଏହି କାମରେ ଯୋଡ଼ି ହୋଇ ରୋଜଗାରକ୍ଷମ ହୋଇପାରୁଛନ୍ତି ।