କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ? ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ଠିକ୍ ସମୟରେ ଲୋକ ବାଛିବେ ଉତ୍ତରାଧିକାରୀ

ନିର୍ବାଚନ ଜିତିବା ପଛରେ ତାଙ୍କ ଟିମକୁ ଦେଲେ ଶ୍ରେୟ; କହିଲେ, ଫିଟ୍ ରହିବାକୁ ପ୍ରତିଦିନ କରୁଛନ୍ତି ବ୍ୟାୟାମ

1,551

କନକ ବ୍ୟୁରୋ: କିଏ ହେବ ନବୀନଙ୍କ ଉତ୍ତରାଧିକାରୀ? ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉତ୍ତର ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଠିକ୍ ସମୟରେ ଲୋକ ଉତ୍ତରାଧିକାରୀ ବାଛିବେ । ଏଥିସହ ନିର୍ବାର୍ଚନ ଜିତିବା ପଛରେ ତାଙ୍କ ଟିମକୁ ଶ୍ରେୟ ଦେଇଛନ୍ତି ନବୀନ । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରୁଛନ୍ତି ବୋଲି ନବୀନ କହିଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, ସେ ଫିଟ ରହିବା ପାଇଁ ପ୍ରତିଦିନ ଅଳ୍ପ ଖାଦ୍ୟ ସହ ବ୍ୟାୟାମ କରୁଛନ୍ତି ।

ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ମନ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଫେଷ୍ଟିଭାଲରେ ସମ୍ପାଦକ ପ୍ରଭୁ ଚାଓଲାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ମନକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମାଜିକ ପରିବର୍ତ୍ତନ ପାଇଁ ସାହିତ୍ୟ ଅପରିହାର୍ଯ୍ୟ । ସାହିତ୍ୟର ଆବଶ୍ୟକତା ସହ ଅନେକ ପଥିତଯଶା ସାହିତ୍ୟିକଙ୍କୁ ମନେ ପକାଇଥିଲେ ନବୀନ । ସାରଳା ମହାଭାରତ ଓଡିଆ ସାହିତ୍ୟର ପରିବର୍ତ୍ତନର ବାହକ । ନିଜ ଅଭିଭାଷଣରେ ନାରୀ ଶିକ୍ଷା କଥା ଉଠାଇ ଫକୀରମୋହନ ସେନାପତିଙ୍କ କଥା କହିଥିଲେ ନବୀନ । ତେବେ ମଞ୍ଚରେ ପ୍ରଭୁ ଚାଓଲାଙ୍କ ବିଭିନ୍ନ ପ୍ରଶ୍ନରେ ଉତ୍ତର ରଖିଥିଲେ ନବୀନ । ନିଜ ସରକାରର ସଫଳତାର ମନ୍ତ୍ର କହିଥିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ପାଇଁ କାମ କରୁଥିବାରୁ ଆଉ ଲୋକଙ୍କ ସହ ଜଡିତ ଥିବାରୁ ଆମେ ଲୋକଙ୍କ ଭରସା ଜିତି ସରକାର ଗଢୁଛୁ । ଏହା କୌଣସି ମ୍ୟାଜିକ ନୁହେଁ ବରଂ ଭଲ ଟିମ ୱାର୍କ ପାଇଁ ସମ୍ଭବ ହେଉଛି ବୋଲି ଉତ୍ତର ରଖିଥିଲେ ନବୀନ ।

ତେବେ ସବୁ କାର୍ଯ୍ୟରେ କେନ୍ଦ୍ର ସହ ଆମେ ସମନ୍ୱୟ ରଖିବାରେ ବିଶ୍ୱାସ କରୁ । ଏହା ସହ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଥିଲେ ନବୀନ । ନବୀନ ଓଡିଶାର ବିରାଟ କୋହଲି ? ଚାଓଲାଙ୍କ ପ୍ରଶ୍ନରେ ଉତ୍ତର ରଖି ନବୀନ କହିଥିଲେ ମୁଁ ବିରାଟଙ୍କ ବଡ ଫ୍ୟାନ । ତେବେ ନିଜ ବ୍ୟାୟାମ ସମ୍ପର୍କରେ ମତ ରଖିଥିଲେ ନବୀନ । ସେ କମ ଖାଆନ୍ତି ଆଉ ଦିନକୁ ୨ ଥର ବ୍ୟାୟାମ କରନ୍ତି ବୋଲି କହିଥିଲେ ।