ରାଜଧାନୀରେ ପିପିଲି ତାତି । ବିଜେପି ଓ ବିଜେଡି ମଧ୍ୟରେ ବାକଯୁଦ୍ଧ । ବାରମ୍ବାର ହାରି ନିରାଶ ଓ ହତାଶ ହୋଇଛି ବିଜେପି : ବିଜେଡି

ରାଜଧାନୀରେ ପିପିଲି ତାତି । ବିଜେପି ଓ ବିଜେଡି ମଧ୍ୟରେ ବାକଯୁଦ୍ଧ । ବାରମ୍ବାର ହାରି  ନିରାଶ ଓ ହତାଶ ହୋଇଛି ବିଜେପି : ବିଜେଡି

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଓ ଉପନିର୍ବାଚନମାନଙ୍କରେ ବାରମ୍ବାର ହାର  ବିଜେପି ଆଜି ଅତ୍ୟନ୍ତ ହତାଶ ଓ ନିରାଶ ଅବସ୍ଥାରେ ପହଞ୍ଚିଛି । ପିପିଲି ଉପନିର୍ବାଚନରେ ମଧ୍ୟ ବିଜେପି ନିଜର ପରାଜୟକୁ ଏକ ପ୍ରକାର ସ୍ୱୀକାର କରିସାରିଲାଣି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପି ଯେମିତି ଅଭ୍ୟାସଗତ ଭାବରେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରିବା ଓ ନିର୍ବାଚନ ଅଧିକାରୀଙ୍କ ଦପ୍ତରକୁ ଦୌଡ଼ିବାର ନାଟକ କରୁଥିଲା ବର୍ତ୍ତମାନ  ପିପିଲି ଉପନିର୍ବାଚନରେ ଅନୁରୂପ ନୀତି ଆପଣେଇଛି ।

ପାରମ୍ପାରିକ ଭାବେ ବିଜେପି ଟଙ୍କା ବାଣ୍ଟିବା ଓ ହିଂସାକାଣ୍ଡ ଭିଆଇବା କାର୍ଯ୍ୟରେ ଲିପ୍ତ ଥିଲାବେଳେ, ଦଳର ଦୁଇ ସହଯୋଗୀ ପିପିଲିରେ ୫୦ଲକ୍ଷ ଟଙ୍କା ସହିତ ଧରାପଡି ଏହାକୁ ପ୍ରମାଣ କରିଛନ୍ତି । ଏହି ଜାତୀୟ ଦଳକୁ ଯଦି ସମ୍ମାନ ଓ ଲଜ୍ଜା ଥାଆନ୍ତା ତେବେ ଏତେ ତଳ ସ୍ତରକୁ ଯାଇନଥାନ୍ତା ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ଓଡିଶାବାସୀଙ୍କ ପାଖରେ ଯେତେବେଳେ ବିଜେପି ଗ୍ରହଣୀୟ ହୋଇ ପାରୁନାହିଁ ସେତେବେଳେ ଗଣମାଧ୍ୟମରେ ରହିବା ପାଇଁ ଏ ପ୍ରକାରର ସାମ୍ବାଦିକ ସମ୍ମିଳନୀ କରି ମିଛ ଓଗାଳୁଛି ।

ତେବେ ବିଜେପିର ଏଭଳି କାର୍ଯ୍ୟକୁ ପିପିଲିବାସୀ ଭଲଭାବେ ବୁଝିଛନ୍ତି ଏବଂ ପୂର୍ବ ଉପନିର୍ବାଚନଗୁଡିକ ଭଳି ଏଠାରେ ମଧ୍ୟ ବିଜେପିକୁ ପରାଜୟର ବାଟ ଦେଖାଇବାକୁ ସ୍ଥିର କରିଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି । କହିରଖୁ କି ଗତକାଲି ପିପିଲି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ପ୍ରଚାର କରିବା ପରେ ଆଜି ରାଜ୍ୟ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବା ସହ ବିଜେଡିକୁ ଟାର୍ଗେଟ୍ କରିଥିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe