କନକ ବ୍ୟୁରୋ : ଶତ୍ରୁ ଶିବିରରେ ହାହାକାର ପଡିଯିବ, ଯେତେବେଳେ ଭାରତୀୟ ସେନା MRSAM ମିସାଇଲରେ ଆକ୍ରମଣ କରିବ । କ୍ଷଣିକରେ ସବୁକିଛି ଧ୍ୱଂସ କରିଦେବ, ଆଉ ଥରେ ଏହା ଲଞ୍ଚ ହେଲା ମାତ୍ରେ ଶତ୍ରୁଙ୍କୁ ମିଳିବନି ନିସ୍ତାର । ଆଉ ଏହା ପଛର ବଡ କାରଣ ହେଉଛି ଏହି ଘାତକ ମିସାଇଲର ସଠିକ ଲକ୍ଷ୍ୟଭେଦ । ଏହା ଭିତରେ ଦୁଇଥର ପରୀକ୍ଷଣ ସରିଲାଣି, ଖୁବଶୀଘ୍ର ଭାରତୀୟ ସେନା ଏହାକୁ ବ୍ରହ୍ମାସ୍ତ୍ର ଭାବେ ସାମିଲ କରିବ । ଆଉ ଏହି ମିସାଇଲ ସେନାରେ ସାମିଲ ହେବା କ୍ଷଣି ପଡୋଶୀ ଶତ୍ରୁ ଦେଶ ଥରହର ହେବେ । କାରଣ ଏହାର ଷ୍ଟ୍ରାଇକ ରେଞ୍ଜ ହିଁ ଏହି ମିସାଇଲକୁ ଘାତକ କରିଛି ।
ଡିଆରଡିଓ ଓ ଇସ୍ରାଏଲ ଏରୋସ୍ପେଶ ଇଣ୍ଡଷ୍ଟ୍ରିଜର ମିଳିତ ସହଯୋଗରେ ଏହି ହାଲୁକା କ୍ଷେପଣାସ୍ତ୍ର ବିକଶିତ କରାଯାଇଛି । ଗତ ୨୭ ତାରିଖରେ ଏହାର ପରୀକ୍ଷଣ ହୋଇଥିବା ବେଳେ ବୁଧବାର ମଧ୍ୟ ବାଲେଶ୍ୱରର ଚାନ୍ଦିପୁରରେ ଆଇଟିଆରରୁ ସ୍ଥଳପଥରୁ ଆକାଶପଥକୁ ଷ୍ଟ୍ରାଇକ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର MRSAMର ଆର୍ମି ସଂସ୍କରଣର ସଫଳ ପରୀକ୍ଷଣ ସରିଛି । ଏହି ପରୀକ୍ଷଣ ସମୟରେ ଘାତକ ମିସାଇଲ MRSAM ଏକ ମାନବ ବିହୀନ ବିମାନକୁ ସଠିକ୍ ଟାର୍ଗେଟ କରି ଧ୍ୱଂସ କରିଥିଲା । ଯାହା ଭାରତୀୟ ସେନା ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛି ଏବଂ ଶତ୍ରୁ ଶିବିରରେ ଭୟ ସୃଷ୍ଟି କରିଛି ।
#WATCH | Medium-Range Surface-to-Air Missile Army weapon system completed its development trials as 2 missiles. During flight tests, it achieved direct hits against high-speed aerial targets at Integrated Test Range, Chandipur off the coast of Odisha on March 30.
(Source: DRDO) pic.twitter.com/WFkqFSvlq3
— ANI (@ANI) March 30, 2022
ଏହି ଘାତକ ମିସାଇଲର ଓଜନ ୨୭୫ କିଲୋଗ୍ର୍ରାମ ରହିଛି । ଅଥାର୍ତ ଏହାକୁ ବେଶ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯାଇହେବ । ଏହାର ଲମ୍ବ ୪.୫ ମିଟର ରହିଥିବା ବେଳେ ଚଉଡା ୦.୪୫ ମିଟର ରହିଛି । ଅଥାର୍ତ ଏହା ବେଶ ହାଲୁକା ମିସାଇଲ । ସେହିଭଳି ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ଏହି ମିସାଇଲ ୧୦୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ବେଶ ସହଜରେ ଧ୍ୱଂସ କରିପାରିବ । ସେହିଭଳି ଖରାପ ପାଗରେ ମଧ୍ୟ ଏହି ମିସାଇଲ ୭୦ କିଲୋମିଟର ପରିଧିରେ ଥିବା ଟାର୍ଗେଟକୁ ଧ୍ୱଂସ କରିବାକୁ ସକ୍ଷମ । ସବୁଠୁ ବଡ କଥା ହେଲା, ଏହି ମିସାଇଲର ରେଞ୍ଜରେ ଶତ୍ରୁ ପକ୍ଷର କୌଣସି ଯୁଦ୍ଧ ବିମାନ, ଡ୍ର୍ରୋନ କିମ୍ବା ମିସାଇଲ ଆସିଲେ ଧ୍ୱଂସ ପାଇବା ନିଶ୍ଚିତ । କାରଣ ଏହାର ସଠିକ ଲକ୍ଷ୍ୟଭେଦରୁ ବର୍ତ୍ତିବା ସହଜ ନୁହେଁ ।
ସବୁଠୁ ବଡ କଥା ହେଉଛି, ଏମଆରଏସଏଏମ ମିସାଇଲରେ ରେଡିଓ ଫ୍ରିକ୍ୱେନସି ସ୍ପିକର ଲାଗିଛି । ଯଦି ଶତ୍ରୁ ପକ୍ଷରୁ ଯୁଦ୍ଧ ଯାନ ରାଡାରକୁ ଚକମା ଦେବାକୁ କେବଳ ରେଡିଓର ବ୍ୟବହାର କରୁଥିଲେ ମଧ୍ୟ ଏହି ଘାତକ ମିସାଇଲର ଟାର୍ଗେଟରୁ ବଞ୍ଚିପାରିବ ନାହିଁ । ଘଣ୍ଟାକୁ ପ୍ରାୟ ୨୪୪୮ କିଲୋମିଟର ବେଗରେ ଗତି କରୁଥିବା ଏହି ମିସାଇଲ ଶତ୍ରୁ ଶିବିରକୁ ଅତି ପାଖରୁ କ୍ଷଣିକରେ ଧ୍ୱଂସ କରିପାରିବ । ଶତ୍ରୁକୁ ପିଛା କରିବା ଓ ଏହାର ବେଗ କାରଣରୁ ଏହି ମିସାଇଲ ଏବେ ଭାରତୀୟ ସେନାର ନୂଆ ବ୍ରହ୍ମାସ୍ତ୍ର ସାଜିଛି । ୨୦୨୩ ସୁଦ୍ଧା ଏହାକୁ ବିଭିନ୍ନ ସ୍ଥାନରେ ସେନା ପକ୍ଷରୁ ନିୟୋଜିତ କରାଯିବ ।