ସଫଳ ମହିଳା ଚାଷୀ ବିଣାପାଣି । ଉଦ୍ୟାନ ଚାଷରୁ ପାଇଛନ୍ତି ସଫଳତା । ବିଭିନ୍ନ କିସମର ଆମ୍ବ ଚାଷରୁ କରୁଛନ୍ତି ଭଲ ରୋଜଗାର 

123

କନକ ବ୍ୟୁରୋ: ବାଡ଼ିରେ ଧାଡ଼ି ଧାଡ଼ି ହୋଇ ଲାଗିଛି ବିଭିନ୍ନ କିସମର ଆମ୍ବ ଗଛ  ।  ବିଭିନ୍ନ କିସମର ଅନ୍ୟ ଫୁଲ ଓ ଫଳ ଗଛ ମଧ୍ୟ ଶୋଭାପାଉଛି । ନିଜ ଉଦ୍ୟମ ଓ ପରିଶ୍ରମ ଜରିଆରେ ଏହି ସବୁଜିମା ସୃଷ୍ଟି କରିଛନ୍ତି ବିଣାପାଣି  । ତାଙ୍କ ବାଡ଼ିରେ ବାଇଗଣ ପଲେଇ, ତୋଟା ପଲେଇ, ଆମ୍ରପାଲୀ, ଦଶେରୀ, ହିମସାଗର ପରି କିସମର ୩ ଶହରୁ ଅଧିକ ଆମ୍ବ ଗଛ ରହିଛି  । ଏହି ସବୁ ଗଛରୁ ପ୍ରତିବର୍ଷ କୁଇଂଟାଲ କୁଇଂଟାଲ ଆମ୍ବ ଫଳିଥାଏ  । ଭଦ୍ରକ, ଭୁବନେଶ୍ୱର, କଟକ, ବାଲେଶ୍ୱର ଆଦି ବିଭିନ୍ନ ସହରରୁ ବ୍ୟବସାୟୀମାନେ ଆସି ବିଣାପାଣିଙ୍କ ଠାରୁ ଆମ୍ବ କିଣିନେଇଥାନ୍ତି  । ଆଉ ଏଥିରୁ ବର୍ଷକୁ ତାଙ୍କର ୩ରୁ ୪ ଲକ୍ଷ ଟଙ୍କାର ରୋଜଗାର ହୋଇଥାଏ  ।

ଏହି ଚାଷରେ ସ୍ୱାମୀ ବେଣୁଧର ସାହୁଙ୍କ ସହଯୋଗ ବିଣାପାଣିଙ୍କୁ ସବୁବେଳେ ଆଗକୁ ବଢ଼ିବାରେ ସହାୟକ ହୋଇଛି  । ବେଣୁଧର ବୃତିରେ ଶିକ୍ଷକ ହୋଇଥିବା ବେଳେ ତାଂକର ଗଛ ପ୍ରତି ଭଲ ପାଇବା ରହିଛି  । ସେ ପ୍ରତିବର୍ଷ କିଛି ଚାରା କିଣିଆଣନ୍ତି, ଆଉ ଏହି ସବୁ ଚାରାକୁ ବିଣାପାଣି ବାଡ଼ିରେ ଲଗାଇଥାନ୍ତି  । ଏହିପରି ଆରମ୍ଭ ହୋଇଥିଲା ବିଣାପାଣିଙ୍କ ଫଳଚାଷ  । ତେବେ ସେତେବେଳେ ପାଣିର ସମସ୍ୟା ଥିଲା, ଏପରିକି ଏକ କିଲୋମିଟର ଦୂରରୁ ଗରାରେ ପାଣିଆଣି ସେ ଚାରାଗୁଡ଼ିକୁ ପାଣି ଦେଉଥିଲେ  । ଫଳଚାଷ ସହ ସେ ଏବେ ଦୁଇଟି ବ୍ରୟଲର କୁକୁଡ଼ା ଫାର୍ମ ଓ ଗୋଟିଏ ଦେଶୀ କୁକୁଡ଼ା ଫାର୍ମ ଆରମ୍ଭ କରିଛନ୍ତି  ।