ନବରଙ୍ଗପୁର ଚାଷୀଙ୍କ ପାଇଁ ନୂତନ ସମ୍ଭାବନା ଆଣିଛି ରାଣୀ ସପୁରୀ ଚାଷ । ପରୀକ୍ଷାମୂଳକ ରାଣୀ ସପୁରୀ ଚାଷ ହୋଇଛି ସଫଳ, ଏକର ପିଛା ଦୁଇ ଲକ୍ଷ ଯାଏଁ ହୋଇପାରିବ ରୋଜଗାର ।

335

କନକ ବ୍ୟୁରୋ : କରୋନା କାଳରେ ନବରଙ୍ଗପୁର ଚାଷୀଙ୍କ ପାଇଁ ନୂତନ ସମ୍ଭାବନା ଆଣିଦେଇଛି ରାଣୀ ସପୁରୀ ଚାଷ । ନବରଙ୍ଗପୁର ଚାଷୀଙ୍କ ଆୟ ବଢ଼ାଇବା ନେଇ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ରାଣୀ ସପୁରୀ ଚାଷ ଆରମ୍ଭ ହୋଇଥିଲା । ଏବେ ଏହି ପରୀକ୍ଷା ସଫଳ ହୋଇଛି । ଏହି ଚାଷରୁ ଏକର ପିଛା ବାର୍ଷିକ ପ୍ରାୟ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ପାଇପାରିବେ ।

ନବରଙ୍ଗପୁର ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ଆଣିଛି ରାଣୀ ସପୁରୀ ଚାଷ । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ସରୁଗୁଡା ସ୍ଥିତ ଗୋବିନ୍ଦାଳୟର କୃଷିଧାମ ଠାରେ ପରୀକ୍ଷା ମୁଳକ ଭାବେ ଆରମ୍ଭ ହୋଇଥିବା ସୁସ୍ୱାଦୁ ରାଣୀ କିସମର ସପୁରୀ ଚାଷ ସଫଳ ହୋଇଛି । ଏହି ନର୍ସରୀ ରୁ ଚାରା ଉତ୍ପାଦନ କରାଯାଇ ସାରା ଜିଲ୍ଲାରେ ଚାଷୀଙ୍କୁ ପ୍ରତ୍ସାହିତ କରିବା ଯୋଜନା ରହିଛି । ରାଣୀ ସପୁରୀ ଚାଷ ପାଇଁ କମ୍ ତାପମାତ୍ରା , ଭଲ ବର୍ଷା, ବାଲି ଓ ପଟୁମାଟ ଆବଶ୍ୟକ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଅନୁକୂଳ ଜଳବାୟୁଓ ମାଟି ରହିଛି । ଏହି କୁଇନ କିସମ ସପୁରୀର ସ୍ୱାଦ ଖୁବ୍ ଭଲ, ଏହାସହ ଗୋଟିଏ ଚାରାରୁ ଅଧିକ ଚାରା ବାହାରେ । ଏହି ସପୁରୀରର ଚାହିଦା ବଜାରରେ ବି ଭଲ ରହିଛି ।

ରାଣୀ କିସମ ସପୁରୀ ସାଧାରଣତଃ ତ୍ରିପୁରା ଭଳି ରାଜ୍ୟ ଗୁଡିକରେ ଚାଷ କରାଯାଇଥାଏ । ତେବେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ପକ୍ଷରୁ ନବରଙ୍ଗପୁରରେ ପରୀକ୍ଷାମୂଳକ ଭାବେ ଏହାକୁ ଆରମ୍ଭ କରାଯାଇଥିଲା । ବର୍ଷ ସାରା ପଡିଆ ହୋଇ ପଡି ରହୁଥିବାରୁ ଅବ୍ୟବହୃତ ଜମି ଓ ଆମ୍ବ ଚାଷ କରୁଥିବା ପଡିଆ ଗୁଡିକରେ ମଧ୍ୟ ଏହି ସପୁରୀ ଚାଷ କରାଯାଇପାରିବ । ବର୍ତମାନ ପରୀକ୍ଷାମୂଳକ ଭାବେ ଅଳ୍ପ ଜମିରେ ଚାଷ କରାଯାଇଥିବା ବେଳେ ଏହି ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି ।

ଏବେ ପ୍ରାୟ ଏକ ହଜାର ଚାରା ଲଗାଯାଇଥିବା ବେଳେ ଆସନ୍ତାବର୍ଷ ଏଥିରୁ ପ୍ରାୟ ୫ ହଜାର ଚାରା ବାହାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାଣୀ କିସମ ସପୁରୀ ଚାଷ ଭଲ ରୋଜଗାର ଦେଇପାରିବ । ଏପରିକି ଜଣେ ଚାଷୀ ଏକର ପିଛା ବର୍ଷକୁ ପ୍ରାୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବ ବୋଲି କହିଛନ୍ତି କୃଷି ବିଶେଷଜ୍ଞ । ଏହାସହ ଜିଲ୍ଲାରେ ଖୁବ ଶୀଘ୍ର ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯାଇ ସେଇଠି ସପୁରୀରୁ ଜୁସ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଉଛି ।