କନକ ବ୍ୟୁରୋ: ମୃତ୍ୟୁ ଏମିତି ବି ଆସେ । କେହି କେବେବି କଳ୍ପନାରେ ଭାବିନଥିବେ । ଯେଉଁ ପଦ ଧରି ସେ ଗୀତ ଗାଉଥିଲେ ସେହି କଥା ସତ ହେବ ଆଉ ସବୁଦିନ ପାଇଁ ସେ ଚିରନିଦ୍ରାରେ ଶୋଇପଡିବେ । ଏ ଘଟଣାକୁ ସହଜରେ ବିଶ୍ୱାସ କରିହେଉନି । ମଙ୍ଗଳବାର କୋଲକାତାରେ ଲାଇଭ କନସର୍ଟରେ ଦର୍ଶକଙ୍କୁ ମନୋରଂଜନ କରୁଥିବା ବେଳେ ଲୋକପ୍ରିୟ ବଲିଉଡ ଗାୟକ କେକେ ଏଭଳି ହଠାତ ମୃତ୍ୟୁକୋଳକୁ ଚାଲିଯିବେ ସେକଥା ହୁଏତ କେହିବି କଳ୍ପନାରେ ସୁଦ୍ଧା ଭାବିନଥିବେ । ଏହି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ପ୍ରକୃତ ନାମ କ୍ରିଷ୍ଣକୁମାର କୁନ୍ନଥ । ସେ କେକେ ନାମରେ ନିଜ ପ୍ରଶଂସକଙ୍କ ନିକଟରେ ପରିଚିତ ଥିଲେ । ବଲିଉଡର ଅନେକ ନାମୀଦାମୀ କଳାକାରଙ୍କ ପାଇଁ ଲୋକପ୍ରିୟ ଗୀତ ଗାଇ ସଂଗୀତ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ ।
କ୍ରିଷ୍ଣକୁମାର କୁନ୍ନଥ ଓରଫ କେକେ
୧୯୬୮ ମସିହା ଅଗଷ୍ଟ ୨୩ରେ ନୂଆଦିଲ୍ଲୀରେ କେକେ ଜନ୍ମ ଗ୍ରହଣ କରିଥିଲେ
ଦିଲ୍ଲୀର ସେଣ୍ଟ ମ୍ୟାରି ସ୍କୁଲ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ କେକେ
ପ୍ରଥମ ଥର ପାଇଁ ସେ ୧୯୯୬ ରେ ଗୁଲଜାରଙ୍କ ଛୋଡ ଆୟେ ହମ୍ ୱୋ ଗଲିଆଁ ଗୀତ ଗାଇଥିଲେ । ଏହା ଏକ ଫିଲ୍ମର ଗୀତ ଥିଲା
୧୯୯୯ରେ ହମ୍ ଦିଲ୍ ଦେ ଚୁକେ ସନମ୍ ଫିଲ୍ମର ତଡପ ତଡପ ଗୀତ ତାଙ୍କୁ ବଲିଉଡରେ କେକେଙ୍କୁ ଦେଇଥିଲା ନୂଆ ପରିଚୟ
୯ଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ମରାଠୀ, ବେଙ୍ଗଲୀ, ଆସାମୀ ଓ ଗୁଜରାଟୀ ଭାଷାରେ ୭ ଶହରୁ ଅଧିକ ଗୀତ ଗାଇଛନ୍ତି
ଅଭିଷେକ ବଚ୍ଚନଙ୍କ ଦସ ଫିଲ୍ମର ଟାଇଟେଲ ଟ୍ରାକ ଦସ୍ ବାହାନେ କରକେ ଲେ ଗେୟ ଦିଲ୍
ପ୍ରିୟଙ୍କା ଚୋପ୍ରା ଏବଂ ଅର୍ଜୁନ କପୁରଙ୍କ ଗୁଣ୍ଡେ ଫିଲ୍ମର ତୁନେ ମୋରି ଏଂଟ୍ରି ଇତ୍ୟାଦି ଅନେକ ଗୀତ ଗାଇଛନ୍ତି
୫ଥର ଫିଲ୍ମ ଫେୟାର ଆୱାର୍ଡ ପାଇଁ ମନୋନୀତ
୨୦୦୭ ସ୍କ୍ରିନ ଆୱାର୍ଡ ପାଇଁ ମନୋନୀତ, ୨୦୦୯ରେ ମିଳିଥିଲା ସ୍କ୍ରିନ ଆୱାର୍ଡ
୬ ଥର ଆଇଫା ଆୱାର୍ଡ ପାଇଁ ମନୋନିତ ମଧ୍ୟ ହୋଇଥିଲେ କେକେ
ସଂଗୀତ ଦୁନିଆରେ ଜଣେ ଲୋକପ୍ର୍ରିୟ ତଥା ଜଣାଶୁଣା କଣ୍ଠଶିଳ୍ପୀ ଭାବେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇଥିବା କେକେଙ୍କ ଜୀବନ ବଡ ସଂର୍ଘଷ ଅତିକ୍ରମ କରି ସଫଳତା ପାଇଥିଲା । ସଂଗୀତ ଦୁନିଆରେ ପାଦ ଦେବା ପୂର୍ବରୁ ଜଣେ ସେଲସ ଏକ୍ସଜିକ୍ୟୁଟିଭ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଭାଗ୍ୟର ବିଧାନ କିଛି ଅଲଗା ଥିଲା ସେଲସ ମ୍ୟାନରୁ ସେ ପାଲଟିଥିଲେ ପପୁଲାର ସିଙ୍ଗର । ମଙ୍ଗଳବାର ହଠାତ ଅସୁସ୍ଥତା ଅନୁଭବ କରିବା ପରେ କାର୍ଯକ୍ରମସ୍ଥଳରୁ ଡାକ୍ତରଖାନା ତାଙ୍କୁ ନିଆଯାଇଥିଲା ଓ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରଠୁ ଆଉ ଶୁଭିବନି କେକେଙ୍କ ଦମଦାର କଣ୍ଠରେ ଗୀତ । ତାଙ୍କ ଗୀତରେ ଝୁମିବେନି ଦର୍ଶକ,ଦୁଲୁକିବନି ମଂଚ । କାରଣ ସବୁଦିନ ପାଇଁ ନୀରବ ହୋଇଯାଇଛି କେକେଙ୍କ ସେହି ଯାଦୁଗରୀ ସ୍ୱର । ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ଲୋକପ୍ରିୟ ସିଙ୍ଗର କେକେ ।