କନକ ବ୍ୟୁରୋ: ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ସୃଷ୍ଟି କଲା ଇସ୍ରୋ। ମହାକାଶକୁ ଆଉ ଏକ ଆର୍ଥ ଅବଜରଭର ସାଟେଲାଇଟ୍ ପଠାଇ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର। ଏସଏସଏଲଭି – ଡି ଥ୍ରୀ ରକେଟ୍ ଜରିଆରେ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ କରାଯାଇଛି।

Advertisment

ଶ୍ରୀହରିକୋଟା ସ୍ଥିତ ଶତୀଶ ଧଓ୍ୱନ କେନ୍ଦ୍ରରୁ EOS-08ର ସଫଳ ସାଟେଲାଇଟ୍ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ପୃଥିବୀର କକ୍ଷପଥଠାରୁ ପ୍ରାୟ ୪୭୫ କିଲୋମିଟର ଦୂରରେ ସ୍ଥାପିତ ହେବ। ଏହା ଏକ ବର୍ଷ ପାଇଁ କାମ କରିବ। ଇଓଏସ-୦୮ ଉପଗ୍ରହ ଉତକ୍ଷେପଣର ଉଦ୍ଦେଶ୍ୟ ହେଉଛି ଏହା ପରିବେଶ ଏବଂ ବିପର୍ଯ୍ୟୟ ବିଷୟରେ ସଠିକ୍ ସୂଚନା ପ୍ରଦାନ କରିବ। ଇଓଏସ-୦୮ ଉପଗ୍ରହରେ ତିନୋଟି ପେଲୋଡ୍ ଅଛି। ଏଥିରେ ଇଲେକ୍ଟ୍ରୋ ଅପ୍ଟିକାଲ୍ ଇନଫ୍ରାଡ୍ ପେଲୋଡ୍ (ଇଓଆଇଆର), ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍-ରିଫ୍ଲେକ୍ଟୋମେଟ୍ରି ପେଲୋଡ୍ (ଜିଏନଏସଏସ-ଆର) ଏବଂ ଏସଆଇସି-ୟୁଭି ଡୋସିମିଟର ଅନ୍ତର୍ଭୁକ୍ତ। ଉତକ୍ଷେପଣ ପରେ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ଏହା ଏକ ବଡ଼ ଉପଲବ୍ଧି।

  • ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଲା ଇସ୍ରୋ
  • ଆର୍ଥ ଅବଜରଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ
  • ଭୂ-ପୃଷ୍ଠରୁ ୪୭୫ କି.ମି ଉପରେ ପୃଥିବୀ ଚାରିପଟେ ମାରିବ ଚକ୍କର
  • ପରିବେଶକୁ ନେଇ ଅନୁଧ୍ୟାନ କରିବ ଆର୍ଥ ଅବଜରଭେସନ୍ ସାଟେଲାଇଟ୍
  • ୧୭୫.୫ କେଜି ଓଜନ ବିଶିଷ୍ଟ ସାଟେଲାଇଟରେ ରହିଛି ତିନୋଟି ପେଲୋଡ୍ 

ବିପର୍ଯ୍ୟୟ ମନିଟରିଂ, ପରିବେଶ ମନିଟରିଂ ଇତ୍ୟାଦି କାର୍ଯ୍ୟଗୁଡ଼ିକ ପାଇଁ ପ୍ରତିଛବି କ୍ୟାପଚର କରିବାକୁ ଇଓଆଇଆର ପେଲୋଡ୍ ଡିଜାଇନ୍ କରାଯାଇଛି। ଏହି ପେଲୋଡ୍ ଦିନ ଏବଂ ରାତିରେ ଚିତ୍ର ସହଜରେ କ୍ୟାପଚର କରିପାରିବ। ସମୁଦ୍ର ପୃଷ୍ଠରେ ପବନକୁ ବିଶ୍ଳେଷଣ କରିବା, ମୃତ୍ତିକାର ଆର୍ଦ୍ରତାକୁ ଆକଳନ କରିବା, ବନ୍ୟା ଚିହ୍ନଟ କରିବା ପାଇଁ ରିମୋଟ ସେନ୍ସିଙ୍ଗ କ୍ଷମତା ପାଇଁ ଜିଏନଏସଏସ-ଆର ବ୍ୟବହୃତ ହେବ। ଏସଆଇସି ୟୁଭି ଡୋସିମିଟର ଗଗନୟାନ ମିଶନ୍ ପାଇଁ ଅତିବାଇଗଣି ରଶ୍ମୀ ଉପରେ ନଜର ରଖିବ।