ଭାରତୀୟ ଯୁଦ୍ଧ ଜାହାଜ ଗୁଡିକୁ ସୁରକ୍ଷା ଦେବ ଇସ୍ରାଏଲ ମିସାଇଲ! ଓଡିଶା ଉପକୂଳରେ ହେଲା ସଫଳ ପରୀକ୍ଷଣ

132

ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ( ଡିଆରଡିଓ) ପକ୍ଷରୁ ଆଜି ଇସ୍ରାଏଲ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏଲଆର-ସାମ ବା ବାରାକ-୮ ଏୟାର ଡିଫେନ୍ସ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହାକୁ ଭାରତୀୟ ନୌସେନାର ଆଇଏନଏସ-ଚେନ୍ନାଇରୁ ଓଡିଶା ଉପକୂଳରେ ନିକ୍ଷେପ କରାଯାଇଥିଲା । ଏହି ମିସାଇଲଗୁଡ଼ିକ ଭାରତୀୟ ଯୁଦ୍ଧଜାହଜ ଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବ ।

ଏହି ମିସାଇଲ କିଣିବା ପାଇଁ ଗତ ଅକ୍ଟୋବର ମାସରେ ଭାରତ ଇସ୍ରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରିଜ(ଆଇଏଆଇ)କୁ ୭୭୭ ନିୟୁତ ଡଲାରର(୫୬୮୭ କୋଟି ଟଙ୍କା) ଅତିରିକ୍ତ କଣ୍ଟ୍ରାକ୍ଟ ପ୍ରଦାନ କରିଥିଲା । ଏହା ଅନୁଯାୟୀ ଇସ୍ରାଏଲ କମ୍ପାନୀ ଭାରତୀୟ ନୌସେନାର ୭ଟି ଜାହାଜକୁ ଏଲଆର-ଏସଏଏମ ଏୟାର ଓ ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଇ ଦେବ । ରାଷ୍ଟ୍ରାୟତ ଡିଫେନ୍ସ ଇଲେକ୍ଟ୍ରୋନିକ୍ସ କମ୍ପାନି ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ(ବିଇଏଲ) ମାଧ୍ୟମରେ ଏହି କଣ୍ଟ୍ରାକ୍ଟ ଦିଆଯାଇଛି । ସୂଚନାଯୋଗ୍ୟ ଏଲଆରଏସଏମ (ବାରାକ ୮ ଫ୍ୟାମିଲିର ଅଂଶ) ଏକ ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ (ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ), ଯାହାର ବ୍ୟବହାର ଇସ୍ରାଏଲର ନୌସେନା ସହିତ ଭାରତୀୟ ନୌସେନା, ବାୟୁସେନା ଓ ସ୍ଥଳସେନା ବ୍ୟବହାର କରିଥାନ୍ତି । ଭାରତ ସହିତ ଏହି ରାଜିନାମା ପରେ ବାରାକ ୮ର ବିକ୍ରି ଗତ କିଛି ବର୍ଷରେ ୬୦୦ କୋଟି ଡଲାରରେ ପହଞ୍ଚିଛି ।