ପରିଣତ ବୟସରେ ସଫଳ ଚାଷୀ । ମାଛ, କୁକୁଡା ଓ ପରିବା ଚାଷ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

202

କନକ ବ୍ୟୁରୋ : ପରିଣତ ବୟସରେ ମାଛ, କୁକୁଡ଼ା, ପନିପରିବା ଚାଷ କରି ସଫଳତା ପାଇଛନ୍ତି ଯାଜପୁର ଦାନଗଦି ବ୍ଲକ ରଣାଗୁଣ୍ଡି ଗାଁର ଧୀରେନ୍ଦ୍ର ମହାନ୍ତ । ଯେଉଁ ବୟସରେ ଅନ୍ୟ ମାନଙ୍କ ଉପରେ ନିର୍ଭର କରିବା କଥା ସେହି ବୟସରେ ଜଣେ ସଫଳ ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ଏହି ଚାଷ କାମରେ ସେ ଏକା ନୁହଁନ୍ତି ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ସହଯୋଗ କରୁଥିବାର ଚିତ୍ର ଦେଖିବାକୁ ମିଳିଛି । ନିଜ ଜମିରେ ଲଗାଇଛନ୍ତି ବାଇଗଣ, କୁନ୍ଦୁରି, କଦଳୀ ଭଳି ପନିପରିବା । ଏହା ସହ ୨ ବର୍ଷ ହେଲା ବାୟାଫ୍ଲକ ପଦ୍ଧତିରେ ମାଛ ଚାଷ କରି ଭଲ ରୋଜଗାର କରୁଛନ୍ତି । ଏଥିପାଇଁ ସେ ତାଲିମ ମଧ୍ୟ ନେଇଛନ୍ତି । ପ୍ରଥମେ ୨ ଟି ବାୟୋଫ୍ଲକ ଜରିଆରେ ମାଛ ଚାଷ ଆରମ୍ଭ କରିଥିଲେ । ତା’ ପରଠାରୁ ଆଉ ପଛକୁ ଚାହିଁ ନାହାନ୍ତି ଧୀରେନ୍ଦ୍ର । ବର୍ତମାନ ୮ଟି ମାଛ କୁଣ୍ଡରେ ମାଛ ଚାଷ କରୁଛନ୍ତି । ଧୀରେନ୍ଦ୍ର ଏହି ସବୁ ଚାଷରୁ ମାସିକ ୮୦ ହଜାରରୁ ୧ଲକ୍ଷ ଟଙ୍କା ରୋଜଗାର କରିପାରୁଥିବା ସେ ପ୍ରକାଶ କରିଛନ୍ତି ।

ଧୀରେନ୍ଦ୍ରଙ୍କର କମ୍ ଜମି ଥିବାରୁ ଏଥିରେ ଚାଷବାସ କରି ଚଳିବା କଷ୍ଟକର ହୋଇପଡ଼ୁଥିଲା । କିଛି ନୂଆ କରିବା ଲକ୍ଷ୍ୟରେ ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ସଫଳତା ପାଇଛନ୍ତି । ତାଙ୍କ ଉଦ୍ୟମରେ ବାୟାଫ୍ଲକ୍ ପଦ୍ଧତିରେ ମାଛ ଚାଷ, ଦେଶୀ କୁକୁଡ଼ା ଚାଷ ଓ ପନିପରିବା ଚାଷ କରି ସେ ଆତ୍ମନିର୍ଭରଶିଳ ହୋଇପାରିଛନ୍ତି । ଉନ୍ନତ ଧରଣର ପନି ପରିବା ଓ ୫୦ରୁ ଉର୍ଦ୍ଧ କୁକୁଡ଼ା ପାଳନ କରି ଭଲ ଦି ପଇସା ରୋଜଗାର କରିପାରୁଛନ୍ତି । ନିଜେ ରୋଜଗାର କରିବା ସହ ଅନ୍ୟ ଯୁବକ ଓ ଏସଏଚଜି ମହିଳା ମାନଙ୍କୁ ତାଲିମ ମଧ୍ୟ ଦେଉଛନ୍ତି । ତାଙ୍କର ଏହି ପ୍ରୟାସକୁ ସ୍ଥାନୀୟ ଅଂଚଳର ଲୋକମାନେ ପ୍ରଶଂସା କରିଛନ୍ତି ।

ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ଯୋଗୁଁ ଏଭଳି ସଫଳତା ପାଇଛନ୍ତି ଧୀରେନ୍ଦ୍ର । ଏହି ଚାଷକୁ ଆଗକୁ ବଢାଇବାକୁ ଲକ୍ଷ୍ୟ ରଖିଛନ୍ତି ଯାଜପୁରର ସଫଳ ଚାଷୀ ।