କନକ ବ୍ୟୁରୋ : ଉଦ୍ୟାନ କୃଷି, ମତ୍ସ୍ୟ ବିଭାଗ ଓ କୃଷି ବିଭାଗ ସହାୟତାରେ ବହୁମୁଖୀ ଚାଷ କରୁଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡ଼ା ଗାଁର ଯୁବଚାଷୀ ସୁଧାଂଶୁ ଦାସ । ଗ୍ରାଜୁଏସନ୍ ପାସ କରିବା ପରେ ଚାକିରି ପଛରେ ନପଡ଼ି ପ୍ରଥମେ ଅଧା ଏକର ଜମିରେ ପନିପରିବା ଚାଷ ଆରମ୍ଭ କରିଥିଲେ । ପରବର୍ତି ସମୟରେ ଉଦ୍ୟାନ କୃଷି ଓ ମତ୍ସ୍ୟ ବିଭାଗ ସହାୟତାରେ ପନିପରିବା ସହ ମାଛ, କୁକୁଡ଼ା ଓ ଛତୁଚାଷ କଲେ । ଏଥରୁ ଭଲ ଲାଭ ମିଳୁଥିବା ବେଳେ ସ୍ଥାନୀୟ ଅଂଚଳରେ ଏବେ ସେ ଜଣେ ସଫଳ ଚାଷୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସବୁ ଚାଷରୁ ବର୍ଷକୁ ପାଖାପାଖି ୧୦ରୁ ୧୨ ଲକ୍ଷ ଟଙ୍କାର ରୋଜଗାର ମିଳୁଛି । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ୧୦ଟି ପରିବାରକୁ ସେ ରୋଜଗାର ଦେଇଛନ୍ତି ।
ଏବେ ସେ ୪ ଏକର ଜମିରେ ଉନ୍ନତ ଜ୍ଞାନ କୌଶଳରେ କଦଳୀ, କାକୁଡ଼ି, କଲରା, ଭେଣ୍ଡି, ଫୁଲକୋବି, ଲଙ୍କା ସଜାର ଚାଷ କରିଛନ୍ତି । ତାଙ୍କ ଜମିରୁ ଉତ୍ପାଦିତ ହେଉଥିବା ପନିପରିବା ସେ ସ୍ଥାନୀୟ ବଜାର ସହ ଅନ୍ୟ ଅଞ୍ଚଳକୁ ମଧ୍ୟ ପଠାଉଛନ୍ତି । ତାଙ୍କ ଜମିରେ ୧୦ରୁ ୧୨ ଶ୍ରମିକ କାମ କରି ରୋଜଗାର କରିପାରୁଛନ୍ତି । ପୂର୍ବରୁ ଏହି ଶ୍ରମିକ ମାନଙ୍କୁ ରୋଜଗାର କରିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡୁଥିଲା । ସୁଧାଂଶୁଙ୍କ ଜମିରେ କାମ କରି ରୋଜଗାର କରିପାରୁଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତି ।
ଡିପଲିଟର ପ୍ରଣାଳିରେ ବ୍ରଏଲର କୁକୁଡ଼ା ଫାର୍ମ କରିଛନ୍ତି ସୁଧାଂଶୁ । ୫୦୦ କୁକୁଡ଼ା ରହିବା କ୍ଷମତା ବିଶିଷ୍ଟ ଏହି ଫାର୍ମରେ ଖର୍ଚ୍ଚ ହୋଇଛି ୧ ଲକ୍ଷ ୮୦ ହଜାର ଟଙ୍କା । କୁକୁଡ଼ାକୁ ଖାଦ୍ୟ ଦେବା ଠାରୁ ଆରମ୍ଭ କରି ସମସ୍ତ କାମ ନିଜେ ତଦାରଖ କରନ୍ତି ଯୁବଚାଷୀ । ଏହି ଚାଷରୁ ତାଙ୍କୁ ଭଲ ଲାଭ ମିଳୁଥିବା ବେଳେ ଚାକିରି ଅପେକ୍ଷା ଚାଷ କରିବା ରୋଜଗାର କରିବାର ଏକ ଭଲ ମାଧ୍ୟମ ବୋଲି କୁହନ୍ତି ସଫଳ ଚାଷୀ ସୁଧାଂଶୁ ।