ଚାଷୀ ଆତ୍ମହତ୍ୟାର ଉପତ୍ୟକା ପାଇଁ ଶ୍ୟାମଘନଙ୍କ ସଞ୍ଜିବନୀ ! ବିଲରେ ବିନା ସାର, ବିଷରେ ଫଳାଉଛନ୍ତି ଫସଲ । ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ ବରଗଡ ଚାଷୀ

472

କନକ ବ୍ୟୁରୋ: ବିନା ସାରରେ ବିଲରେ ଫଳିବ ଫସଲ । ସାର, ବିଷ ନପକାଇ ବି ଭଲ ଚାଷ ହୋଇ ପାରିବ, ଅଧିକ ଉତ୍ପାଦନ ହୋଇ ପାରିବ । ଜୈବିକ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଛି । ଏହାକୁ ପ୍ରମାଣିତ କରିଛନ୍ତି ବରଗଡ ସହର ଉପକଣ୍ଠ ବାରଗାଡର ସଫଳ ଚାଷୀ ଶ୍ୟାମଘନ ପ୍ରଧାନ । ଜୈବିକ ପଦ୍ଧତିରେ ପନିପରିବା ଚାଷ କରି ଶ୍ୟାମଘନ କେବଳ ପ୍ରତିଷ୍ଠିତ ହୋଇଛନ୍ତି ତା ନୁହେଁ. ତାଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

ତେବେ ମାରାତ୍ମକ କ୍ୟାନ୍ସର ରୋଗକୁ ନେଇ ସାରା ଦେଶରେ ଚର୍ଚ୍ଚିତ ବରଗଡ ଜିଲ୍ଲା । ଚାଷରେ ଅତ୍ୟଧିକ ମାତ୍ରାରେ ସାର ଓ କୀଟନାଶକ ବ୍ୟବହାର ରୋଗ ବୃଦ୍ଧିର କାରଣ କୁହାଯାଉଛି । ତେଣୁ ଜୈବିକ ପଦ୍ଧତିରେ ଉତ୍ପାଦିତ ପନିପରିବା ଖାଇବା ପାଇଁ ପସନ୍ଦ କରୁଛନ୍ତି ଲୋକେ । ଆଉ ଲୋକଙ୍କ ଚାହିଦାକୁ ନଜରରେ ରଖି ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ବରଗଡ ଜିଲ୍ଲାର ଶ୍ୟାମଘନ ।

ଶ୍ୟାମଘନ ୨୦୦୭ ମସିହାରୁ ନିଜର ୪ ଏକର ଜମିରେ ପନିପରିବା ଚାଷ କରିଆସୁଛନ୍ତି । ଏବଂ ୮ ଏକର ଜମିରେ ଜୈବିକ ପଦ୍ଧତିରେ ଧାନଚାଷ କରି ବେଶ ଲାଭବାନ ହେଉଛନ୍ତି । ଶ୍ୟାମଘନ ନିଜ ଜମିରେ ଫୁଲକୋବି, ଟମାଟୋ, କାକୁଡି, ବାଇଗଣ, ଲଙ୍କା, ଗାଜର, ଝୁଡଙ୍ଗ ଭଳି ବିଭିନ୍ନ ଚାଷ କରୁଛନ୍ତି । ଆଉ ଏଥିରେ କୀଟନାଷକ ପ୍ରୟୋଗ ନକରିବା ପାଇଁ ଜୈବିକ ସାର ଓ ଔଷଧ ପ୍ରସ୍ତୁତ କରିଥାନ୍ତି ଶ୍ୟାମଘନ । ସେ ଦହି, ଗୁଡ, ବେସନ, ଗୋମୂତ୍ର, ଗୋବର, ମାଛକାତି ଏବଂ ବିଭିନ୍ନ ଗଛର ପତ୍ର ଓ ବକଳରୁ ଜୈବିକ ସାର ପ୍ରସ୍ତୁତ କରିଥାନ୍ତି ବରଗଡର ଏହି ସଫଳ ଚାଷୀ । ଶ୍ୟାମଘନଙ୍କ ସଫଳତା ଦେଖି ଏବେ ବାରଗାଡ ଗାଁର ଆଉ ୩୦ ଜଣ ଚାଷୀ ଜୈ÷ବିକ ଚାଷ କରୁଛନ୍ତି ।

ଜୈବିକ ପଦ୍ଧତିରେ ଚାଷ କରି ଯଦି ମାସକୁ ୫୦ ହଜାର ଟଙ୍କା ରୋଜଗାର କରି ହେବ ତେବେ କାହିଁକି ଅଧିକ ଉତ୍ପାଦନ ପାଇଁ ରସାୟନିକ ସାର ଓ କୀଟନାଶକ ବ୍ୟବହାର କରିବା ବୋଲି ଶ୍ୟାମଘନ କହିଛନ୍ତି । ତେବେ ଫସଲହାନୀ ଯୋଗୁଁ ଚାଷୀ ଆତ୍ମହତ୍ୟାକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ବରଗଡ ଜିଲ୍ଲା ପାଇଁ ଶ୍ୟାମଘନଙ୍କ ଜୈବିକ ଚାଷ ବେଶ ପ୍ରେରଣା ଦେବ ।