କନକ ବ୍ୟୁରୋ : ବଣ ପାହାଡ଼ ଘେରା ମେଘଡ଼େଗା ପଞ୍ଚାୟତର ଏକ ରାଜସ୍ୱ ଗ୍ରାମ ହେଉଛି ‘ତୁରୁଙ୍ଗାଗଡ଼’। ପ୍ରକୃତିମାତାର ଅନବଦ୍ୟ ଦାନ ସ୍ୱରୂପ ଜଳ, ଜମି, ଜଙ୍ଗଲ ଭଳି ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଏହି ଗାଁଟି। ଏହି ଗାଁର ଜଣେ ପରିଶ୍ରମୀ ଚାଷୀ ହେଉଛନ୍ତି ଧନୁର୍ଯ୍ୟ ମାଝୀ। ସେ ସ୍ଥାନୀୟ ବନସୁରକ୍ଷା ସମିତିର ସକ୍ରିୟ ସଦସ୍ୟ ମଧ୍ୟ। ବୟସ ତାଙ୍କର ୬୫। ପରିବାରରେ ସ୍ତ୍ରୀ, ଦୁଇପୁଅ, ବୋହୂ ଓ ନାତିନାତୁଣୀ। ପିଲାଟି ଦିନରୁ ଅତି ଅଭାବ ଅନଟନରେ ବଢ଼ିଥିବା ଧନୁର୍ଯ୍ୟ ଆଜି ଅଞ୍ଚଳର ଜଣେ ସଫଳ ଚାଷୀ। ପିଲାଦିନରୁ ସେ ଗ୍ରାମ ସଂଗଠନ ମଜବୁତ କରିବା ତଥା ଅଭିନବ ପ୍ରଣାଳୀରେ ଚାଷ କରିବା ପାଇଁ ଉଦ୍ୟମରତ ଥିଲେ। ଉତ୍ସାହ, ଉଦ୍ଦୀପନା ଓ ପ୍ରଖର ଇଚ୍ଛାଶକ୍ତି ତାଙ୍କ ପାଖରେ ଦେଖିବାକୁ ମିଳେ।
ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକ ଏବଂ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଲକ୍ଷ୍ୟଭିତ୍ତିକ ବିକାଶ କାର୍ଯ୍ୟକ୍ରମରେ ଧନୁର୍ଯ୍ୟ ଆମ୍ବ ବଗିଚା ପାଇଁ ଚାରା, ବାଡ଼ ତଥା ସାରର ସହାୟତା ପାଆନ୍ତି। ସେ ପୋଟଳ ଚାଷକରି ବାର୍ଷିକ ୩୦ ହଜାର ଟଙ୍କାରୁ ଅଧିକ ଆୟ କରୁଥିବା ବେଳେ ଆମ୍ବ ଓ କଦଳୀଚାଷରୁ ବାର୍ଷିକ ୫୦ ହଜାର ପର୍ଯ୍ୟନ୍ତ ଆୟ କରୁଛନ୍ତି। ଏହାଛଡ଼ା ମୁଗ, ଲଙ୍କା, ପିଆଜ, ଆଳୁ, ବିଲାତି, କଳରା, ଝୁଡ଼ଙ୍ଗ, ବାଇଗଣ ଆଦି ପନିପରିବା ଚାଷକରି ବର୍ଷକୁ ପ୍ରାୟ ଅଢ଼େଇରୁ ତିନିଲକ୍ଷ ଟଙ୍କା ଆୟ କରୁଛନ୍ତି। ସେହିପରି ୫ଟି ଗାଈ ଓ ୮ଟି ଛେଳି ରଖିଥିବା ବେଳେ କ୍ଷୀର ବ୍ୟବସାୟରୁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି। କୃଷିରୁ ଧନୁର୍ଯ୍ୟ ନିଜେ ସ୍ବାବଲମ୍ବୀ ହେବା ସହ ୮ ଜଣ ମହିଳା ଓ ୫ ଜଣ ପୁରୁଷଙ୍କୁ ମଧ୍ୟ ବର୍ଷସାରା କାମ ଯୋଗାଇ ଦେଉଛନ୍ତି। ସଘନ ଓ ମିଶ୍ରିତ କୃଷି ଯୋଗୁ ତାଙ୍କର ରୋଜଗାର ବଢ଼ିଛି। ତାଙ୍କର ପ୍ରଖର ଇଚ୍ଛାଶକ୍ତି, ଆପ୍ରାଣ ଉଦ୍ୟମ ଏବଂ ସେବକ ଓ ଆଇଟିଡିଏର ସହଯୋଗ ଯୋଗୁ ସେ ଜଣେ ସଫଳ ଚାଷୀ ହୋଇପାରିଛନ୍ତି ବୋଲି ଧନୁର୍ଯ୍ୟ ପ୍ରକାଶ କରନ୍ତି।
ଧନୁର୍ଯ୍ୟ ଜଣେ ଚାଷୀ କେବଳ ନୁହଁନ୍ତି। ସେ ଜଣେ ଉତ୍ସାହୀ ପରିବେଶପ୍ରେମୀ। ନିଜ ଗ୍ରାମର ଜଙ୍ଗଲ ସୁରକ୍ଷା ପାଇଁ ୧୯୯୩ ମସିହାରେ ଗ୍ରାମରେ ଏକ ବନସୁରକ୍ଷା ସମିତି ଗଠନ କରି ଜଙ୍ଗଲ ବିଭାଗର ସହାୟତା ଓ ପରାମର୍ଶକ୍ରମେ ଗାଁ ଜଙ୍ଗଲର ସୁରକ୍ଷା କରି ଆସୁଛନ୍ତି। ୨୦୦୭ ମସିହାରେ ଧନୁର୍ଯ୍ୟଙ୍କ ଉଦ୍ୟମରେ ଜଙ୍ଗଲ ଅଧିକାର କମିଟି ଗଠନ କରି ୫୪ ଜଣ ପାରମ୍ପରିକ ବନବାସୀଙ୍କୁ ମିଳିପାରିଛି ଜଙ୍ଗଲ ଅଧିକାର ଶିରୋନାମା। ନିଜେ ମଧ୍ୟ ୩.୭୫ ଏକର ଜମି ପାଇ ଚାଷକାର୍ଯ୍ୟରେ ସଂପୂର୍ଣ୍ଣ ମନୋନିବେଶ କରିଛନ୍ତି। ତୁରୁଙ୍ଗାଗଡ଼ ବନସୁରକ୍ଷା ସମିତିର ପ୍ରତ୍ୟେକ ସଭାରେ ସକ୍ରିୟ ଅଂଶ ଗ୍ରହଣ କରି ବିଭିନ୍ନ ଯୋଜନା ସଂପର୍କରେ ଅବଗତ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/farmer.jpg)