କନକ ବ୍ୟୁରୋ: ଟେଲରିଂ ଓ ଶାଳପତ୍ରରୁ ଠୁଙ୍ଗା କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବାଲେଶ୍ୱର ବସ୍ତା ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଘରର ସମସ୍ତ କାମ ସାରିବା ପରେ ଅବସର ସମୟକୁ ଅପବ୍ୟୟ ନକରି ସେହି ସମୟରେ ଠୁଙ୍ଗା ତିଆରି କରିବା ସହ କପଡା ସିଲେଇ କରୁଛନ୍ତି । ଏଥିରୁୁ ରୋଜଗାର ହେଉଥିବା ଅର୍ଥକୁ ପିଲାମାନଙ୍କର ପାଠପଢା ଖର୍ଚ୍ଚ ସହିତ ନିଜର ଆବଶ୍ୟକୀୟ ଖର୍ଚ୍ଚ ତୁଲାଇ ପାରୁଛନ୍ତି । ୨୦୨୦ ମସିହାରୁ ଆରମ୍ଭ ହୋଇଥିବା ବନଦୁର୍ଗା ଉତ୍ପାଦିକା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ପ୍ରଥମେ ମାସକୁ ୧୦୦ ଟଙ୍କା ଲେଖାଏଁ ସଞ୍ଚୟ କରି ସେହି ପଇସାରେ କପଡ଼ା ସିଲେଇ କରି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ । ସେହିପରି ଶକ୍ତି ସ୍ୱୟଂସହାୟକ ଗୋଷ୍ଠୀ ଏବଂ ବନସ୍ପତି ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନେ ମାସକୁ ୫୦ ରୁ ୧୦୦ ଟଙ୍କା ଲେଖାଏଁ ସଞ୍ଚୟ କରି ଶାଳପତ୍ରରରୁ ଠୁଙ୍ଗା ତିଆରି କରି ବ୍ୟବସାୟ ଆରମ୍ଭ କରିଛନ୍ତି । ଏହା ପରେ ମିଶନ ଶକ୍ତି ସହଯୋଗରେ ଏବେ ମହିଳାଙ୍କର ଏହି ବ୍ୟବସାୟ ବେଶ ଭଲ ଚାଲିଛି ।
ବାଲେଶ୍ୱର ଏବଂ କଲିକତାରୁ କଞ୍ଚାମାଲ ଆଣି କପଡ଼ା ସିଲେଇ କରି ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି ଏସଏଚଜି ମହିଳା । ସେହିପରି ଶାଳପତ୍ର ଠୁଙ୍ଗା ପ୍ରସ୍ତୁତ ପାଇଁ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ବାରିପଦା, ବିଶୋଇ, କରଞ୍ଜିଆ, ଶୁଳିଆପଦା ପ୍ରଭୃତି ସ୍ଥାନରୁ ଶାଳପତ୍ର ଆଣିଥାନ୍ତି । ସ୍ଥାନୀୟ ବସ୍ତା ବଜାରରୁ ଅନ୍ୟାନ୍ୟ ସାମଗ୍ରୀ କିଣି ଏଥିରୁ ଠୁଙ୍ଗା ପ୍ରସ୍ତୁତ ପରେ ସ୍ଥାନୀୟ ବ୍ୟବସାୟୀଙ୍କ ମାଧ୍ୟମରେ ଓଡିଶାର ବିଭିନ୍ନ ସ୍ଥାନରେ ବିକ୍ରି କରନ୍ତି । ଓଡ଼ିଶା ସହିତ ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଗୁଜୁରାଟ ପ୍ରଭୃତି ସ୍ଥାନରେ ବିକ୍ରି କରିଥାନ୍ତି । ଏକ ବସ୍ତା ଅର୍ଥାତ୍ ୨୧ ଶାହ ଠୁଙ୍ଗା ପ୍ରସ୍ତୁତ ପାଇଁ ୫ ଶହ ରୁ ୫୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୬୪୦ରୁ ୬୮୦ ଟଙ୍କାରେ ବିକ୍ରି ହୋଇଥାଏ । ଜଣେ ମହିଳା ଦୈନିକ ଏକ ବସ୍ତାରୁ ଦେଢ ବସ୍ତା ଠୁଙ୍ଗା ପ୍ରସ୍ତୁତ କରୁଛନ୍ତି । ଯାହାଦ୍ୱାରା ସେମାନେଇ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣରେ ସହାୟତା କରିପାରୁଛନ୍ତି । ମହିଳା ମାନଙ୍କର ଏପରି ଉଦ୍ୟମ ସେମାନଙ୍କୁ ଆତ୍ମନିର୍ଭର କରିପାରିଛି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।