କନକ ବ୍ୟୁରୋ: ବହୁଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡରେ ପୋଲିସକୁ ବଡ଼ ସଫଳତା ମିଳିଛି । ଋଷିକେଶର ଚିଲ୍ଲା କେନାଲରୁ ଅଙ୍କିତାଙ୍କ ମୃତଦେହକୁ ଜବତ କରିଛି ପୋଲିସ । ପରିବାର ଲୋକେ ମୃତଦେହ ଚିହ୍ନଟ କରିବା ପରେ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ୭ଦିନ ଧରି ନିଖୋଜ ଥିବା ଅଙ୍କିତାଙ୍କ ମୃତଦେହ ଖୋଜିବା ପାଇଁ ଏସଡିଆରଏଫ ଟିମର ଚିଲ୍ଲା ବ୍ୟାରେଜରେ ରେସ୍କ୍ୟୁ ଅପରେସନ୍ ଚଳାଇଥିଲା । ମୃତହେଦ ଖୋଜି ବାହାର କରିବା ପାଇଁ ଗଙ୍ଗା ନଦୀରେ ଥିବା ପଶୁଲୋକ ବ୍ୟାରେଜ ଖୋଲିବା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲା ପୋଲିସ ।
ଅଙ୍କିତା ହତ୍ୟାକାଣ୍ଡକୁ ନେଇ ତାତିଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତ ତଥା ପୁଲକିତ ଆର୍ଯ୍ୟଙ୍କ ରିସର୍ଟର ପଛ ଭାଗରେ ଥିବା ଆଚାର ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରିରେ ନିଆଁ ଲଗାଇ ଦେଇଛନ୍ତି । ଲୋକେ ପ୍ରଥମେ ଏଠାରେ ଭଙ୍ଗାରୁଜା କରିଥିଲେ, ଆଉ ପରେ ନିଆଁ ଲଗାଇ ଦେଲେ । ଲୋକଙ୍କ ମନରେ ଅଙ୍କିତାଙ୍କ ହତ୍ୟାକୁ ନେଇ ଏତେ ଆକ୍ରୋଶ ରହିଛି ଯେ ସେମାନେ ବିଜେପି ବିଧାୟକ ରେଣୁ ବିଷ୍ଟଙ୍କ କାର୍ ମଧ୍ୟ ଭାଙ୍ଗିଦେଇଛନ୍ତି । ଏହି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ ଦାବି କରିଛନ୍ତି ।
ସେପଟେ ପୂରା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକାରୀଙ୍କ ସହ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା କୌଣସି ସାଧାରଣ ଘଟଣା ନୁହେଁ । ଯେଉଁମାନେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି, ସେମାନଙ୍କୁ ଆଦୌ ଛଡ଼ାଯିବ ନାହିଁ । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସବୁ ପ୍ରଚେଷ୍ଟା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗତ ୧୮ ତାରିଖରୁ ନିଖୋଜ ଥିଲେ ଅଙ୍କିତା । ପୋଲିସ୍ ଏହି ମାମଲାରେ ବିଜେପି ନେତାଙ୍କ ପୁଅ ଆର୍ଯ୍ୟ ପୁଲକିତଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି । ରିସର୍ଟ ମାଲିକ ଆର୍ଯ୍ୟ, ମ୍ୟାନେଜର ସୌରଭ ଭାସ୍କର ଓ ସହକାରୀ ମ୍ୟାନେଜର ଅଙ୍କିତ ଗୁପ୍ତା ସ୍ୱୀକାର କରିଥିଲେ ଯେ, ବ୍ୟକ୍ତିଗତ ବିବାଦ କାରଣରୁ ସେମାନେ ‘ରିସେପସନିଷ୍ଟ’ଙ୍କୁ ରିସର୍ଟ ନିକଟରେ ଥିବା କେନାଲକୁ ଠେଲି ଦେଇଥିଲେ । ଆଉ କେନାଲରେ ବୁଡ଼ି ଅଙ୍କିତା ପ୍ରାଣ ହରାଇଥିଲେ ।