ଯୁବକଙ୍କ ପାଇଁ ପ୍ରେରଣା କେନ୍ଦୁଝରର ଦିବ୍ୟଲୋଚନ। ନିଜ ବାପାଙ୍କ ଚାଷ ବୃତିକୁ ଆଦରୀ ନେଇ ସେଥିରେ ଦେଖିଥିଲେ ନିଜ ଭବିଷ୍ୟତର ସ୍ୱପ୍ନ ।

337

କନକ ବ୍ୟୁରୋ: ମାଟ୍ରିକ ପାଶ୍ ପରେ ପାଠରେ ଡୋରୀ ବନ୍ଧା ହେଲା । ଶିକ୍ଷାକୁ ପାଥେୟ କରି ରୋଗଜାର କରିବା ଥିଲା ଅସମ୍ଭବ । କିନ୍ତୁ ବେକାର ହୋଇ ପରିବାର ଉପରେ ବୋଝସହ ନିଜ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ନଦେଇ ଅନ୍ୟ ବୃତି ମାଧ୍ୟମରେ ବି ନିଜକୁ ସ୍ୱାବଲମ୍ବୀ କରାଯାଇପାରେ ତାହାର ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦୁଝର ମଇଦାନକେଲ ଅଂଚଳର ଜଣେ ଯୁବକ । ନିଜ ସ୍ୱଳ୍ପ ଜମିରେ ଆଧୁନିକ ପ୍ରଣାଳୀରେ ଚାଷ କରି ବେଶ ଦୁଇପଇସା ରୋଜଗାର କରିବା ସହ ନିଜ କ୍ଷେତରୁ ଦେଖୁଛନ୍ତି ଭବିଷ୍ୟତର ସ୍ୱପ୍ନ ।

କେନ୍ଦୁଝର ସଦର ବ୍ଲକ ମଇଦାନକେଲର ଯୁବକ ଦିବ୍ୟଲୋଚନ ମହାନ୍ତ । ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାଶ । ମାଟ୍ରିକ ପାଠପରେ ବେଶ କିଛିଦିନ ବେକାରୀ ରହିବାପରେ କିପରି ନିଜେ ସ୍ୱାବଲମ୍ବୀ ହୋଇପାରିବେ ନେଇ କରିଥିଲେ ଦୃତମନ । ନିଜ ବାପାଙ୍କ ଚାଷ ବୃତିକୁ ଆଦରି ନେଇ ସେଥିରେ ଦେଖିଥିଲେ ନିଜ ଭବିଷ୍ୟତର ସ୍ୱପ୍ନ । ମାତ୍ର ୬୦ ଡିସିମିଲ ଚାଷ ଜମିରେ ଆରମ୍ଭ କରିଥିଲେ ଚାଷ । ପ୍ରଥମେ ପ୍ରଥମେ ଚାଷରେ କ୍ଷତିି ହୋଇଥିଲେ ବି ଭାଙ୍ଗି ପଡିନଥିଲେ । ପରେ ଇସ୍ରାଇଏଲ ପଦ୍ଧତିରେ ଚାଷ କରିବାକୁ ମନ ବଳାଇ କୃଷି ବିଜ୍ଞାନ କେନ୍ଦ୍ରରୁ ତାଲିମ ଗ୍ରହଣ କରିଥିଲେ । ପରେ ଜମିକୁ ବନ୍ଧା ପକାଇ ବ୍ୟାଙ୍କରୁ ୧୮ଲକ୍ଷ ଟଙ୍କାର ଋଣ ନେଇ ଆଧୁନିକ ପ୍ରଶାଳୀରେ ଚାଷ ଆରମ୍ଭ କରିଥିଲେ ।

ପ୍ରଥମ ବର୍ଷ ବିଶେଷ ଲାଭ ହୋଇନଥିଲେ ବି ଭାଙ୍ଗି ନପଡି ନିଜ ଜିଦରେ ଅଟଳ ରହିଥିଲେ । ଆଜି ସେ ନିଜକୁ ଜଣେ ସଫଳ ଚାଷୀଭାବେ ଛିଡା କରିପାରେଇଥିବାବେଳେ । ଏବେ ଛତୁ, ବିଲାତି,ଝୁଡଙ୍ଗ,କାଶ୍ମିରି ଲଙ୍କା ଆଦି ଚାଷ ଦ୍ୱାରା ବେଶ ୨ପଇସା ରୋଜଗାର କରି ବ୍ୟାଙ୍କ ଋଣ ପରିଶୋଧ କରିବା ସହ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ତେବେ ଚାଷରେ କ୍ଷତି ହେଉଛି କହି ଏବେକାର ଯୁବପିଢୀ ଚାଷକାମକୁ ମୁହଁ ମୋଡୁଥିବାବେଳେ ସେମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏହି ଯୁବଚାଷୀ । ଆଗକୁ ଅଧିକ ଜମି ନେଇ ଚାଷକୁ ଆହୁରି ବ୍ୟାପକ କରିବାକୁ ଇଚ୍ଛା ରଖିଥିବା ଦିବ୍ୟଲୋଚନ ନିଜ ସଫଳତା ପାଇଁ ବାପାମାଆଙ୍କ ସହଯୋଗ ଏବଂ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି ।