କନକ ବ୍ୟୁରୋ: ବ୍ୟବସାୟରେ ବିଫଳତା ପରେ ଦୃଢ ସଙ୍କଳ୍ପ ଆଣିଦେଲା ସଫଳତା । ଚିନାବାଦାମ ସଂଗ୍ରହ କରି ପ୍ରୋସେସିଂ କରି ବିକ୍ରି କରିବା ବ୍ୟବସାୟରେ ବିଫଳ ହେବା ପରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉତ୍ପାଦନ ୟୁନିଟ କରି ଏବେ ଚଢୁଛନ୍ତି ସଫଳତାର ପାହାଚ । ଆମେ କହୁଛୁ ଯାଜପୁର ଜିଲ୍ଳା ଜାରକାର ଶିକ୍ଷିତ ଯୁବ ବ୍ୟବସାୟୀ ଦୀପକ ଜେନାଙ୍କ ସଫଳତାର କାହାଣୀ । ମାତ୍ର ପାଂଚ ଲକ୍ଷ ଟଙ୍କା ବିନିଯୋଗ କରି ଆରମ୍ଭ କରିଥିବା ଫୁଡ ପ୍ରୋସେସିଂ ୟୁନିଟ ଏବେ ଦୁଇ କୋଟିରେ ପହଂଚିଥିବା ବେଳେ ୩୦ରୁ ଚାଳିଶ ଜଣଙ୍କୁ ନିଯୁକ୍ତି ଦେଇ ଅନ୍ୟମାନଙ୍କ ପାଇଁ ସେ ସାଜିଛନ୍ତି ଉଦାହରଣ ।

Advertisment

ଧର୍ମଶାଳା ବ୍ଲକ ଜାରକାର ଦୀପକ କୁମାର ଜେନା । ବିଏ ପାସ୍ କରିବା ପରେ ବ୍ୟବସାୟ ପ୍ରତି ମନବଳାଇ ଆରମ୍ଭ କରିଥିଲେ ଚିନାବାଦାମ ପ୍ରସେସିଂ ବ୍ୟବସାୟ । ଏହି ବ୍ୟବସାୟରେ ବିଫଳ ହେବା ପରେ ସେ ଭାଙ୍ଗି ନପଡି ଆଉ ଏକ ନୂଆ ବ୍ୟବସାୟକୁ ଆପଣାଇ ଥିଲେ । ମାତ୍ର ୫ଲକ୍ଷ ଟଙ୍କାରେ ସେ ଜାରକା ଠାରେ ପାଂଚବର୍ଷ ତଳେ ଆରମ୍ଭ କରିଥିଲେ ଆଗ୍ରୋ ପ୍ରଂଟ ଅରଗାନିକ ଫୁଡ ୟୁନିଟ । ଏହି ୟୁନିଟରେ ବିଭିନ୍ନ କିସମର ଆଚାର, ଟମାଟୋ ସସ୍, ଚିଲି ସସ୍, ସଫ୍ଟ ଡ୍ରିଙ୍କସ, ଲିଚି, ଚାଓମିନ ପ୍ରସ୍ତୁତ ହେଉଛି । ଆଉ ଏବେ ବଜାରରେ ତାଙ୍କ ସାମଗ୍ରୀ ଚାହିଦା ଢ଼େର ଅଧିକ ରହିଛି । ବର୍ତମାନ ସୁଦ୍ଧା ସେ ନିଜ ୟୁନିଟରେ ୩୦ରୁ ୪୦ଜଣଙ୍କୁ ଆତ୍ମନିଯୁକ୍ତି ଦେଇପାରିଥିବା ବେଳେ ଭବିଷ୍ୟତରେ ୧୦୦ ଜଣଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଥିବା କୁହନ୍ତି ଦୀପକ ।

ଦୀପକଙ୍କ ଫୁଡ ପ୍ରୋସେସିଂ ୟୁନିଟରୁ ଉତ୍ପାଦିତ ସାମଗ୍ରୀର ବଜାରରେ ଚାହିଦା ବଢୁଥିବା ବେଳେ ରାଜ୍ୟର କଟକ, କେନ୍ଦ୍ରାପଡା, ଭଦ୍ରକ, ଖୋର୍ଦ୍ଧା, ଭୁବନେଶ୍ୱର, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର ସମେତ ୨୨ଟି ଜିଲ୍ଳାରେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଦୀପକଙ୍କ ୟୁନିଟରେ ପ୍ରସ୍ତୁତ ସାମଗ୍ରୀର ଗୁଣବତା ପାଇଁ ଅତ୍ୟାଧୁନିକ ଲ୍ୟାବରେ ଗୁଣବତା ପରୀକ୍ଷା କରାଯିବା ସହ ନିୟମିତ ଭାବେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପରାମର୍ଶ ନିଆଯାଇ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି ।