ଉଦାହରଣ ପାଲଟିଲେ ବିଜୟ । ୩୫ଟି ପରୀକ୍ଷାରେ ବିଫଳ ହେବା ପରେ ମଧ୍ୟ ଭାଙ୍ଗିନଥିଲା ମନୋବଳ, ୬ ବର୍ଷର କଠିନ ପରିଶ୍ରମ ପରେ ଆଇପିଏସ ଅଫିସର ବନିଲେ ବିଜୟ ।

1,789

ପରିଶ୍ରମର ଫଳ କେବେ ବୃଥା ଯାଏ ନାହିଁ । କଠିନ ପରିଶ୍ରମ ଦିନେ ନା ଦିନେ ସଫଳତା ଆଣିଦିଏ ତାହାର ଅନେକ ନଜିର ରହିଛି । ବିଫଳତା ଆଗରେ ମୁଣ୍ଡ ନ ନୁଆଁଇ ଯିଏ ବାରମ୍ବାର ପ୍ରୟାସ କରିଥାଏ ସଫଳତା ତାହାର ପଛ ଗୋଡାଇଥାଏ । ଆଉ ଏହାର ସଦ୍ୟ ଉଦାହରଣ ହେଉଛନ୍ତି ୨୦୧୯ ସିଭିଲ ସର୍ଭିସ ପରୀକ୍ଷାରେ ୧୦୪ତମ ର‌୍ୟାଙ୍କ ରଖିଥିବା ହରିୟାଣାର ବିଜୟ ବର୍ଦ୍ଧନ । ଯାହାଙ୍କ କାହାଣୀ ଅନେକ ଯୁବକଙ୍କୁ ନିଶ୍ଚିତ ପ୍ରେରିତ କରିବ । ବାରମ୍ବାର ବିଫଳ ହେବା ପରେ ମଧ୍ୟ ତାଙ୍କର ମନୋବଳ ଭାଙ୍ଗି ନଥିଲା ବରଂ ସଫଳତାର ସ୍ୱାଦ୍ ଚାଖିବା ପାଇଁ ଆହୁରି ପରିଶ୍ରମ ଓ ପ୍ରୟାସ କରି ଚାଲିଥିଲେ ବିଜୟ । ଆଉ ଶେଷରେ ଏବେ ଦୁନିଆ ତାଙ୍କର ସଫଳତାର କାହାଣୀ ବଖାଣୁଛି ।

ବିଜୟ ବର୍ଦ୍ଧନ । ହରିୟାଣାର ସିରସା ଜିଲ୍ଲାର ଏହି ଯୁବକଙ୍କ ସଫଳତାର କାହାଣୀ ଏବେ ପୂରା ଦେଶବାସୀଙ୍କ ମୁହଁରେ । ୟୁପିଏସସି ପରୀକ୍ଷାରେ ୧୦୪ ତମ ସ୍ଥାନ ଅଧିକାର କରିଥିବା ବିଜୟ ଏହା ପୂର୍ବରୁ ୩୫ଟି ପରୀକ୍ଷାରେ ବିଫଳ ହୋଇଛନ୍ତି । ଏପରିକି ୨୦୧୯ ପୂର୍ବରୁ ବିଜୟ ୪ ଥର ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ ମଧ୍ୟ ଏଥିରେ ସଫଳ ହୋଇପାରିନଥିଲେ । ଏପରିକି ପରିବାର ଲୋକ ମଧ୍ୟ ତାଙ୍କୁ ପରୀକ୍ଷା ନ ଦେବାକୁ ମଧ୍ୟ ବୁଝାଇଥିଲେ । କିନ୍ତୁ ପଞ୍ଚମ ପ୍ରୟାସ ବିଜୟଙ୍କ ବଡ ବିଜୟ ହୋଇଥିଲା । ଦୀର୍ଘ ଦିନର ପରିଶ୍ରମର ଫଳ ମିଳିଥିଲା । ସିଭିଲ ସର୍ଭିସ ପରୀକ୍ଷାରେ ୧୦୪ ତମ ସ୍ଥ୍ାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ବିଜୟ । ଆଉ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବିଜୟ ।

୨୦୧୩ରେ ବିଜୟ ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମ ଶେଷ କରିବା ପରେ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ମନ ବଳାଇଥିଲେ । ଆଉ ଏଥିପାଇଁ ଦିଲ୍ଲୀ ଚାଲି ଆସିଥିଲେ । ୨୦୧୪ରେ ବିଜୟ ପ୍ରଥମ ପ୍ରୟାସରେ ସିଭିଲ ସର୍ଭିସର ମେନ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । ୨୦୧୫ ଓ ୨୦୧୬ରେ ମଧ୍ୟ ବିଜୟଙ୍କର ସମାନ ଅବସ୍ଥା ହୋଇଥିଲା । ସିଭିଲ ସର୍ଭିସର ମେନ୍ ପରୀକ୍ଷାରେ ଫେଲ ହୋଇଥିଲେ । ୨୦୧୭ରେ ବିଜୟ ମେନ୍ ପରୀକ୍ଷା ପାସ୍ କରିଥିଲେ ମଧ୍ୟ ସାକ୍ଷାତକାରରେ ବିଫଳ ହୋଇଥିଲେ । ଆଉ ଏସବୁ ଭିତରେ ରାଜସ୍ଥାନ ସିଭିଲ ସର୍ଭିସ,ହରିୟାଣା ସିଭିଲ ସର୍ଭିସ, ଉତ୍ତର ପ୍ରଦେଶ ସିଭିଲ ସର୍ଭିସ, ଏଏସସି,ସିଜିଏଲରେ ମଧ୍ୟ ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ପ୍ରତ୍ୟେକ ପରୀକ୍ଷାରେ ପାସ୍ ନମ୍ବର ଠାରୁ ଅତି କମ ନମ୍ବର ବ୍ୟବଧାନରେ ଫେଲ୍ ହୋଇଯାଉଥିଲେ ବିଜୟ । କିନ୍ତୁ ଏହାପରେ ମଧ୍ୟ ହାର୍ ମାନିନଥିଲେ ବିଜୟ । ନିଜର ବିଜୟ ପାଇଁ ଦିନରାତି ଏକ କରି ଦେଇଥିଲେ । ଆଉ ଦୀର୍ଘ ୬ ବର୍ଷ ପରେ ସଫଳତାର ସ୍ୱାଦ ଚାଖିଥିଲେ ବିଜୟ ।