ଦିନେ ଛୋଟ କମ୍ପାନୀରେ ରିସେପସନିଷ୍ଟ ଭାବେ କରୁଥିଲେ କାମ, ଏବେ ହେଲେ ଆଇପିଏସ ଅଫିସର

294

କନକ ବ୍ୟୁରୋ: ଟ୍ୟାଲେଣ୍ଟ ଥିଲେ ବି ଆଇପିଏସ୍ ଅଫିସର ହେବା ଏତେ ସହଜ ନଥିଲା । କାରଣ ପ୍ରସ୍ତୁତି ପାଇଁ ଘର ଲୋକଙ୍କ ସମର୍ଥନ ଥିଲେ ବି ଆର୍ଥିକ ସହଯୋଗ ସମ୍ଭବ ହୋଇପାରିନଥିଲା । ତେଣୁ ପଢା ଖର୍ଚ୍ଚ ଉଠାଇବାକୁ କେବେ ପିଲାଙ୍କୁ ଟ୍ୟୁସନ୍ କରୁଥିଲେ ତ କେବେ ରିସେପସନିଷ୍ଟ ଭାବେ କାମ କରୁଥିଲେ । ଶେଷରେ ସଂଘର୍ଷ ଭିତରେ ସଫଳତାକୁ ଛୁଇଁଥିଲେ ଆଉ ବନିଯାଇଥିଲେ ଆଇପିଏସ୍ ଅଫିସର । ଆମେ କହୁଛୁ ଆଇପିଏସ୍ ପୂଜା ଯାଦବଙ୍କ କଥା ।

୧୯୮୮ ସେପ୍ଟେମ୍ବର ୨୦ରେ ହରିୟାଣାରେ ମାଟିରେ ଜନ୍ମ ନେଇଥିଲେ ପୂଜା ଯାଦବ । ପୂଜା ନିଜ ସ୍କୁଲ ଶିକ୍ଷା ସ୍ଥାନୀୟ ସ୍କୁଲରେ ଶେଷ ହେବା ପରେ ବାୟୋଟେକ୍ନୋଲୋଜି ଆଣ୍ଡ ଫୁଡ୍ ଟେକ୍ନୋଲୋଜିରେ ଏମଟେକ୍ କଲେ । ଏହାପରେ ତାଙ୍କୁ ଜର୍ମାନୀ ଓ କାନାଡାରେ ଚାକିରି ମିଳିଥିଲା । ସେଠାରେ କିଛି ଦିନ ଚାକିରି କରି ବେଶ ଖୁସି ରହିଥିଲେ ।

ହେଲେ ପରବର୍ତ୍ତୀ ସମୟରେ ପୂଜାଙ୍କ ମନ ଚାକିରିରେ ଲାଗି ନଥିଲା । ନିଜ ଦେଶ ପାଇଁ କିଛି କରିଯିବାର ଜୁନୁନ୍ ତାଙ୍କ ମନରେ ରହିଥିଲା । ତେଣୁ ସେଠାରୁ ଚାକିରି ଛାଡି ଭାରତ ଫେରିଆସିଥିଲେ ପୂଜା । ଆଉ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ହେଲେ ସେତେବେଳେ ୟୁପିଏସସି ପ୍ରସ୍ତୁତି ପାଇଁ ପରିବାର ପକ୍ଷରୁ ସମର୍ଥନ ମିଳିଥିଲେ ବି ବାପା ଆର୍ଥିକ ଭାବେ ସହଯୋଗ କରିବାକୁ ଅସମର୍ଥ ଥିଲେ । ତେଣୁ ପିଲାଙ୍କୁ ଟ୍ୟୁସନ୍ କରିବା ସହ ଏକ କମ୍ପାନୀରେ ରିସେପସନିଷ୍ଟ ଭାବେ କାମ ଆରମ୍ଭ କରିଥିଲେ ପୂଜା । ଏହି ସଂଘର୍ଷମୟ ଜୀବନ ଭିତରେ ୟୁପିଏସସି ପାଇଁ ତ୍ସ୍ୁତ ହେବା ପୂଜାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ହେଲେ ଏହାପରେ ବି ସଫଳତାର ଶୀର୍ଷରେ ପହଞ୍ଚିଥିଲେ ।

୨୦୧୭ରେ ପ୍ରଥମ ଥର ପାଇଁ ପୂଜା ୟୁପିଏସସି ପରୀକ୍ଷା ଦେଇଥିଲେ । ପ୍ରଥମ ଥର ତାଙ୍କୁ ନିରାଶା ମିଳିଥିଲେ ବି ଦ୍ୱିତୀୟ ଚେଷ୍ଟାରେ ତାଙ୍କୁ ମିଳିଥିଲା ସଫଳତା । ଟ୍ରେନିଙ୍ଗ ପରେ ତାଙ୍କୁ ପ୍ରଥମ ପୋଷ୍ଟିଂ ମିଳିଥିଲା ରାଜସ୍ଥାନର ଥରାଦ୍ ସୀମାରେ । ଥରାର ହେଉଛି ଏକ ସମ୍ବେଦନଶୀଳ ସ୍ଥାନ । ହେଲେ ଏହି ସ୍ଥାନରେ ବି ନିଜର କର୍ମନିପୁଣତାକୁ ବେଶ ପ୍ରମାଣିତ କରିପାରିଛନ୍ତି ଏହି ଲେଡି ଆଇପିଏସ୍ ।

ଗୁଜରାଟର ବନାସଗାଠା ଜିଲ୍ଲାର ଥରାଦ୍ ଏକ ଏପରି ଇଲାକା ଯେଉଁଠାରେ ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ଏକ ବଡ ଚ୍ୟାଲେଂଜ । କାରଣ ଏହାର ସୀମା ରାଜସ୍ଥାନ ଓ ପାକିସ୍ତାନକୁ ଲାଗି ରହିଛି । ତେଣୁ ଏଠାରେ ଅପରାଧିକ ମାମଲା ଅଧିକ । କିନ୍ତୁ ଅପରାଧିଙ୍କୁ ମାତ୍ ଦେବାକୁ ଏଠାରେ ଆଇନ ବ୍ୟବସ୍ଥା ପୂଜାଙ୍କ ହାତରେ ରହିଛି । ୨୦୧୮ ବ୍ୟାଚର ଆଇପିଏସ୍ ପୂଜା ଯାଦବ । ଇଣ୍ଟରନ୍ୟାସନାଲ ଟେରରିଜିମର ଏହି କ୍ଷେତ୍ରରେ କାମ କରି ଅନେକ ଅଭିଜ୍ଞତା ହାସଲ କରିବାକୁ ଥରାଦରେ ପ୍ରଥମ ନିଯୁକ୍ତିକୁ ସୌଭାଗ୍ୟ ବୋଲି ମନେ କରନ୍ତି । ଖାଲି ସେତିକି ନୁହେଁ ଅପରାଧ ପ୍ରବଣ ଥରାଦରେ ପୂଜା ହେଉଛନ୍ତି ପ୍ରଥମ ମହିଳା ଆଇପିଏସ୍ ଅଫିସର ।

ପୂଜା ଯାଦବଙ୍କ ସମ୍ପର୍କ ଏମିତି ରାଜ୍ୟ ସହ ଯେଉଁଠି ଏବେବି ପୁଅ ଓ ଝିଅଙ୍କ ଭିତରେ ପ୍ରଭେଦ କରାଯାଏ । କିନ୍ତୁ ଏସବୁ ପ୍ରତିବନ୍ଧକ ପରେ ବି ପୂଜା ଏପରି ସଫଳତା ହାସଲ କରିଛନ୍ତି ଯାହା ପାଇଁ ପୂରା ହରିଆଣା ଗର୍ବିତ । ସାଧାରଣ ଜନତା ଓ ପୋଲିସ ମଧ୍ୟରେ ଥିବା ଦୂରତାକୁ କମ କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି ପୂଜା ।

ଚଳିତ ବର୍ଷ ୨୦୧୬ ବ୍ୟାଚ୍ ଆଇଏଏସ୍ ବିକଳ୍ପ ଭରଦ୍ୱାଜଙ୍କୁ ବିବାହ କରିଛନ୍ତି ପୂଜା । ସୋସିଆଲ ସାଇଟରେ ବେଶ ସକ୍ରିୟ ପୂଜା ଯାଦବ । ଏବେ ଇନଷ୍ଟାଗ୍ରାମରେ ତାଙ୍କର ୨.୫ ଲକ୍ଷ ଫଲୋଅର୍ସ ଅଛନ୍ତି । ଲୋକଙ୍କ ସହ ନିଜ ଭାବାବେଗକୁ ବାଣ୍ଟିବାକୁ ସୋସିଆଲ ମିଡିଆ ଏକ ଭଲ ପ୍ଳାଟଫର୍ମ ବୋଲି କୁହନ୍ତି ପୂଜା ।