ପିଜ୍ଜା ଡେଲିଭରି ବୟରୁ କୋଟିପତି । ଚାକିରିରୁ ବାହାର କରିଦେଲା କମ୍ପାନୀ, ନିଜ ମନକଥା ଶୁଣି କୋଟିପତି ହୋଇଗଲେ ସୁନିଲ

166

କନକ ବ୍ୟୁରୋ : ଯଦି ଜଣେ ବ୍ୟକ୍ତି ଏକ କମ୍ପାନୀରେ ଚାକିରି କରିଥିବେ, ଆଉ ଅଚାନକ ତାଙ୍କର ଚାକିରି ଚାଲିଯାଏ ତେବେ ସେହି ବ୍ୟକ୍ତି ଜଣକ ଚିନ୍ତାରେ ପଡିଯାଆନ୍ତି । କେମିତି ଘରର ଭରଣ ପୋଷଣ ହେବ, କେମିତି ଇଏମଆଇ ଭରିବେ ଏପରି ଅନେକ ଚିନ୍ତା ମାଡିବସିଥାଏ । କିନ୍ତୁ ବର୍ତ୍ତମାନ ଏପରି ଏକ ବ୍ୟକ୍ତିଙ୍କ ବିଷୟରେ ଜାଣିବେ ଯାହାଙ୍କ ଚାକିରି ଚାଲିଯିବା ପରେ ସେ ଆଉ ଚାକିରି ପଛରେ ନଗୋଡାଇ ନିଜର ମନକଥା ଶୁଣିଲେ ଆଉ ଏବେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି ।

ଏହି କାହିଣୀ ଦିଲ୍ଲୀହ ଜଣେ ଉଦ୍ୟୋଗପତି ସୁନିଲ ବଶିଷ୍ଟଙ୍କର । ଯିଏ ଦିନେ ପିଜ୍ଜା ଡେଲିଭରି ବୟ ଥିଲେ ସେ ଆଜି କୋଟି କୋଟି ଟଙ୍କାର ମାଲିକ । ସୁନିଲ ବଶିଷ୍ଟ୍ ମାତ୍ର ଦଶମ ଶ୍ରେଣୀ ଯାଏଁ ହିଁ ପାଠ ପଢିଛନ୍ତି । ଦଶମ ଶ୍ରେଣୀରୁ ଅଧିକ ପଢିବାକୁ ଚାହୁଁଥିଲେ ବି ପରିବାରର ଆର୍ଥୀକ ସ୍ଥିତି ଖରାପ ଥିବାରୁ ବାପା କହିଲେ, ଆଗକୁ ତୋ ଭବିଶ୍ୟତ ତୋ ହାତରେ । ପରିବାରର ସ୍ଥିତି ବହୁତ ଖରାପ ଥିବାରୁ ଦଶମ ଶ୍ରେଣୀ ପରେ ସୁନିଲଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇଗଲା । ଏହାପରେ ପରିବାର ଚଳାଇବା ପାଇଁ କୋରିୟର ବୟ ପାଲଟିଯାଇଥିଲେ ସୁନିଲ । ସେଠାରେ ତାଙ୍କୁ ମାସକୁ ମାତ୍ର ୨ଶହ ଟଙ୍କା ଦରମା ମିଳୁଥିଲା । ସୁନିଲ ପାଠ ପଢିବାକୁ ଚାହୁଁଥିଲେ ତେଣୁ କୋରିୟର ବୟର କାମ କରିବା ସହ ପାଠ ପଢିବା ପାଇଁ ନିସ୍ପତ୍ତି ନେଇଥିଲେ । କଲେଜରେ ଆଡମିଶନ କଲେ, ପାଠ ପଢା ସହ କାମବି କରୁଥିଲେ । ଭଲ ଦୁଇପଇସା ରୋଜଗାର ହେବାରୁ ପାଠପଢା ପ୍ରତି ସୁନିଲଙ୍କ ପୁଣି ମୋହ ତୁଟିଯାଇଥିଲା । ଯୁକ୍ତ୨ର ଦ୍ୱିତୀୟ ବର୍ଷ ଅଧାରୁ ସୁନିଲ ପାଠପଢା ଛାଡିଦେଲେ । କିନ୍ତୁ ସୁନିଲଙ୍କ ଭାଗ୍ୟରେ ଆଉ କିଛି ଲେଖାଥିଲା । ହଠାତ୍ କୋରିୟର କମ୍ପାନୀ ବନ୍ଦ ହୋଇଗଲା ଆଉ ବେରୋଜଗାର ହୋଇଗଲେ ସୁନିଲ୍ ।
କୋରିୟର କମ୍ପାନୀ ବନ୍ଦ ହେବା ପରେ ଡମିନୋଜ୍ କମ୍ପାନୀରେ ପିଜ୍ଜା ଡେଲିଭରି ବୟ ଭାବେ କାମ ଆରମ୍ଭ କରିଦେଲେ ସୁନିଲ । ଭଲ କାମ କରିବାରୁ ତାଙ୍କୁ ପ୍ରମୋସନ ବି ମିଳିଲା । ଏହାରି ଭିତରେ ତାଙ୍କ ବିବାହ ମଧ୍ୟ ହୋଇଯାଇଥିଲା ଆଉ ତାଙ୍କ ସ୍ତ୍ରୀ ଗର୍ଭବତି ଥିଲେ । ଦିନେ ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲ ନେଇଯିବା ନିହାତି ଆବଶ୍ୟକ ଥିଲା । କିନ୍ତୁ ଅଫିସରୁ ଛୁଟି ମିଳିଲାନି । ସ୍ତ୍ରୀ ଦେହ ଅତ୍ୟଧିକ ଖରାପ ହେବାରୁ ସୁନିଲ ଅଫିସ ବନ୍ଦ କରି ସ୍ତ୍ରୀଙ୍କୁ ମେଡିକାଲ ନେଇଯାଇଥିଲେ । ସେପଟେ ଅଫିସରେ ସୁନିଲଙ୍କ ପାଇଁ ପିଜ୍ଜା ଡେଲିଭରି ହୋଇନପାରିବାକୁ ସୁନିଲକୁ ଅଫିସରୁ ବାହାର କରିଦେଲା କମ୍ପାନୀ ।
କମ୍ପାନୀରୁ ବାହାରିବା ପରେ ଆଉ ଚାକିରି ପଛରେ ନଗୋଡାଇ ନିଜେ କିଛି କରିବାରୁ ନିସ୍ପତ୍ତି ନେଲେ ସୁନିଲ । ସାଙ୍ଗଙ୍କ ଠାରୁ ଟଙ୍କା ଉଦ୍ଧାର ଆଣି ୨୦୦୭ରେ ନୋଏଡାରେ ଏକ କେକ୍ ସପ୍ ଆରମ୍ଭ କଲେ । ସପର ନାଁ ରଖିଲେ ‘ଫ୍ଲାଇଂ କେକ୍ସ’ । ଲୋକଙ୍କୁ ଫ୍ଲାଇଂ କେକ୍ସ ବହୁତ ପସନ୍ଦ ଆସିଲା । ଧିରେ ଧିରେ କେକର ଅଡର ବଢିଲା । ବ୍ୟବସାୟ ବୃଦ୍ଧି ହେଲା । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଫ୍ଲାଇଂ କେକ୍ସର ଅନେକ ଫ୍ରାଞ୍ଚାଇଜ୍ ଏବଂ ଆଉଲେଟ୍ ଖୋଲିଛନ୍ତି ସୁନିଲ । ଯାହାର ବାର୍ଷିକ ଟର୍ଣ୍ଣଓଭର ୮କୋଟିରୁ ଅଧିକ ।