କନକ ବ୍ୟୁରୋ : ଯଦି ତୁମର ଲକ୍ଷ୍ୟ ସ୍ଥିର, ଯଦି ତୁମର ନିଜ ଉପରେ ଦୃଢ ବିଶ୍ୱାସ ରହିଛି ତେବେ ସଫଳତା ଦିନେ ତୁମ ପାଦ ଛୁଇଁବ, ଏହା ଉପରେ କୌଣସି ସନ୍ଦେହ ନାହିଁ । ଏହାର ଅନେକ ଉଦାହରଣ ଆମେ ଅନେକ ସମୟରେ ଆପଣଙ୍କ ପାଖକୁ ନେଇ ଆସିଛୁ । ହେଲେ ଆଜି ଆମେ ଆପଣଙ୍କୁ ସଂଘର୍ଷ ଓ ସଫଳତାର ଅନ୍ୟ ଏକ କାହାଣୀ କହିବାକୁ ଯାଉଛୁ ଯାହା ଆପଣଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିନ୍ତ ।

Advertisment

ଆଇଏଏସ୍ ଶ୍ରୁତି ଶର୍ମା । ୟୁପିଏସଏସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଅଶାୟୀଙ୍କ ପାଇଁ ଏକ ପ୍ରେରଣାଦାୟକ ନାମ । ସଫଳତା କିଭଳି ହାସଲ କରାଯାଏ, ସଫଳ ହେବାକୁ କେତେ ସଂଘର୍ଷ କରିବାକୁ ପଡେ ତାହା ଶ୍ରୁତିଙ୍କ ଠାରୁ ଅନ୍ୟମାନେ ଶିଖିବା ନିହାତି ଜରୁରୀ ।

ୟୁପିଏସସି ପରୀକ୍ଷାରେ ସଫଳ ହେବାକୁ ହେଲେ ସଠିକ୍ ଦୂରଦ୍ରୁଷ୍ଟି ନିହାତି ଜରୁରୀ । ଯାହା ଉଦାହରଣ ପାଲଟିଛନ୍ତି ଆଇଏଏସ ଶ୍ରୁତି ଶର୍ମା । ଇଣ୍ଟରଭ୍ୟୁ କଲ୍ ପାଇବାକୁ ମାତ୍ର ଗୋଟିଏ ମାର୍କ ଦୂରରେ ରହିଗଲେ । ହେଲେ ଏହାକୁ ନେଇ ସେ କେବେ ବି ନିରାଶ ହୋଇନଥିଲେ କି ଭାଙ୍ଗିପଡି ନଥିଲେ । ନିଜର ପ୍ରଚେଷ୍ଠା ଜାରି ରଖିଲେ ଓ ଦ୍ୱିତୀୟ ଆଟେମ୍ପଟରେ ସେ ଏଭଳି ସଫଳତା ହାସଲ କଲେ ଯେ ସାରା ଦେଶ ଚକିତ ହୋଇଗଲା ।

ଶ୍ରୁତି ୟୁପିଏସସି ପରୀକ୍ଷା ପ୍ରସ୍ତୁତି ପାଇଁ ସମ୍ମାନଜନକ କୋଚିଂ ଏକାଡେମୀ ଜାମିଆ ମିଲିଆ ଇସଲାମିଆ ଆବାସିକ କୋଚିଂ ଏକାଡେମୀରେ ନାମ ଲେଖାଇଥିଲେ । ସେଠାରେ ସେ ୪ବର୍ଷ ଧରି କଠିନ ପରିଶ୍ରମ କରିବା ପରେ ସଫଳତା ହାସଲ କରିଥିଲେ । ଶ୍ରୁତି ଉଭୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ସ କଲେଜର ଛାତ୍ରୀ ଥିଲେ । ତାଙ୍କର ଏକାଡେମୀକ ଟ୍ରାକ୍ ରେକର୍ଡ ମଧ୍ୟ ଚମକ୍ରାର ଥିଲା । ଏହା ଦିଲ୍ଲୀର ସର୍ଦ୍ଦାର ପଟେଲ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା । ଶ୍ରତି ମୂଳତଃ ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାର ବାସିନ୍ଦା । ଶ୍ରୁତି ଯେଉଁସବୁ ଶିକ୍ଷାନୁଷ୍ଠାନରେ ପାଠ ପଢିଛନ୍ତି ସେଠାରେ ସେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଥିଲେ ।
ୟୁପିଏସସି ପରୀକ୍ଷା ପାଇଁ କଲ୍ ପାଇବାକୁ ଚେଷ୍ଟା କରୁଥିବା ଶ୍ରୁତି ମାତ୍ର ଗୋଟିଏ ମାର୍କ କମ୍ ଯୋଗୁଁ କଲ୍ ପାଇପାରି ନଥିଲେ । ଏହି ପ୍ରଥମ ପ୍ରୟାସରେ କିଛି ଭାଷାଗତ ତ୍ରୁଟି ଯୋଗୁଁ ତାଙ୍କୁ ହିନ୍ଦୀରେ ପରୀକ୍ଷା ଦେବାକୁ ପଡିଥିଲା    । ହେଲେ ଏଥିରେ ହାରି ଯାଇନଥିଲେ ଶ୍ରୁତି । ସେ ୨୦୨୧ରେ ପୁଣି ଦ୍ୱିତୀୟ ପ୍ରଚେଷ୍ଠାରେ ୟୁପିଏସସି ପରୀକ୍ଷା ଦେଇଥିଲେ । ଏଥିରେ ସବୁ ସ୍ୱପ୍ନ ତାଙ୍କର ସାକାର ହୋଇଥିଲା । ଦୀର୍ଘ ୪ବର୍ଷ ଧରି କରିଥିବା ଅକ୍ଳାନ୍ତ ପରିଶ୍ରମର ଫଳ ତାଙ୍କୁ ମିଳିଥିଲା ଓ ସଫଳତା ତାଙ୍କ ପାଦ ଛୁଇଁଥିଲା । ଏଥିରେ ସେ ୫୪.୭୫ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ୟୁପିଏସସି ପାଇଁ ଶ୍ରୁତିଙ୍କ ପ୍ରସ୍ତୁତି କିଛି ସ୍ୱତନ୍ତ୍ର ପ୍ରକାରର ଥିଲା । ଶ୍ରୁତି ଅନେକ ସାବଧାନତାର ସହ ନିଜର ନୋଟ୍ ପ୍ରସ୍ତୁତ କରୁଥିଲେ । ଏହାସହ ପରୀକ୍ଷାରେ ଉତ୍ତର ଲେଖିବା ପାଇଁ ସେ କ୍ରମାଗତ ଭାବେ ଅଭ୍ୟାସ ଜାରି ରଖିଥିଲେ । କେବଳ ସେତିକି ନୁହେଁ ସାମ୍ପ୍ରତିକ ବ୍ୟାପାର ସହ ଅପଡେଟ୍ ରହିବାକୁ ସେ ପ୍ରାଥମିକତା ଦେଇଥିଲେ ।