ସଂଘର୍ଷ ପରେ ସାମ୍ନାକୁ ଆସିଲା ସଫଳତାର କାହାଣୀ । ଧନରେ ସିନା ଗରିବ ହେଲେ ପାଠରେ ଧନୀ ପ୍ରତାପ ଓ ବର୍ଷା

506

କନକ ବ୍ୟୁରୋ: ଗରିବ ପିଲା ହେଲେ ଶିକ୍ଷା କ୍ଷେତ୍ରରେ ସର୍ବଶ୍ରେଷ୍ଠ ଧନୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ଓଡିଶାର ବଛା ବଛା ପିଲା । ଯେଉଁମାନଙ୍କ କାହାଣୀ ଅନେକଙ୍କୁ ପ୍ରେରଣା ଯୋଗାଇବ । ଆର୍ଥିକ ଅନାଟନ ଭିତରେ ବି ସଂଘର୍ଷ କରି ଜଣେ ମେଧାବୀ ଛାତ୍ର ଭଲ ମାର୍କ ରଖି ପାସ୍ ହୋଇ ପାରିବ ତାହାର ଉଦାହରଣ, ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବା ପରେ ଦେଖିବାକୁ ମିଳିଛି ।

ଗାଁ ଗାଁ ବୁଲି କପଡା ବିକନ୍ତି ବାପା । ଆଉ ପୁଅ ଏବେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ତିନି ଜିଲ୍ଲାରେ ଟପ୍ପର । ମାଲକାନଗିରି ଜିଲ୍ଲାର ଏମଭି-୧୯ ଗାଁର ପ୍ରତାପ ମିସ୍ତ୍ରୀ ୯୫ ପ୍ରତିଶତ ମାର୍କ ରଖି ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ଟପ୍ପର ହୋଇଛନ୍ତି । ବାପା ସୁଶାନ୍ତ ଗାଁକୁ ଗାଁ ବୁଲି କପଡା ବିକ୍ରି କରନ୍ତି । କପଡା ବିକି ଯେଉଁ ଦିପଇସା ରୋଜଗାର ହୁଏ ସେଥିରେ ଦୁଃଖ କଷ୍ଟରେ ପରିବାର ଚଳାନ୍ତି ସୁଶାନ୍ତ । ବାପାଙ୍କ ଏହି ଅଭାବ ଅନଟନକୁ ବୁଝି ପାଠପଢ଼ି ସଫଳ ହେବା ସହ ପରିବାର ପାଇଁ ଖୁସି ଆଣିଛନ୍ତି ପ୍ରତାପ ।

ସେହିପରି କାକଟପୁର ଅଞ୍ଚଳର ବର୍ଷା ଦେହୁରୀ । ଦାରିଦ୍ର୍ୟତା ଓ ଅଭାବ ଅନଟନ ଭିତରେ ବି କେମିତି ସଫଳତା ପାଇହୁଏ ତାହା କରି ଦେଖାଇଛନ୍ତି ବର୍ଷା । ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୩ ପ୍ରତିଶତରୁ ଅଧିକ ମାର୍କ ରଖି ରେକର୍ଡ କରିଛନ୍ତି । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗତବର୍ଷ ବର୍ଷାଙ୍କ ବାପା ନିର୍ମଳ କୁମାର ଦେହୁରୀଙ୍କର ଦେହାନ୍ତ ହୋଇଯାଇଥିଲା । କିନ୍ତୁ ବାପାଙ୍କୁ ହରାଇ ଆର୍ଥିକ ଅନଟନ ଭିତରେ ବି ହାରି ନଥିଲେ ବର୍ଷା । ପାଠପଢ଼ିବାକୁ ଗୁରୁତ୍ୱ ଦେଇଥିଲେ । ଦିନକୁ ପ୍ରାୟ ୧୨ଘଣ୍ଟା ପରିଶ୍ରମ କରି ଶେଷରେ ସଫଳତା ହାସଲ କରିଛନ୍ତି । ଆଉ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ସବୁ କିଛି ସୁବିଧା ଥାଇ ମଧ୍ୟ ଯେତେବେଳେ ଅନେକ ପିଲାମାନେ ସଫଳତା ପାଇପାରୁ ନାହାଁନ୍ତି, ସେତିକିବେଳେ ଏହି ଦୁଇ ଜଣଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ।