କଠିନ ପରିଶ୍ରମ ଆଣି ଦେଇଛି ସଫଳତା ! ଜରି ବ୍ୟାଗ ତିଆରି କରି ନିଜେ ସ୍ୱାବଲମ୍ବି ହେବା ସହ ମହିଳାଙ୍କୁ ରୋଜଗାର କ୍ଷମ କରାଇଲେ ନିଆଳିର ପ୍ରଫୁଲ୍ଲ ପୃଷ୍ଟି ।

56

କନକ ବ୍ୟୁରୋ : ପରିଶ୍ରମ ଓ ବୃଦ୍ଧି ବଳରେ ଆଜି ନିଜେ ନିଜ ଗୋଡ଼ରେ ଠିଆ ହେବା ସହ ୧୬ ଜଣ ମହିଳାଙ୍କୁ ସ୍ୱାବଲମ୍ବି କରିପାରିଛନ୍ତି ପ୍ରଫୁଲ ପୃଷ୍ଟି । କଟକ ଜିଲ୍ଲା ନିଆଳି ବ୍ଲକ ଆମ୍ବାପଡ଼ା ଗାଁରେ ଘର । ବିଭିନ୍ନ ଅଂଚଳରୁ ଅଖା ଜରି ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରନ୍ତି ଭଳି କି ଭଳି ବ୍ୟାଗ । ଗାଁର ମହିଳା ମାନଙ୍କୁ ନେଇ ଚାଲିଛି ବ୍ୟାଗ ପ୍ରସ୍ତୁତି । ବ୍ୟାଗ ପ୍ରସ୍ତୁତି ପରେ ବିଭିନ୍ନ ବଜାରରେ ହାଟରେ କରାଯାଏ ବିକ୍ରି ।

କଠିନ ପରିଶ୍ରମ ଦେଇଛି ସଫଳତା । ଗାଡି ଡ୍ରାଇଭରରୁ ବ୍ୟାଗ ବ୍ୟବସାୟୀ । ଦିନେ ଡ୍ରାଇଭର ଭାବେ କାମ କରି ପେଟ ପୋଷୁଥିବା ମଣିଷ ଆଜି ବ୍ୟବସାୟୀ । ନିଜେ ନିଜ ଗୋଡରେ ଠିଆ ହେବା ସହ ଅନ୍ୟ ୧୫ ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି କଟକ ନିଆଳି ବ୍ଲକ ଆମ୍ବାପଡ଼ା ଗାଁର ପ୍ରଫୁଲ ପୃଷ୍ଟି  । ସିମେଂଟ ବସ୍ତା ସହ ବିଭିନ୍ନ ପ୍ରକାର ଜରି ବସ୍ତାରୁ ତିଆରି ହେଉଥିବା ବ୍ୟାଗକୁ ବିଭିନ୍ନ ବଜାରରେ ବିକ୍ରି କରୁଛନ୍ତି ପ୍ରଫୁଲ ।

ଦୁଇ ପଇସା ରୋଜଗାର କରିବା ଆଶାରେ ୨୦୧୧ ମସିହାରେ ପ୍ରଫୁଲ ଓ ତାଙ୍କ ସ୍ତ୍ରୀ ଲବଙ୍ଗ ଗୋଟିଏ ଟେଲର ମେସିନ ସାହାଯ୍ୟରେ ବ୍ୟାଗ ତିଆରି କରିବା ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରୁ ଜରି ଅଖା ସଂଗ୍ରହ କରି ନିଜ ଘରେ ବିଭିନ୍ନ ସାଇଜର ବ୍ୟାଗ ତିଆରି କରୁଥିଲେ । ପରେ ସେ  ମା କନକ ଦୁର୍ଗା ସାଇବାବା ବ୍ୟାଗ ଫ୍ୟାକ୍ଟ୍ରି କରି ସ୍ଥାନୀୟ ମହିଳାଙ୍କୁ ନିଯୁକ୍ତ ସୁଯୋଗ ଦେଇଛନ୍ତି ।

ପ୍ରଫୁଲ ପୃଷ୍ଟିଙ୍କ ଜରି ବ୍ୟାଗ ସଂସ୍ଥାରେ ଆମ୍ବାପଡ଼ା ଗାଁର ୧୬ ଜଣ ମହିଳା କାମ କରୁଛନ୍ତି । ୯ ଜଣ ମହିଳା ଟେଲର ମେସିନ ସାହାଯ୍ୟରେ ବ୍ୟାଗ ତିଆରି କରୁଛନ୍ତି । ଅନ୍ୟମାନେ ବିଭିନ୍ନ ଅଂଚଳରୁ ଆସିଥିବା ଜରି ଅଖାକୁ ଧୋଇବା, ଶୁଖାଇବା ଓ କଟାକଟି ପାଇଁ ନିଯୋଜିତ ହୋଇଛନ୍ତି । ମାସକୁ ପ୍ରାୟ ୧୫ ହଜାର ବ୍ୟାଗ ତିଆରି କରାଯାଉଛି  । ଜଣେ କାରିଗର ଦିନକୁ ୧୮୦ରୁ ୨୦୦ଟା ବ୍ୟାଗ ପ୍ରସ୍ତୁତ କରିପାରୁଛନ୍ତି । ଗୋଟିଏ ବ୍ୟାଗ ତିଆରି ପାଇଁ ପ୍ରଫୁଲ ୧ଟଙ୍କା ୩୦ ପଇସା କାରିଗରଙ୍କୁ ଦେଇଥାନ୍ତି । ବ୍ୟାଗ ପ୍ରସ୍ତୁତ ପରେ ପ୍ରଫୁଲ ନିଜେ ବିଭିନ୍ନ ବଜାରରେ ବିକ୍ରି କରିଥାନ୍ତି । ନିଆଳି ଆମ୍ବାପଡ଼ା ଗାଁର ପ୍ରଫୁଲ ପୃଷ୍ଟିଙ୍କ ଏଭଳି ଉଦ୍ୟମ ମହିଳାମାନଙ୍କୁ ସ୍ୱାବଲମ୍ବି କରାଇ ପାରିଛି ।