ମନ ଥିଲେ ଧନ ଆସେ । ୫୦୦ ଟଙ୍କାରୁ ବ୍ୟବସାୟ ଆରମ୍ଭ କରି କୋଟିପତି ବନିଲେ ନିମାପଡାର ଯୋଗେନ୍ଦ୍ର, ପଢନ୍ତୁ ଛୋଟ ଗାଁର ବଡ ବ୍ୟବସାୟୀଙ୍କ ବିଷୟରେ କିଛି

1,274

କନକ ବ୍ୟୁରୋ : କଥାରେ ଅଛି ଅଦ୍ୟମ ଇଛାଶକ୍ତି, ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ଅସମ୍ଭକୁ ସମ୍ଭବ କରିହୁଏ । ଏହାକୁ ପ୍ରମାଣ କରିଦେଖାଦେଇଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ଯୋଗେନ୍ଦ୍ର ସାହୁ । ମାତ୍ର ୫୦୦ ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଆଜି ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି ଯୋଗେନ୍ଦ୍ର ।

ନିମାପଡ଼ା ବଡ଼ବଜାରର ଯୋଗେନ୍ଦ୍ର ସାହୁ । ୫ଶହ ଟଙ୍କା ନିବେଶ କରି ଆଜି କୋଟିପତି ହୋଇପାରିଛନ୍ତି ଯୋଗେନ୍ଦ୍ର । ବ୍ୟବସାୟିକ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରିବା ଲକ୍ଷ୍ୟରଖି ନିମାପଡା ବଜାରରେ ସ୍ଥାୟୀଭାବେ ଆରମ୍ଭ କରିଥିଲେ ଆଳୁ ପିଆଜ ସହ ପନିପରିବା ବ୍ୟବସାୟ । ଆଉ ଦୀର୍ଘ ୪୦ବର୍ଷର ପରିଶ୍ରମ ପରେ ବଦଳିଛି ତାଙ୍କ ପରିଚୟ । ଏବେ ଆଳୁ ପିଆଜ ବ୍ୟବସାୟ ସହ ବ୍ରିଟାନିଆ, ଗୋଦରେଜ୍ ଭଳି କମ୍ପାନୀର ଡିଷ୍ଟ୍ରିବ୍ୟୁଟର୍ ହୋଇଛନ୍ତି ସେ । କେବଳ ଏତିକି ନୁହେଁ ଧାନ ଓ ଚାଉଳ ବ୍ୟବସାୟ ମଧ୍ୟ କରୁଛନ୍ତି ଯୋଗେନ୍ଦ୍ର ।

ମାତ୍ର ୧୫ବର୍ଷ ବୟସରେ ପାଠପଢ଼ା ସହିତ ବ୍ୟବସାୟକୁ ଆଦରି ନେଇଥିଲେ ଯୋଗେନ୍ଦ୍ର । ତାଙ୍କ ବାପାଙ୍କୁ ହାଟରେ ପରିବା ବିକିବା ପାଇଁ ସେ ସାହାଯ୍ୟ କରୁଥିଲେ । ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠପଢାରେ ଡୋରି ବନ୍ଧା ହୋଇଥିଲା । କିନ୍ତୁ ବାପାଙ୍କର ଏହି ପରିବା ବିକିବା ବ୍ୟବସାୟକୁ ପ୍ରତିଷ୍ଠିତ ବ୍ୟବସାୟରେ ପରିଣତ କରିବାକୁ ଚେଷ୍ଟା କରିଥିଲେ ସେ । ଆଉ ଏବେ ଯୋଗେନ୍ଦ୍ର ଭଲ ଆୟ କରିବା ସହ ପାଖାପାଖି ୧୫ରୁ ୨୦ ପରିବାରର ଅନ୍ନଦାତା ।

ଦିନେ ଅର୍ଥର ଅଭାବରୁ ପାଠ ପଢାବନ୍ଦ କରିଥିବା ଯୋଗେନ୍ଦ୍ର ଆଜି ଜଣେ ସଫଳ ବ୍ୟବସାୟୀ । ନିଜ ଇଚ୍ଛା ଆଉ ପରିଶ୍ରମ ବଳରେ୍ କିଛି କରିଦେଖାଇବାର ଆଗ୍ରହ ରଖୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଯୋଗେନ୍ଦ୍ର ସାହୁ ପାଲଟିଛନ୍ତି ଉଦାହରଣ ।