ଦିନ ଥିଲା ମାଆଙ୍କ ସହ ମିଶି ଘର ଘର ବୁଲି ବିକୁଥିଲେ ଚୂଡି। ଆଜି ଆଇଏଏସ ହୋଇ ଅନ୍ୟଙ୍କ ପାଇଁ ପ୍ରେରଣା ସଜିଛନ୍ତି ରମେଶ

10,229

କଥାରେ ଅଛି ଯିଏ ତାର ଜୀବନରେ କିଛି କରିବାକୁ ସ୍ୱପ୍ନ ଦେଖିଥାଏ ତାକୁ ସେ ସାକାର କରିବା ପାଇଁ କିଛି ବି କରିପାରେ । ନିଜ ଦମରେ କୌଣସି ବି ସ୍ୱପ୍ନକୁ ସାକାର କରାଯାଇପାରେ । ଆଉ ଏହାକୁ ସଫଳ କରି ଦେଖାଛନ୍ତି ଆଇଏଏସ ରମେଶ । ଦିନ ଥିଲା ରମେଶ ନିଜ ମାଆଙ୍କ ସହ ଗାଁ ଗାଁ ବୁଲି ଚୂଡି ବିକ୍ରି କରୁଥିଲେ । ଆଉ ଆଜିର ଦିନରେ ସେ ନିଜର କଠିନ ପରିଶ୍ରମ ଏବଂ ଦୃଢ ଆତ୍ମବିଶ୍ୱାସ ବଳରେ ସଫଳତାର ସ୍ୱାଦ ଚାଖିଛନ୍ତି ।

ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ବାରସି ତହସିଲର ମହାଗାଁଓରେ ରହୁଥିବା ରମେଶ ଘୋଲପଙ୍କ ସ୍ୱପ୍ନ ବି କିଛି ଏଭଳି ଥିଲା କି ନିଦ ବି ତାଙ୍କର ହାତ ଛାଡିଦେଇଥିଲା । ଛୋଟ ଛୋଟ ପିଲାମାନେ ଯେତେବେଳେ ନିଜ ବହି ବସ୍ତାନି ଧରି ପାଠପଢିବା ପାଇଁ ସ୍କୁଲକୁ ବାହାରୁଥିଲେ ସେହି ସମୟରେ ରମେଶ ନିଜ ମାଆଙ୍କ ସହ ମିଶି ଫୁଙ୍ଗୁଳା ପାଦରେ ଚୂଡି ବିକିବାକୁ ବାହାରି ପଡୁଥିଲେ । କେବଳ ପେଟକୁ ଦୁଇ ଓଳି ଦୁଇ ମୁଠା ଦାନା ଦେବା ପାଇଁ ମାଆ-ପୁଅ ଦୁହେଁ ମିଶି ଖରା, ବର୍ଷା, ଶୀତ, କାକରକୁ ଖାତିର ନକରି ଘର ଘର ବୁଲି ଚୂଡି ବିକି ଗୁଜୁରାଣ ମେଂଟାଉଥିଲେ । କିନ୍ତୁ ଆଜି ସେହି ରମେଶ ଜଣେ ଆଇଏଏସ ଅଫିସର ।

ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଏଭଳି ମୁହୂର୍ତ୍ତରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡନ୍ତି ଏବଂ ନିଜକୁ ଅସହାୟ ମନେ କରନ୍ତି । କିନ୍ତୁ ରମେଶ ସେଭଳି ନଥିଲେ ପରିସ୍ଥିତିକୁ ସାମ୍ନା କରିବାର ଶକ୍ତି ରମେଶଙ୍କ ନିକଟରେ ରହିଥିଲା । ଏଭଳି ସ୍ଥିତିରେ ବି ସେ ନିଜର ଆଇଏଏସ ବନିବାର ସ୍ୱପ୍ନକୁ ତିଳେମାତ୍ର କ୍ଷୁର୍ଣ୍ଣ କରିଦେଇନଥିଲେ । ନାନା ବାଧାବିଘ୍ନ ସତ୍ୱେ ବି ଦିନ ରାତି ଏକକାର କରି ପେଶା ସାଙ୍ଗକୁ ନିଶାକୁ ବି ସେତିକି ଗୁରୁତ୍ୱ ଦେଉଥିଲେ ରମେଶ । ମାଆଙ୍କ ସହ ବୁଲି ଚୂଡି ବିକିସାରିବା ପରେ ଆଉ ଯେତିକି ବି ସମୟ ପାଉଥିଲେ ସେ ସମୟ ଯାକକୁ ରମେଶ ନିଜ ପାଠପଢାରେ ଲଗାଇଦେଉଥିଲେ ।
ଦାରିଦ୍ର୍ୟ ଯାତନାରେ ପ୍ରତିଦିନ ପ୍ରତାଡିତ ହେଉଥିଲେ ମଧ୍ୟ ଏଭଳି ପରିସ୍ଥିତିରେ ହାର ନ ମାନି ଭଙ୍ଗା କୁଡିଆ ଘରେ ଦେଖିଥିବା ସ୍ୱପ୍ନକୁ ସାକାର କରିବାକୁ ଦିନ ରାତି ଏକକାର କରିଦେଇଥିଲେ ରମେଶ । ଦିନ ବେଳା ସ୍କୁଲ ଯାଉଥିଲେ ଆଉ ସଂଧ୍ୟା ସମୟରେ ମାଆଙ୍କ ସହ ମିଶି ଚୁଡି ବେପାର କରୁଥିଲେ । ଆଉ ରାତି ହେଲେ ପୁଣି ନିଜର ବହି ବସ୍ତାନୀ ଖୋଲି ପାଠପଢିବାକୁ ବସିପଡୁଥିଲେ । ତେବେ ରମେଶଙ୍କର ଏଭଳି ଇଚ୍ଛା ଶକ୍ତି କାରଣରୁ ସେ ମେଟ୍ରିକ୍ ପରୀକ୍ଷାରେ ୮୮.୫୦ ପ୍ରତିଶତ ନମ୍ବର ରଖି ସଫଳତା ହାସଲ କରିଥିଲେ । ଆଉ ରମେଶଙ୍କର ପାଠପଢା ପ୍ରତି ଦୁର୍ବଳତାକୁ ଦେଖି ତାଙ୍କ ମାଆ ବ୍ୟାଙ୍କରୁ ଲୋନ ଆଣିଥିଲେ ଆଉ ତାକୁ ରମେଶଙ୍କ ପାଠପଢା ପାଇଁ ଖର୍ଚ୍ଚ କରିଥିଲେ । ଏହାପରେ ସେ ଆଇଏଏସ ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ପ୍ରଥମ ଚେଷ୍ଟାରେ ଅସଫଳ ହୋଇଥିଲେ । ତେବେ ଦ୍ୱିତୀୟ ଥରରେ ରମେଶ ଆଇଏଏସ ପରୀକ୍ଷାରେ ୨୮୭ ସ୍ଥାନ ହାସଲ କରିଥିଲେ ।

ଆଜି ସେ ଝାଡଖଣ୍ଡ ମନ୍ତ୍ରାଳୟରେ ଶକ୍ତି ବିଭାଗରେ ସଂଯୁକ୍ତ ସଚିବ ଭାବେ କାର୍ଯ୍ୟରତ ଏବଂ ତାଙ୍କର ସଂଘର୍ଷମୟ ଜୀବନ କାହାଣୀ ସାଜିଛି ଅନ୍ୟମାନଙ୍କ ପାଇଁ ପ୍ରେରଣା । ରମେଶ ଆଜି ସେହି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜଣେ ମିସାଲ ପାଲଟି ଯାଇଛନ୍ତି ଯେଉଁମାନେ କି ସଂଘର୍ଷ ବଳରେ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି ।