ଦୁର୍ଘଟଣାରେ କଟିଗଲା ପ୍ରେମିକର ଗୋଡ । ପରିବାରକୁ ଛାଡି ଦିବ୍ୟାଙ୍ଗ ପ୍ରେମିକ ପାଖକୁ ଦୌଡି ଆସିଲା ପ୍ରେମିକା । ସଫଳ ହେଲା ସାତ ବର୍ଷର ସଚ୍ଚା ପ୍ରେମ ।

685

କନକ ବ୍ୟୁରୋ: ତାଙ୍କର ଗୋଡ ନଥାଉ, ସେ ମୋ ଗୋଡରେ ଚାଲିବେ… ତାଙ୍କର ଚାଲିବାକୁ ଶକ୍ତି ନଥାଉ ସେ ମୋ ସାହାରାରେ ଚାଲିବେ । ସେ ହାରି ନାହାନ୍ତି କି ହାରିବେ ନାହିଁ… ମୁଁ ଥିବା ଯାଏଁ ଜୀବନର ସବୁତକ ବାଜି ସେ ଜିତି ଚାଲିବେ । ମୁଁ କେବଳ ତାଙ୍କ ପତ୍ମୀ ନୁହେଁ, ମୁଁ ତାଙ୍କ ପାଦ, ମୁଁ ତାଙ୍କ ଶରୀର, ତାଙ୍କ ଶକ୍ତି ସାହସ, ଜୀବନ, ସ୍ପନ୍ଦନ ଆଉ ଜିଇଁବାର ଆଶା… ମୁଁ ବଞ୍ଚିଥିବା ଯାଏଁ ତାଙ୍କ ବାଟରେ ଆସିବନି ବାଧାବିଘ୍ନ । କାରଣ ଏବେଠୁ ତାଙ୍କ ଜୀବନ, ମୋ ଜୀବନ…

ଦର୍ଶକ ବନ୍ଧୁ ଏ ଦୃଶ୍ୟକୁ ପ୍ରଥମେ ଦେଖନ୍ତୁ । ଆଉ ଏବେ ଅନ୍ୟଦୃଶ୍ୟଟିକୁ ଦେଖନ୍ତୁ । ଆଜିକାଲିର ପ୍ରେମ କାହାଣୀ ବିବାହରେ ବଦଳିବା ପରେ ହେଉ କିମ୍ବା ଆରେଞ୍ଜ ମ୍ୟାରେଜରେ ପ୍ରି ୱେଡିଂ ଫଟୋ ସୁଟ୍ ଗୋଟେ ଟ୍ରେଣ୍ଡ ହୋଇଗଲାଣି । ପୁଅଟିଏ ଝିଅକୁ ନିଜ କାନ୍ଧରେ ଧରି, ହାତରେ ଉଠାଇ ଜୀବନରେ ତାର ସବୁ ବୋଝ ବୋହିବାର ଆଗୁଆ ଇସାରା ଦେଇଥାଏ । ନୂଆ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟର ସ୍ମୃତିକୁ ମନେରଖିବାକୁ ଆଲବମ ହୁଏ । ହେଲେ ଏଠି ଦେଖନ୍ତୁ ପ୍ରେମିକାଟିଏ ନିଜ ପ୍ରେମିକକୁ କେମିତି ନିଜ କାନ୍ଧରେ ବୋହୁଛନ୍ତି । ସ୍ୱାମୀ ଦିବ୍ୟାଙ୍ଗ ହୋଇଗଲେ ବୋଲି ତାଙ୍କର ସବୁ ଦାୟିତ୍ୱ ନେବାକୁ ସେ ବି ସଙ୍କଳ୍ପ କରିଛନ୍ତି । ବୋଧହୁଏ ଏ ପ୍ରକୃତ ପ୍ରେମର ଫଟୋସୁଟକୁ କେବେ ଭୁଲିହେବନି । ଆଉ ଏ ପ୍ରେମ ପଛର ଅସୁମାରୀ ତ୍ୟାଗକୁ ଆପଣ ସଲାମ ନକରି ରହିପାରିବେନି ।

ଇଏ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ସ୍ୱପ୍ନାରାଣୀ ବାରିକ ଓ ତାଳଚେର ବଜ୍ରକୋଟ ଅଞ୍ଚଳର ଜିତେନ୍ଦ୍ର ବାରିକ । ଦୀର୍ଘ ସାତ ବର୍ଷ ହେଲା ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ । ସାତ ବର୍ଷ ତଳେ ଜଗତସିଂହପୁରର ଏକ ସେଲୁନରେ ରହି କାମ କରୁଥିଲେ । ସେଇଠି ହିଁ ସ୍ୱପ୍ନାରାଣୀଙ୍କ ପ୍ରେମରେ ପଡି ତାଙ୍କୁ ନିଜ ଜୀବନର ରାଣୀ ସଜେଇବାକୁ ମନସ୍ତ କରିଥିଲେ ଜିତେନ୍ଦ୍ର । କିଛି ଦିନ ପରେ ତାଳଚେର ଫେରି ସ୍ଥାନୀୟ ଏକ କମ୍ପାନୀରେ କାମ କରୁଥିଲେ ଜିତେନ୍ଦ୍ର । ହେଲେ ଦିନେ ଘରକୁ ଫେରିବା ବେଳେ ହଠାତ ଏକ ଦୁର୍ଘଟଣା ହୋଇଥିଲା । ଟ୍ରକ ଧକ୍କା ଦେବା ପରେ ତାଙ୍କ ଗୋଡ ଉପରେ ଚଢିଯାଇଥିଲା । ଭୟଙ୍କର ଦୁର୍ଘଟଣାରେ ଜିତେନ୍ଦ୍ରଙ୍କ ଜୀବନ ସିନା ବଞ୍ଚିଗଲା ହେଲେ ସବୁଦିନ ପାଇଁ ଦୁଇ ଗୋଡ ହରାଇଲେ ଜିତେନ୍ଦ୍ର ।

ସେପଟେ ପ୍ରେମିକର ଏମିତି ଅବସ୍ଥା କଥା ଶୁଣି ସୁଦୂର ଜଗତସିଂହପୁରରୁ ଧାଇଁ ଆସିଥିଲେ ପ୍ରେମିକା । ଜିତେନ୍ଦ୍ରଙ୍କ କଥା ଘରେ କହିଥିଲେ । ହେଲେ ଦିବ୍ୟାଙ୍ଗ ପୁଅକୁ କେଉଁ ବାପା ବା ଝିଅ ଦିଅନ୍ତେ । ସିଧାସିଧା ଘରେ ବିବାହ ପାଇଁ ମନାକରିଦେଲେ । ମାତ୍ର ପ୍ରେମ ପାଇଁ ପରିବାରକୁ ପର କରି ଜିତେନ୍ଦ୍ର ପାଖକୁ ଦୌଡି ଆସିଲେ ସ୍ୱପ୍ନାରାଣୀ । ଯିଏ ସତରେ ପ୍ରେମ କରିଥିବ, ପ୍ରେମକୁ ନେଇ ବଞ୍ଚୁଥିବ, ପ୍ରେମିକକୁ ଜୀବନଠୁ ଅଧିକ ଭଲପାଉଥିବ, ପ୍ରେମରେ ପାଇବା ହରାଇବାର ହିସାବ କରୁନଥିବ ତା ପାଇଁ ଏ ସାମାନ୍ୟ ଦିବ୍ୟାଙ୍ଗପଣ କିଛି ଫରକ ପକାଏନି । ସେଇଥିପାଇଁ ତ ଜିଇଁଲେ ଜିଇଁବି ମରିଲେ ମରିବି ତୋରି ସହ… ନ୍ୟାୟରେ ଜିତେନ୍ଦ୍ରଙ୍କୁ ଜୀବନ ସାଥି କଲେ ସ୍ୱପ୍ନାରାଣୀ ।

ଜୁଲାଇ ୮ରେ ସେମାନେ ସାତ ଜନମ ପାଇଁ ସାଥି ହୋଇଥିବା ବେଳେ କୋର୍ଟ ମୟାରେଜ ପାଇଁ ତାଳଚେର ଉପଜିଲ୍ଲାପାଳଙ୍କ ଅଫିସ ଆସିଥିଲେ । ଆଉ ସେଇଠି ହିଁ ସେମାନଙ୍କ କାହାଣୀ ସାମ୍ନାକୁ ଆସିଥିଲା । ଜିତେନ୍ଦ୍ରଙ୍କ ଅବସ୍ଥା ପରେ ମାଆ ଆରପାରିକୁ ଚାଲିଯିବା ପରେ ଏବେ ତାଙ୍କ ଜୀବନର ଦାୟିତ୍ୱ ନେଇଛନ୍ତି ସ୍ୱପ୍ନାରାଣୀ ।

ପ୍ରେମକୁ ନେଇ ଯେତେବେଳେ ଅନେକ ପ୍ରତାରଣା, ଛଳନା, ହତ୍ୟା, ଆତ୍ମହତ୍ୟା, ବିରହ ବିଛେଦର କାହାଣୀ ସାମ୍ନାକୁ ଆସୁଛି, ସେତେବେଳେ ଏ ପ୍ରେମୀଯୁଗଳ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ । ସବୁପରେ ସ୍ୱପ୍ନାରାଣୀଙ୍କ ସାହସ ଓ ତ୍ୟାଗକୁ ମାନିବାକୁ ପଡିବ । କାରଣ ବିବାହ ପୂର୍ବରୁ ଏମିତି ପରିସ୍ଥିତି ହୁଏତ ତାଙ୍କ ପାଦରେ ପ୍ରତିବନ୍ଧକ ଲଗାଇପାରିଥାନ୍ତା । ତାଙ୍କୁ ଜିତେନ୍ଦ୍ରଙ୍କ ଠାରୁ ଦୂରେଇ ଦେବାକୁ ବାହାନା ହୋଇପାରିଥାନ୍ତା । ହେଲେ ସ୍ୱପ୍ନାଙ୍କ ଭାବନା ଏ ନିମ୍ନ ଚିନ୍ତାଧାରରୁ ଅନେକ ଉଦ୍ଧ୍ୱର୍ରେ । ଯାହା ତାଙ୍କୁ ଗୋଡ ହରାଇଥିବା ଜିତେନ୍ଦ୍ରଙ୍କ ସାହାରା ସଜେଇଲା । ସତରେ ସ୍ୱପ୍ନା ଆପଣଙ୍କୁ ଆଉ ଆପଣଙ୍କ ପ୍ରେମକୁ ଶତ ସଲାମ୍…