କନକ ବ୍ୟୁରୋ: ଜଳ ଜୀବନର ଅନ୍ୟ ନାମ । ଜଳ କଷ୍ଟ ଯିଏ ଭୋଗିଛି ତା ପାଇଁ ପାଣିର ମହତ୍ୱ ଅଲଗା । ଆସନ୍ତୁ ଜଣେ ଏମିତି ମହିଳାଙ୍କ କାହାଣୀ ଜାଣିବା ଯିଏ ଉଦ୍ୟମ ବଳରେ ପୁରା ଅଞ୍ଚଳକୁ ବଦଳାଇ ଦେଇଥିଲେ । ଆମେ କହୁଛୁ ଭଦ୍ରକ ଜିଲ୍ଲା ନାଲଗୁଣ୍ଡା ପଞ୍ଚାୟତ ପଚାପଡା ଗାଁର ଜଳ ସଂରକ୍ଷଣ କ୍ଷେତ୍ରର ଜାଗ୍ରତ ପ୍ରହରୀ ସରସ୍ୱତୀ ବାରିକଙ୍କ କଥା । କରୋନା କାଳରେ ଗାଁ ମହିଳାଙ୍କୁ ଏକଜୁଟ କରି ଜଳ ସଂରକ୍ଷଣ, ଜଳର ଅପଚୟ ରୋକିବା ଓ ପରିମଳ ପାଇଁ ସମସ୍ତଙ୍କୁ ବୁଝାଇ ସଫଳତା ପାଇଥିଲେ । ତାଙ୍କ ସଫଳତାର କାହାଣୀ କଥା ଏବେ କେନ୍ଦ୍ର ସରକାର କହୁଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସୁଜଳ ଶକ୍ତି କି ଅଭିବ୍ୟକ୍ତି- ଇନସ୍ପାରିଂ ଷ୍ଟୋରିଜ ଅଫ ୱିମାନ ଆଣ୍ଡ ରୁରାଲ କମ୍ୟୁନିଟି ପୁସ୍ତକରେ ସରସ୍ୱତୀଙ୍କ କାହାଣୀ ସ୍ଥାନ ପାଇଛି । ପୁସ୍ତକରେ ଥିବା ୧୦୮ ସଫଳ କାହାଣୀ ମଧ୍ୟରେ ରହିଛନ୍ତି ସରସ୍ୱତୀ ବାରିକ । ତାଙ୍କ ଭଳି ଉଦ୍ୟମୀ ଓ ନିସ୍ୱାର୍ଥପର ମହିଳାଙ୍କୁ ନେଇ ଚାନ୍ଦବାଲିବାସୀ ଗର୍ବ ଅନୁଭବ କରୁଛନ୍ତି ।

Advertisment

କୁହାଯାଏ ସମସ୍ୟା ହିଁ ସମାଧାନର ବାଟ କଢାଏ । କରୋନା କାଳରେ ପଚାପଡା ଗାଁର ଏକମାତ୍ର ନଳକୂପ ଥିବାରୁ ଜଳ ସମସ୍ୟା ସୃଷ୍ଟି ହୋଇଥିଲା, ପାଣି ନେବାକୁ କଜିଆ ହେଉଥିଲା । କରୋନାର ଭୟ ଭିତରେ ଜଳକଷ୍ଟ ଲୋକଙ୍କ ସମସ୍ୟାକୁ ବଢାଇ ଦେଇଥିଲା । ହେଲେ ଏହାର ସମାଧାନ ପାଇଁ ଅଣ୍ଟା ଭିଡିଥିଲେ ଗାଁ ଝିଅ ସରସ୍ୱତୀ । ପ୍ରଥମେ ମହିଳାମାନଙ୍କୁ ବୁଝାଇ ନଳକୂପକୁ ସଫାସୁତୁରା ରଖିବା ସହ ଅବଶ୍ୟକତାଠୁ ଅଧିକ ଜଳ ଯେମିତି ଖର୍ଚ୍ଚ ନହେବ ସେନେଇ ମହିଳାଙ୍କୁ ବୁଝାଇଥିଲେ । ଆଉ ତାଙ୍କ ନେତୃତ୍ୱରେ ଗାଁରେ ଆରମ୍ଭ ହୋଇଥିଲା ଜଳ ସଂରକ୍ଷଣ ଅଭିଯାନ । ସମସ୍ତଙ୍କ ନିସ୍ୱାର୍ଥପର ସହଯୋଗ ଯୋଗୁଁ ଗାଁରେ ଜଳ କଷ୍ଟ ମଧ୍ୟ ଦୁରେଇଗଲା ଓ ଭାଇଚାରା ବି ବଢିଲା । ଏହା କେବଳ ସରସ୍ୱତୀଙ୍କ ଉଦ୍ୟମ ଯୋଗୁଁ ସମ୍ଭବ ହୋଇପାରିଲା ।

ପଚାପଡା ପାଖ ଗାଁରେ ଏବେ ବିବାହ କରିଛନ୍ତି ସରସ୍ୱତୀ ବାରିକ । ଝିଅରୁ ବୋହୂ ହୋଇଛନ୍ତି, ହେଲେ ମହିଳାଙ୍କ ଉନ୍ନତି ପାଇଁ ଏବେ ବି ଚେଷ୍ଟା ଚଳାଇଛନ୍ତି । ମହିଳାମାନେ କିପରି ସ୍ୱାଭଲମ୍ବୀ ହେବେ ସେ ନେଇ ଉଦ୍ୟମ କରୁଛନ୍ତି । ମିଶନ ଶକ୍ତିରେ ମାଷ୍ଟର ବୁକ କିପର ଭାବେ ଏବେ ସରସ୍ୱତୀ ମହିଳାଙ୍କ ଉନ୍ନତି ପାଇଁ ନିସ୍ୱାର୍ଥପର ଭାବେ କାମ କରୁଛନ୍ତି ।