କନକ ବ୍ୟୁରୋ : ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ଲୋକଙ୍କୁ ବାଧୁଛି। କିନ୍ତୁ ମୋଦୀ ସରକାରଙ୍କ କହିବାନୁସାରେ ଏହି ପେଟ୍ରୋଲ୍ କି ଡିଜେଲ୍ ଗରିବଙ୍କ ପାଇଁ ନୁହେଁ। ଏଣୁ, ସବସିଡି ଦେଇ ବର୍ଧିତ ତୈଳ ଦର ଭରଣା କରିବା ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର। ଏ ପଟେ ଦେଖିଲେଦେଶର ବିଶେଷ କରି ରାଜ୍ୟର ଅନେକ ଗରିବଙ୍କ ପାଇଁ କିରାସିନି ଅତ୍ୟାବଶ୍ୟକ ସାମଗ୍ରୀ। ସେହି ଗରିବଙ୍କ ପାଇଁ କିରାସିନି ମହଙ୍ଗା ହେବାରେ ଲାଗିଛି। ଆଜି କି ଗତକାଲି ନୁହେଁ, ଏକ ବର୍ଷ ଧରି କିରାସିନି ଦର ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର କିରାସିନି ଉପରୁ ସବସିଡି ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ ଅଭିଯାନ ଚଳାଇଛନ୍ତି।

Advertisment

publive-imageଖାଦ୍ୟ ଯୋଗାଣ ବିଭାଗ ସୂଚନା ଅନୁଯାୟୀ ଗତ ପ୍ରାୟ ଏକ ବର୍ଷ ତଳେ ରିହାତିଯୁକ୍ତ କିରାସିନର ମୂଲ୍ୟ ଲିଟର ପିଛା ପ୍ରାୟ ୨୧ ଟଙ୍କା ଥିଲା। ସେହି କିରାସିନି କେବଳ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଉପଲବ୍ଧ। ଦାରିଦ୍ର‌୍ୟ ସୀମାରେଖା ତଳେ(ବିପିଏଲ୍) ଥିବା ଲୋକେ କେବଳ ଏହି କିରାସିନି ପାଇଥାନ୍ତିି। କିନ୍ତୁ ଆଜି ଏହି କିରାସିନିର ମୂଳ ମୂଲ୍ୟ ଉପରେ ଲିଟର ପିଛା ୨୫ ପଇସା ବଢ଼ିଛି। ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରାଯାଉଛି। ଫଳରେ ଏଣିକି ଗରିବଙ୍କ ପାଇଁ ଏହା ୨୭ ଟଙ୍କାରେ ଉପଲବ୍ଧ ହେବ। ପ୍ରତି ୧୫ ଦିନରେ କିରାସିନିର ମୂଳ ମୂଲ୍ୟ ଲିଟର ପିଛା ୨୫ ପଇସା ଲେଖାଏଁ ବୃଦ୍ଧି ପାଇବ ବୋଲି ବିଭାଗକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟରୁ ଆସିଥିବା ପତ୍ରରେ ଉଲ୍ଲେଖ ହୋଇଛି। ପ୍ରତି ୧୫ ଦିନରେ ୨୫ ପଇସା ମୂଳ ମୂଲ୍ୟ(ବେସିକ୍ ପ୍ରାଇସ୍) ବୃଦ୍ଧି ପଛର ଆଭିମୁଖ୍ୟ ହେଉଛି ଯେ ୨୦୧୯ ବେଳକୁ କିରାସିନି ଉପରୁ ସରକାରୀ ସବସିଡି ସଂପୂର୍ଣ୍ଣ ଉଠାଇ ଦିଆଯିବ। କିନ୍ତୁ ସେତେବେଳକୁ ରାଜ୍ୟର ସମସ୍ତ ଲୋକଙ୍କୁ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇଦେବା କେତେ ଦୂର ସମ୍ଭବ ବୋଲି ପ୍ରଶ୍ନ ଉଠୁଛି। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରତି ମାସରେ ପ୍ରାୟ ୨୦୭୦୦ କିଲୋଲିଟର କିରାସିନି ଯୋଗାଇ ଦିଆଯାଉଛି।