ରାଜ୍ୟ ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ୱସ୍ତି : ଘରୋଇ ଓ ବ୍ୟବସାୟିକ କ୍ଷେତ୍ରରେ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର

90

କନକ ବ୍ୟୁରୋ : ଓଡିଶାର ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ୱସ୍ତି । ୨୦୨୩-୨୦୨୪ ଆର୍ଥିକ ବର୍ଷ ବଢିବ ନାହିଁ ବିଜୁଳି ଦର । ପ୍ରେସମିଟ କରି ରାଜ୍ୟ ବିଦ୍ୟୁତ ନିୟାମକ ବା ଓଇଆରସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବଭଳି ପ୍ରଥମ ୫୦ ୟୁନିଟ୍ ପାଇଁ ୟୁନିଟ ପିଚ୍ଛା ୩ ଟଙ୍କା, ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଚ୍ଛା ୪ଟଙ୍କା ୮୦ ପଇସା , ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ୫ଟଙ୍କା ୮୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ ପାଇଁ ୟୁନିଟ ପିଚ୍ଛା ୬ ଟଙ୍କା ୨୦ ପଇସା ରହିଛି ।

ତେବେ ଓଡିଶା ଇଲେକଟ୍ରି ରେଗୁଲାରିଟି କମିଶନ ତାଙ୍କ ଶୁଣାଣିରେ ବହୁ ରିହାତି ଦେଇଛନ୍ତି । ଶୀତଳ ଭଣ୍ଡାରରେ ଚାଷୀଙ୍କ ପାଇଁ ୟୁନିଟ ପିଛା ୧ଟଙ୍କା ୬୦ ପଇସା ରିହାତି ଦିଆଯାଇଛି । ପୂର୍ବରୁ ଏହା ୪ ଟଙ୍କା ୬୦ ପଇସା ରହିଥିଲା ବେଳେ ଏବେ ୩ଟଙ୍କା ଦେବାକୁ ପଡିବ । ଯାହା ଯୋଗୁଁ ରାଜ୍ୟର ଚାଷୀ ଉପକୃତ ହେବେ । ସେହିପରି ସାଧାରଣ ଉପଭୋକ୍ତା, ଡିଜିଟାଲ ମୋଡରେ ପେମେଣ୍ଟ କଲେ ୪ ପ୍ରତିଶତ ରିହାତି ପାଇବେ । ପୂର୍ବରୁ ଏହା ୩ ପ୍ରତିଶତ ରିହାତି ମିଳୁଥିଲା । ଏହା ଛଡା ରେଲବାଇରେ ବିକାଶ ପାଇଁ ୟୁନିଟ ପିଛା ୨୫ ପଇସା ରିହାତି ଦେବାକୁ ଓଇଆରସି ନିଷ୍ପତ୍ତି ନେଇଛି । ଗ୍ରାମାଞ୍ଚଳର ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ଦିଆଯାଇଛି । ଘରୋଇ ଉପଭୋକ୍ତାଙ୍କ ପାଇଁ ଡିପିଏସ ଛାଡ କରାଯାଇଛି ବା ପେନାଲଟି ପଡିବ ନାହିଁ ବୋଲି କମିଶନ ଶୁଣାଣି କରିଛନ୍ତି ।

‘ଅଫ୍‌ ପିକ୍‌ ଆୱାର’ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ ଅଫ୍‌ ପିକ୍‌ ଆୱାର ରାତି ୧୨ଟାରୁ ସକାଳ ୬ଟା ଥିବା ବେଳେ ଏବେ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମୟକୁ ସେଥିରେ ଯୋଡ଼ା ଯାଇଛି । ତେଣୁ ଗ୍ରାହକଙ୍କୁ ୟୁନିଟ୍‌ ପିଛା ୨୦ ପଇସା ରିହାତି ଦେବାର ବ୍ୟବସ୍ଥା ହୋଇଛି । ଗ୍ରିନ୍‌ ଏନର୍ଜି ତଥା ସବୁଜ ଶକ୍ତି ବ୍ୟବହାରକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ସବୁଜ ଶକ୍ତି ସାର୍ଟିଫିକେଟ୍ ପ୍ରିମିୟମ୍ ୟୁନିଟ୍‌ ପିଛା ୫୦ରୁ ୨୫ ପଇସାକୁ ହ୍ରାସ ପାଇଛି। ଯଦି କୌଣସି ଶିଳ୍ପ ସଂସ୍ଥା ନିଜର ଆବଶ୍ୟକତା ଥିବା ୧୦୦ ପ୍ରତିଶତ ଶକ୍ତି ଆବଣ୍ଟନ କମ୍ପାନିଙ୍କଠାରୁ ସଂଗ୍ରହ କରନ୍ତି, ତେବେ ଯେକୌଣସି ବର୍ଗର ଗ୍ରାହକ ସବୁଜ ସାର୍ଟିଫିକେଟ୍‌ ପାଇପାରିବେ ।

ସରଳ ଭାବେ କହିଲେ, ଗ୍ରାହକଙ୍କୁ ବିଦ୍ୟୁତ୍‌ ଚାର୍ଜର ସାଧାରଣ ଦରଠାରୁ ଅଧିକ ୟୁନିଟ୍ ପିଛା ୨୫ ପଇସା ଅତିରିକ୍ତ ଦେୟ ଦେବାକୁ ପଡ଼ିବ । କ୍ୟାପ୍‌ଟିଭ୍‌ ଜେନେରେଟିଂ ପ୍ଲାଣ୍ଟଗୁଡ଼ିକ ଲାଗି ଏହି ସୁବିଧା ଉପଲବ୍ଧ ହେବ ନାହିଁ। ଅକ୍ଷୟ ଶକ୍ତି ପ୍ରକଳ୍ପରୁ ଗ୍ରାହକ ସଂଗ୍ରହ କରୁଥିବା ଶକ୍ତି ଉପରେ ଓପିଟିସିଏଲ୍‌ ପ୍ରତି ୟୁନିଟ୍ ଉପରେ ୨୦ ପଇସା ରିହାତି ପ୍ରଦାନ କରିବ ।