କେଉଁମାନେ ପିନ୍ଧିବେ ମାସ୍କ? ସୁବ୍ରତ କହିଲେ, କାହିଁକି ଦେଖାଦେଉଛି ମାସ୍କ ଅଭାବ?

991

କନକ ବ୍ୟୁରୋ : ପୂରା ବିଶ୍ୱରେ କାୟା ମେଲାଇଛି କରୋନା । ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଏହି ଭାଇରସ ସଂସ୍ପର୍ଶରେ ଆସିଲେ ବ୍ୟାପୁଥିବାରୁ ଅଧିକାଂଶ ଲୋକ ମାସ୍କ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି । ଯାହାଫଳରେ ବଜାରରେ ମାସ୍କ ମିଳୁନଥିବା ଅଭିଯୋଗ ହେଉଛି । ଏପରିକି ମାସ୍କ ନ ପାଇ ସାଧାରଣ ଲୋକ ବ୍ୟସ୍ତ ବିବ୍ରତ ହେଉଥିବାର ଦେଖିବାକୁ ମିଳୁଛି । ଏଭଳି ସ୍ଥଳେ ମାସ୍କ କେଉଁମାନେ ପିନ୍ଧିବା ଆବଶ୍ୟକ ସେନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

ମାସ୍କ କେବଳ ଦୁଇ ଧରଣର ବ୍ୟକ୍ତି ପିନ୍ଧିବା ଆବଶ୍ୟକ । ଯିଏ ସଂକ୍ରମିତ ଅଛି କିମ୍ବା ଯାହାକୁ ସଂକ୍ରମିତ ହେବାର ଆଶଙ୍କା ଥିବ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ମାସ୍କ ପିନ୍ଧିବା ଆବଶ୍ୟକ । ସବୁ ଲୋକ ମାସ୍କ ପିନ୍ଧିବା ନିହାତି ଜରୁରୀ ନୁହେଁ, ହଡବଡେଇକି ମାସ୍କ ପିନ୍ଧିଲେ କିଛି ଲାଭ ହେବ ନାହିଁ । ଡାକ୍ତରଙ୍କ ପରାମର୍ଶ ପରେ ଯେଉଁ ବ୍ୟକ୍ତିଙ୍କର ମାସ୍କର ଆବଶ୍ୟକତା ରହିବ ସେ ପିନ୍ଧିପାରିବେ । ବ୍ୟସ୍ତ ବିବତ୍ର ହୋଇ ମାସ୍କ କିଣି ଘରେ ଗଚ୍ଛିତ ରଖିବାରୁ ବଜାରରେ ମାସ୍କର ଅଭାବ ଦେଖାଯାଉଛି ବୋଲି କହିଛନ୍ତି ସୁବ୍ରତ ।

ଏହାଛଡା ଏହି ଭାଇରସ ଆଖି ବାଟେ ମଣିଷକୁ ସଂକ୍ରମତି କରିପାରେ । ତେଣୁ ମାସ୍କ ପଛରେ ନ ପଡି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ । ସେହିଭଳି ବଜାରରେ ସାନିଟାଇଜର ସଙ୍କଟକୁ ନେଇ ସୁବ୍ରତ କହିଛନ୍ତି, ସାନିଟାଇଜର ନଥିଲେ ସାବୁନ ବ୍ୟବହାର କରନ୍ତୁ । ଦିନକୁ ୫ରୁ ୬ ଥର ସାବୁନରେ ହାତ ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି । ଖାଇବା ପୂର୍ବରୁ କିମ୍ବା କୌଣସି ସାମଗ୍ରୀ ବା ବସ୍ତୁକୁ ଛୁଇଁଥିଲେ ହାତକୁ ଭଲ ଭାବେ ଧୋଇନିଅନ୍ତୁ । ସେହିଭଳି ଘରକୁ କାମ କରିବାକୁ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସାବୁନ ଦେଇ ସଚେତନ କରିବାକୁ କହିଛନ୍ତି ସୁବ୍ରତ ।