ପୁଣି ଫେରିଲା ସୁବ୍ରତ ବାଗଚୀଙ୍କ ଗପ: ହେଲେ ଏଥର ଟିଭିରେ ନୁହେଁ, ଖବର କାଗଜରେ ଲେଖିଲେ ସଂପାଦକୀୟ; କହିଲେ, କରୋନା ସଂକ୍ରମଣ ଦୃଷ୍ଟିରୁ ଜୁନ ସହ ଜୁଲାଇ ବି ଗୁରୁତ୍ୱପୂର୍ଣ୍ଣ

ମୁକାବିଲା ପାଇଁ ଦେଲେ ବାଘ ହରିଣ ଗପର ଉଦାହରଣ

2,889

କନକ ବ୍ୟୁରୋ: ପୁଣି ଫେରିଲା ସୁବ୍ରତ ବାଗଚିଙ୍କ ଗପ । ହେଲେ ଏଥର ଟିଭିରେ ନୁହେଁ, ବରଂ  ଖବର କାଗଜରେ ସମ୍ପାଦକୀୟ ଲେଖିଛନ୍ତି ବାଗଚି । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ଭାବରେ ପ୍ରତିଦିନ ଅପରାହ୍ନ ସାଢେ ୪ଟାରେ ରାଜ୍ୟବାସୀଙ୍କୁ ସରକରଙ୍କ କରୋନା ମୁକାବିଲା ରଣନୀତି ବାବଦରେ ଅବଗତ କରାଉଥିଲେ ସୁବ୍ରତ ବାଗଚି । ଅତି ସୁନ୍ଦର ଶୈଳୀରେ ଛୋଟ ଛୋଟ ଗପ ଜରିଆରେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରୁଥିଲେ । ଏବେ ଖବର କାଗଜରେ ସମ୍ପାଦକୀୟ ଲେଖି କରୋନା ମୁକାଲି ପାଇଁ ସରକାର ନେଉଥିବା ସତର୍କତା ମୂଳକ ପଦକ୍ଷେପକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ଜୁନ ମାସାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହୁଥିବାବେଳେ ଜୁନ୍ ସହିତ ଜୁଲାଇ ମାସକୁ ବି ଗୁରୁତ୍ୱପୂର୍ଣ୍ଣ ବୋଲ କହିଛନ୍ତି ବାଗଚି ।

ଜୁନ-ଜୁଲାଇରେ କରୋନାର ସମ୍ଭାବ୍ୟ ବିସ୍ଫୋରଣ ପାଇଁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି । ଆଉ ଚିରାଚରିତ ଢଙ୍ଗରେ ବାଘ-ହରିଣ ଗପ ମାଧ୍ୟମରେ ନିଜ କଥାଟିକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ବାଗଚି । … ହରିଣ ଶିକାର କରିବା ପାଇଁ ବାଘ ପାଣି ପାଖରେ ଲୁଚିରହେ । ସେଥିପାଇଁ ବାଘ ଆସିବା ଆଗରୁ କିମ୍ବା ଯିବା ପରେ ପାଣି ପାଖକୁ ଯାଏ ହରିଣ । ବାଘ ଆକ୍ରମଣରୁ ରକ୍ଷା ପାଇବା ପାଇଁ ହରିଣ ପଲ, ହନୁ ମାଙ୍କଡ ସହ ମେଂଟ କରନ୍ତି । ହନୁ ହୁଁ ହୁଁ କରି ହରିଣ ପଲକୁ ଗଛ ଉପରୁ ସତର୍କ କରାଇଦିଏ ।

ସେହିଭଳି କରୋନା ମହାବଳକୁ ଜଗି ନିଜକୁ ସଜାଗ ଓ ସଚେତନ କରି ନୂଆ ମେଂଟ ଗଢି କେତୋଟି ସପ୍ତାହ ରହିଲେ ଖାଦ୍ୟ ଅଭାବରୁ ବାଘ ଅନ୍ୟ ଜଙ୍ଗଲକୁ ଚାଲିଯିବ । ସେହିପରି ବାଘ ଦୁର୍ବଳ ଓ ବୟସ୍କଙ୍କୁ ଆକ୍ରମଣ ସହଜରେ କରିଥାଏ । ତେଣୁ ଜଙ୍ଗରେ ରହୁଥିବା ପ୍ରାଣୀମାନେ ଯେମିତି କମ ବଳ ସଂପନ୍ନଙ୍କୁ ଘରେ ରଖିଦିଅନ୍ତି । ଆମକୁ ସେମିତି ଘରର ବୟସ୍କ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ଓ ଶିଶୁମାନଙ୍କୁ ଘର ଭିତରେ ରଖି କରୋନା କବଳରୁ ବଂଚାଇବାକୁ ପଡିବ ବୋଲି ଅତି ସୁନ୍ଦର ଭାବରେ ବୁଝାଇ ଦେଇଛନ୍ତି ।