ନ୍ୟୁଜ୍ ମେକର ୨୦୨୦ରେ କରୋନା କାଳର ଅଭିଜ୍ଞତା ବଖାଣିଲେ ଅତିଥି । ସୁବ୍ରତଙ୍କ ମୁହଁରେ ଥିଲା ମହାମାରୀ ମୁକାବିଲାର କାହାଣୀ, ସମ୍ବିତ କରିଥିଲେ ରାଜନୀତି ଚର୍ଚ୍ଚା । 

83

କନକ ବ୍ୟୁରୋ : ମହାମାରୀ କରୋନା କାଳରେ କିଭଳି ଥିଲା ଅଭିଜ୍ଞତା. କନକ ନ୍ୟୁଜ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନ୍ୟୁଜମେକର-୨୦୨୦ରେ ଯୋଗ ଦେଇ ସେମାନଙ୍କ ଅନୁଭୂତି ବଖାଣିଛନ୍ତି ବରିଷ୍ଠ ରାଜନେତା ଓ ତତ୍କାଳିନ କୋଭିଡ ମୁଖପାତ୍ର । କରୋନା ଲଢ଼େଇରେ ଆଗରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା କେତେ ଆହ୍ୱାନପୂର୍ଣ୍ଣ ରହିଥିଲା, ନିଜ ଅଭିଜ୍ଞତା କହିଥିଲେ, କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ।

ଅବସର ଥିଲା କନକ ନ୍ୟୁଜର ନ୍ୟୁଜ ମେକର କାର୍ଯ୍ୟକ୍ରମ । ଚଳିତ ବର୍ଷ ଯେଉଁମାନେ ଖବରର ଶିରୋନାମା ପାଲଟିଥିଲେ, ସେମାନଙ୍କୁ ଗୋଟିଏ ମଂଚରେ ଏକାଠି କରିବାକୁ ହୋଇଥିଲା ପ୍ରୟାସ । କରୋନା ମହାମାରୀ ଓ ଏହାର ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ।

କରୋନା ମହାମାରୀ ଯେତେବେଳେ ଓଡ଼ିଶାରେ କାୟା ମେଲାଇଥିଲା, ସେତେବେଳେ ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟକୁ ଅପେକ୍ଷା କରି ରହୁଥିଲେ ରାଜ୍ୟବାସୀ । କିପରି ସେ ଲୋକଙ୍କୁ ସଚେତନତାର ବାର୍ତା ଦେଉଥିଲେ, କିପରି ଏହାର ଡ୍ରାଫ୍ଟ ପ୍ରସ୍ତୁତ ହେଉଥିଲା, ନ୍ୟୁଜ ମେକର କାର୍ଯ୍ୟକ୍ରମରେ ନିଜ ଅନୁଭୂତି ବଖାଣିଛନ୍ତି ସୁବ୍ରତ ବାଗ୍ଚୀ । ସକାଳ ସାଢେ ୫ଟାରେ ଫାଇଭ-ଟି ସଚିବଙ୍କ ଫୋନ ଆସୁଥିଲା ଓ କରୋନାର ୨୪ ଘଣ୍ଟିଆ ରିପୋର୍ଟ ନିଆଯାଉଥିଲା । ଏପରିକି କିଭଳି ମୁକାବିଲା କରାଯିବ ସେନେଇ ଆଲୋଚନା ହୁଏ ।

ସେହିଭଳି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଯୋଗ ଦେଇଥିଲେ ନ୍ୟୁଜ ମେକର କାର୍ଯ୍ୟକ୍ରମରେ । କେନ୍ଦ୍ର ସରକାରଙ୍କ ଲକଡାଉନ୍ ଘୋଷଣା, ଦାଦନ ଶ୍ରମିକଙ୍କ ସମସ୍ୟା ସଂପର୍କରେ କହିବା ସହ ରାଜ୍ୟ ରାଜନୀତି ସଂପର୍କରେ ବି ମତ ଦେଇଥିଲେ ସମ୍ବିତ । ସେ କହିଥିଲେ, ବିଜେପି-ବିଜେଡି ମଧ୍ୟରେ କିଛି ସଂପର୍କ ନାହିଁ, ୨୦୨୪ରେ ରାଜ୍ୟରେ ସରକାର ଗଢ଼ିବ ବିଜେପି ।

କିଟ୍, କିସ୍ ଓ କିମସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କରୋନା ସମୟରେ ନିଜର ଅଭିଜ୍ଞତା କହିଥିଲେ । ନିଜ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରିବା ସହ କରୋନା ଲଢ଼େଇରେ କିମସ କୋଭିଡ୍ ହସପିଟାଲର ଭୂମିକାକୁ ନେଇ ସମସ୍ତ ଶ୍ରେୟ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ସେ ଦେଇଥିଲେ । କରୋନା ମହାମାରୀ, ଲକଡାଉନ୍, ସଟଡାଉନ୍ ଭିତରେ ଘୁରି ବୁଲିଥିଲା ବର୍ଷ ୨୦୨୦ । କରୋନା ଯୋଦ୍ଧାମାନେ ହିଁ ପାଲଟିଛନ୍ତି ଚଳିତ ବର୍ଷର ନ୍ୟୁଜ୍ ମେକର ।