ନିୟମ ଭାଙ୍ଗି ବନ୍ଧା ହେଲେ: ତାଲାବନ୍ଦ ନିୟମ ଭାଙ୍ଗି ୪୨୭ ଗିରଫ; ଭଦ୍ରକରେ ସାମାଜିକ ଦୂରତ୍ୱ କଟକଣା ଅବମାନନା ଅଭିଯୋଗରେ ୧୯ ଜଣ ଦୋକାନୀଙ୍କୁ ବାନ୍ଧି ନେଲା ପୁଲିସ୍

564

କନକ ବ୍ୟୁରୋ: ରାଜ୍ୟରେ କୋଭିଡ-୧୯ ନିୟମ ଏବଂ ମାର୍ଗଦର୍ଶିତ। ଉଲ୍ଲଂଘନ ଅଭିଯୋଗରେ ଗତ ୨୪ ଘଂଟା ମଧ୍ୟରେ ୨ଶହ ୪୯ଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୨୩୩ଟି ମାମଲା ଲକଡାଉନ ସଂପର୍କିତ ହୋଇଥିବା ବେଳେ ୫ଟି ଗୁଜବ ସୃଷ୍ଟି କରିଥିବା ଅଭିଯୋଗ ଏବଂ ୧୧ଟି କୋଭିଡ ୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ସେହିଭଳି ବିଭିନ୍ନ ଅଭିଯୋଗରେ ୪୨୭ ଜଣ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ଭଦ୍ରକରେ ସାମାଜିକ ଦୂରତ୍ୱ ନିୟମ ଭଙ୍ଗ ଅଭିଯୋଗରେ ୧୯ ଜଣ ଦୋକାନୀଙ୍କୁ ଗିରଫ କରିଛି ପୁଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ ।

ଅନ୍ୟପଟେ, ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡିଶାରେ ୧୮୮୮ଟି ନମୂନା କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ସମୁଦାୟ ୩୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବଂ ଏମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ କୋଭିଡ-୧୯ ପିଜିଟିଭଙ୍କ ମଧ୍ୟରେ ଭୁବନେଶ୍ୱରରୁ ୩୨ ଜଣ, ଭଦ୍ରକରୁ ୩ ଜଣ, ପୁରୀ, କଟକ, କଳାହାଣ୍ଡି ଏବଂ ଯାଜପୁରରୁ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ ଥିବା ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ । ସେହିପରି ରାଜ୍ୟରେ ବର୍ତମାନ ସୁଦ୍ଧା ୩୯ ଜଣ କରୋନା ଆକ୍ରାନ୍ତ ରହିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏହା ସହ ରାଜ୍ୟରେ ବିଭିନ୍ନ ସହରରେ ୭ଟି କୋଭିଡ ୧୯ ହସ୍ପିଟାଲ ସ୍ଥାପନ ହେଉଛି । ଏଥି ମଧ୍ୟରୁ ୩ଟି କାର୍ଯ୍ୟକ୍ଷମ ହୋଇ ସାରିଥିବା କହିଛନ୍ତି ବାଗଚୀ ।