ସୁସ୍ଥ ହେଉଛନ୍ତି ଓଡ଼ିଶାର କରୋନା ଆକ୍ରାନ୍ତ । ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ ୪୭ ସାମ୍ପଲରୁ ୪୬ ନେଗେଟିଭ । ଦୁଇ ଦିନରେ ପଞ୍ଜୀକରଣ କଲେ ୨୧୦୦ରୁ ଅଧିକ ବିଦେଶ ଫେରନ୍ତା

593

କନକ ବ୍ୟୁରୋ: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ବଢି ଚାଲିଥିବା ବେଳେ ଓଡିଶା ପାଇଁ ଆଶ୍ୱସ୍ତିକର ଖବର ହେଉଛି ଯେ, ରାଜ୍ୟରେ ଆଜି ଆଉ କୌଣସି ବ୍ୟକ୍ତି ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି । ତେବେ ବିଶ୍ୱର ୧୬୭ଟି ଦେଶକୁ ବ୍ୟାପିଛି କରୋନା ଭୂତାଣୁ । ମୋଟ ୧ ଲକ୍ଷ ୯୯ ହଜାର ୧୯୩ ଜଣ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ବିଶ୍ୱରେ ଚୀନ, ଇଟାଲୀ, ଇରାନ, ସ୍ପେନ ଓ ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ।

ଆଜି ସୁଦ୍ଧା ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୪୮ । ସେଥିରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ଏଯାଏଁ ୪୭ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୪୬ ଜଣଙ୍କ ନେଗେଟିଭ୍ ରହିଛି । କେବଳ ଜଣେ ମାତ୍ର ଆକ୍ରାନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କ ଅବସ୍ଥା ମଧ୍ୟ ସ୍ଥିର ରହିଛି । ଗତକାଲି ରାଜ୍ୟର ୧୨ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସମସ୍ତ ୧୨ଟି ଯାକ ନମୁନା ନେଗେଟିଭ୍ ଆସିଛି । ଆଜି ଆଉ ୬ଟି ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି ବୋଲି ସୁବ୍ରତ ବାଗଚୀ କହିଛନ୍ତି ।

ତେବେ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଧିରେଧିରେ ସୁସ୍ଥ ହେଉଥିବା ସେ କହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ବେଳେ ଆଜି ସକାଳେ ସେ ଉପମା, ବିସ୍କୁଟ, ମଟର ତରକାରୀ ଖାଇଥିଲେ ଏବଂ ପରେ ଦ୍ୱିପ୍ରହରେ ଭାତ, ଡାଲମା, ରୁଟି ସହ ତରକାରୀ ମଧ୍ୟ ଖାଇଛନ୍ତି ବୋଲି ବାଗଚୀ କହିଛନ୍ତି ।

ସେପଟେ ସଚେତନତା ପାଇଁ ବାଗଚୀ ବଖାଣିଛନ୍ତି ଜଗନ୍ନାଥ ତତ୍ୱ । କରୋନା ଓ ମହାପ୍ରଭୁ ଜଗନ୍ନାଥଙ୍କ ରୀତିନୀତି ମଧ୍ୟରେ ରହିଥିବା ସାମଞ୍ଜସ୍ୟ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି, ମହାପ୍ରଭୁ ସ୍ନାନ କରିବା ପରେ ତାଙ୍କୁ ଜ୍ୱର ହୋଇଥାଏ । ସେ ଭୂତାଣୁରେ ଆକ୍ରାନ୍ତ ହୋଇଥାନ୍ତି । ଏହା ପରେ ସେ ୧୪ ଦିନ ଅଣସର ଘରେ ରହିଥାନ୍ତି । ଅର୍ଥାତ୍ ଜଗନ୍ନାଥ ମଧ୍ୟ କ୍ୱାରେଂଟାଇନରେ ରହନ୍ତି । ତେଣୁ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ହେଲେ ସଂକ୍ରମିତ ବ୍ୟକ୍ତି କ୍ୱାରେଂଟାଇନରେ ରହିବା ଉଚିତ ।