କରୋନା ମୁକାବିଲା : ନକ୍ ଡାଉନ ପାଇଁ ଲକ୍ ଡାଉନ…‘କରୋନା’ ସ୍ଥିତି ନେଇ ୨୪ ଘଂଟିଆ ରିପୋର୍ଟ ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର

946

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ କଠୋର ପଦକ୍ଷେପ । ରାଜ୍ୟର ୫ଟି ଜିଲ୍ଲା ଓ କିଛିି ୮ଟିକୁ ଲକ୍ ଡାଉନ କରିବା ପାଇଁ ଘୋଷଣା କଲେ ସରକାର । ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୪୦ପ୍ରତିଶତ ଅଂଚଳକୁ ଲକ୍ ଡାଉନ ଘୋଷଣା କରାଯାଇଛି । ୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ଘରେ ରହିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବାସ ବାଗଚୀ ।

ଗତ କିଛି ଦିନ ମଧ୍ୟରେ ବିଦେଶରୁ ୩ ହଜାରରୁ ଅଧିକ ଲୋକ ଓଡିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି, ଖୋର୍ଧା, ଅନୁଗୁଳ, ଗଂଜାମ, କଟକ , କେନ୍ଦ୍ରାପଡା ଏବଂ ଅନୁଗୁଳ ଜିଲ୍ଲାର । ତେଣୁ ପ୍ରଥମ ପର୍ଯ୍ୟାୟର ଏହି ୫ଟି ଜିଲ୍ଲାର ସମସ୍ତ ସହର ଏବଂ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର,ରାଉରକେଲା, ପୁରୀ , ଭଦ୍ରକ, ଯାଜପୁରରୋଡ ଏବଂ ଯାଜପୁର ଟାଉନରେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ୨୯ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବାସ ବାଗଚୀ । ତେବେ ଅତି ଜରୁରୀ ନହେଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ବସ୍, ଟ୍ରେନ ଓ ବିମାନ ସେବା ସ୍ୱାଭାବିକ ଭାବେ ଚାଲିବ । ଏବଂ ସଉଦା, ମାଛ, ମାଂସ, ପରିବା, ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଖୋଲା ରହିବା ନେଇ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ।

ଅନ୍ୟପଟେ, ଶନିବାର ସୁଦ୍ଧା ଓଡିଶାରେ ମୋଟ ୭୦ଜଣଙ୍କ ନମୂନା ପରୀକ୍ଷା ହୋଇଛି । ରାଜ୍ୟରେ ଦୁଇ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୩ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ଏହାସହ ଓଡିଶାର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫୬ଜଣଙ୍କ ମଧ୍ୟରୁ ୫୩ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କୁ ଠାବ କରିବା ପାଇଁ ୯ଟି ଟିମ କାମ କରୁଛନ୍ତି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର  ।