ତୃତୀୟ ଆକ୍ରାନ୍ତ ଚିହ୍ନଟ ପରେ ବଢିଲା ଆଶଙ୍କା । ସୁବ୍ରତ କହିଲେ, ଫେଜ୍‌-୨ରୁ ଫେଜ-୩କୁ ଯିବାର ସମ୍ଭାବନା ଦେଖୁଛୁ । ସତର୍କ ରହିବାକୁ ଦେଲେ ପରାମର୍ଶ ।

5,718

କନକ ବ୍ୟୁରୋ : ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହେବା ପରେ ସମୂହ ସଂକ୍ରମଣର ଆଶଙ୍କା ବଢିଛି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ତୃତୀୟ ବ୍ୟକ୍ତିଙ୍କ ଚିହ୍ନଟ ହେବା ଫେଜ-୨ରୁ ଫେଜ-୩କୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଦେଖୁଛୁ । ତେଣୁ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ସାବଧାନରେ ରହିବାକୁ ପଡିବ ବୋଲି ସତର୍କ କରାଇଛନ୍ତି ସୁବ୍ରତ । ଫେଜ-୩ ସଂକ୍ରମିତ ହେବାର ଆଶଙ୍କା ଏଥିପାଇଁ ବଢିଯାଇଛି କାରଣ ଫେଜ-୧ରେ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ଦେଖିବାକୁ ମିଳୁଥିଲା । ପରବର୍ତ୍ତୀ ସମୟରେ ଗତ କିଛି ଦିନ ମଧ୍ୟରେ ରାଜ୍ୟ ବାହାରେ କାମ କରୁଥିବା ହଜାର ହଜାର ସଂଖ୍ୟକ ଲୋକେ ଘରକୁ ଫେରିଛନ୍ତି । ସେମାନଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଏଭଳି ସ୍ଥିତିରେ ତୃତୀୟ ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହେବା ଫେଜ-୨ରୁ ଫେଜ-୩କୁ ଯିବାର ସମ୍ଭାବନା ଦେଖୁଛୁ ବୋଲି କହିଛନ୍ତି ସୁବ୍ରତ । ତେଣୁ ଏଭଳି ସମ୍ବେଦନଶୀଳ ସମୟରେ ସମସ୍ତଙ୍କୁ ସାବଧାନ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ । ତୃତୀୟ ଆକ୍ରାନ୍ତ ବ୍ୟକ୍ତି ଜଣକ ଗତ ୧୦ ତାରିଖରେ ଦିଲ୍ଲୀରୁ ଇଣ୍ଡିଗୋ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ଗତ ୧୬ ତାରିଖରେ ବିଧାନସଭାର ଡିସପେନସରୀରେ ପହଞ୍ଚିଥିଲେ । ଉପଶମ ନ ହେବାରୁ ଗତ ୨୧ ତାରିଖରେ କର କ୍ଲିନିକର ଓପିଡିକୁ ଯାଇଥିଲେ । ପରେ ୨୩ ତାରିଖରେ ନିମୋନିଆ ପାଇଁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ୨୪ ତାରିଖରେ ଡିସଚାର୍ଜ ହେବା ପରେ ୨୫ ତାରିଖରେ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ । ଗତକାଲି ରାତିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସ୍ତ୍ରୀ, ଝିଅ ଓ ଗାଡି ଡ୍ରାଇଭରଙ୍କୁ ଆଇସୋଲେସନରେ ରଖାଯାଇଛି । କିନ୍ତୁ ୧୦ରୁ ବିମାନରେ ଆସିବା ଠାରୁ ଆରମ୍ଭ କରି ୨୫ ତାରିଖ କ୍ୟାପିଟାଲ ହସ୍ପିଟାଲକୁ ଆସିବା ପର୍ଯ୍ୟନ୍ତ କିଏ କିଏ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେନେଇ ଯାଞ୍ଚ ଜାରି ରହିଛି । ତେବେ ଏହି ସମୟ ମଧ୍ୟରେ ଉପରୋକ୍ତ ସ୍ଥାନ ଗୁଡିକ ଯାଇଥିଲେ ନିଜକୁ ୧୪ ଦିନର କ୍ୱାରେଣ୍ଟାଇନରେ ରଖିବା ସହ ୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । କାରଣ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରୁ ଯଦି କେହି ସଂକ୍ରମିତ ହୋଇଥାନ୍ତି ତେବେ ଏହା ଷ୍ଟେଜ-୩କୁ ଯିବାର ଯଥେଷ୍ଟ ଆଶଙ୍କା ରହିଛି ।