ସାମ୍ପ୍ରଦାୟିକ ମନୋଭାବ ଭୂତାଣୁ ଠାରୁ ବି ଭାରି ଭୟଙ୍କର, ଓଡିଶାରେ ଏହାର ସ୍ଥାନ ନାହିଁ… କାଳିଆ ସାଆନ୍ତଙ୍କ ପରମ ଭକ୍ତ ସାଲବେଗଙ୍କ କାହାଣୀ କହି ବୁଝାଇଦେଲେ ବାଗଚୀ

814

କନକ ବ୍ୟୁରୋ: ସୁବ୍ରତଙ୍କ ମୁହଁରେ ସାଲବେଗ କାହାଣୀ । କାଳିଆ ସାଆନ୍ତଙ୍କ ପରମ ଭକ୍ତର କାହାଣୀ କହିଲେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସରକାରଙ୍କ ସାମ୍ପ୍ରଦାୟିକ ସଦଭାବନାର ବାର୍ତ୍ତା ଦେଲା ବେଳେ ଭକ୍ତ ସାଲବେଗଙ୍କ କଥା କହିଛନ୍ତି ସୁବ୍ରତ । ତେବେ ସାଲବେଗ ବୃନ୍ଦାବନ ଯାତ୍ରାରେ ଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପଡିଥିଲା । ଆଉ ରଥ ଉପରେ ନିଜ ପ୍ରିୟ ଠାକୁରଙ୍କ ଦର୍ଶନରୁ କାଳେ ସେ ବଞ୍ଚିତ ହେବେ ତେଣୁ ବୃନ୍ଦାବନରୁ କାଳିଆ ଠାକୁରଙ୍କୁ ଗୁହାରୀ କରିଥିଲେ ।

ସାଲବେଗ ହିନ୍ଦୁ ନଥିଲେ ମାତ୍ର ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ । ରଥ ଉପରେ ହିଁ ନିଜ ପ୍ରିୟ ଠାକୁରକୁ ଦେଖି ସେ କୃତ୍ୟ କୃତ୍ୟ ହୁଅନ୍ତି ମାତ୍ର ବୃନ୍ଦାବନରେ ଥିବାରୁ କାଳେ ଦେଖି ନପାରିବେ ତେଣୁ କାଳିଆକୁ ବୃନ୍ଦାବନରୁ ହାତ ଠାରି ଅଟକିବାକୁ କହିଥିଲେ ବୋଲି କିମ୍ବଦନ୍ତୀ କୁହେ । ‘୭ ଶହ ପଚାଶ କୋଷ ଚାଲି ନପାରଇ, ମୋ ଯିବା ଯାଏଁ ନନ୍ଦିଘୋଷେ ଥିବ ରହି…’ ଜଗନ୍ନାଥଙ୍କୁ ଏମିତି କହି ବୃନ୍ଦାବନରୁ ବିନତୀ କରିଥିଲେ ସାଲବେଗ । ଆଉ ତାପରେ ସାଲବେଗ ଆସିବା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ରଥ ଉପରେ ଅଟକି ରହିଲେ । ଏବେବି ସାଲବେଗଙ୍କ ସମାଧି ସ୍ଥଳ ବଳଗଣ୍ଡି ଠାରେ କାଳିଆ ସାଆନ୍ତଙ୍କ ରଥ କିଛି ସମୟ ପାଇଁ ଅଟକି ଯାଏ । ସାଲବେଗଙ୍କ କାହାଣୀ ସାମ୍ପ୍ରଦାୟିକ ସଦଭାବନାର କଥା ବଖାଣିଛନ୍ତି ବାଗଚୀ ।

ଓଡିଶା ସାମ୍ପ୍ରଦାୟିକ ମନୋଭାବ ରଖୁନଥିବା ରାଜ୍ୟ । ଓଡିଶାରେ ଏହାର କୌଣସି ସ୍ଥାନ ନାହିଁ । ସାମ୍ପ୍ରଦାୟିକ ମନୋଭାବ ଭୂତାଣୁ ଠାରୁ ବି ଭୟଙ୍କର । ଓଡିଶାରେ ସବୁ ଧର୍ମର ଲୋକଙ୍କୁ ସମ୍ମାନ ଦିଆଯାଏ । ଓଡିଶାର ତୀର୍ଥ ସ୍ଥଳୀକୁ ନାନକ ଆସିଛନ୍ତି, ଶ୍ରୀଚୈତନ୍ୟ ଆସିଛନ୍ତି । ତେଣୁ ଏଠି ମାନବ ଧର୍ମ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କହି ସାମ୍ପ୍ରଦାୟିକ ମନୋଭାବ ରଖୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି ସୁବ୍ରତ ।

ଦୀର୍ଘଦିନ ଧରି ଗଣମାଧ୍ୟମରେ ଦିଲ୍ଲୀର ଜମାତ ସମ।।ବେଶକୁ ନେଇ ଚର୍ଚ୍ଚା ଚାଲିଛି । ଏହି ସମାବେଶରେ ଯୋଗ ଦେଇଥିବା ଅନେକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସେଥିପାଇଁ ସୋସିଆଲ ମିଡିଆରେ ଅନେକ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଦେଉଥିବା ଅଭିଯୋଗ ହେଉଛି । ଆଉ ଏତିକିବେଳେ ସରକାରଙ୍କ ପକ୍ଷରୁ ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା ପାଇଁ ଜଗନ୍ନାଥଙ୍କ ଭକ୍ତ ସାଲବେଗଙ୍କ କାହାଣୀକୁ ସାମ୍ନାକୁ ଅଣାଯାଇଛି ।

ସାଂପ୍ରଦାୟିକ ମନୋଭାବ ଭୂତାଣୁ ଠାରୁ ଭୟଙ୍କର

ସାଂପ୍ରଦାୟିକ ମନୋଭାବ ଭୂତାଣୁ ଠାରୁ ଭୟଙ୍କର । ଓଡ଼ିଶାରେ ଏହାର ସ୍ଥାନ ନାହିଁ, ସାଲବେଗଙ୍କ କାହାଣୀ କହି ବୁଝାଇଦେଲେ ସୁବ୍ରତ । #OdishaFightsCoronaVirus #OdishaUnderLockDown #SubrotoBagchiInformation & Public Relations Department, Government of Odisha

Posted by Kanak News on Monday, April 6, 2020