ରାଜ୍ୟର ‘କରୋନା’ ରିପୋର୍ଟ ଦେଲେ ସୁବ୍ରତ । ଭୟଭୀତ ନ ହୋଇ ଦମ୍ଭର ସହ କାମ କରିବାକୁ ଦେଲେ ପରାମର୍ଶ । ଜାଣନ୍ତୁ ରାଜ୍ୟ ଓ ଦେଶରେ ‘କରୋନା’ର ସ୍ଥିତି କଣ?

1,276

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବଡ ପଦକ୍ଷେପ ନେଉଛନ୍ତି । ଏସବୁ ଭିତରେ ଆଜି ୨ଟା ସୁଦ୍ଧା ୧୫୭ ଦେଶକୁ କରୋନା ବ୍ୟାପିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ୧୫୭ ଦେଶରେ ମୋଟ ୧୭୦୧୮୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮୫୮୮୦ ଜଣ ଚିକିତ୍ସିତ ହେଉଛନ୍ତି । ସେହିଭଳି ୮୪୩୦୭ ଜଣଙ୍କର ଚିକିତ୍ସା ଶେଷ ହୋଇଛି । ସବୁଠୁ ବଡ କଥା ହେଲା, ଏମାନଙ୍କ ମଧ୍ୟରୁ ୭୦୭୮୨ ଜଣ ଭଲ ହୋଇ ଫେରିଛନ୍ତି । ଯାହା ପୂରା ବିଶ୍ୱ ପାଇଁ ଏକ ଭଲ ଖବର । ତେଣୁ ଭୟଭୀତ ନ ହୋଇ ଦମ୍ଭର ସହ କାମ କରିବାକୁ ପଡିବ ।

ସେହିଭଳି ଭାରତରେ ୧୧୫ ଜଣ ସଂକ୍ରମିତ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତେବେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଆତଙ୍କିତ ହେବାରେ କାରଣ ନାହିଁ ବୋଲି କହିଛନ୍ତି ସୁବ୍ରତ । ଓଡ଼ିଶାରେ ଏହି ବ୍ୟକ୍ତି ଜଣକ ୫୩ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ସେମାନଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଟ୍ରେନରେ ଆସୁଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ୭୬ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଯେଉଁମାନଙ୍କ ବାବଦରେ ଏବେ ସରକାର ତଥ୍ୟ ହାସଲ କରୁଛନ୍ତି ।

ଓଡ଼ିଶାକୁ ଫେରିବା ପରେ ଉକ୍ତ ବ୍ୟକ୍ତି ଯେଉଁ ଘରୋଇ ଡାକ୍ତରଙ୍କ କ୍ଲିନିକକୁ ଯାଇଥିଲେ ତାଙ୍କର କ୍ଲିନିକକୁ ବନ୍ଦ କରିଦିଆଯିବା ସହ ସେଠାରେ ଥିବା ଓ କର୍ମଚାରୀଙ୍କୁ ନିରୀକ୍ଷଣରେ ରଖାଯାଇଛି ବୋଲି କହିଛନ୍ତି ସୁବ୍ରତ ବାଗଚୀ ।