ଗୋପବନ୍ଧୁଙ୍କ କଥା କହିଲେ, ଭୀମ ଭୋଇଙ୍କ ଗୀତ ଗାଇଲେ… ସଙ୍କଟ ସମୟରେ ଗୋପବନ୍ଧୁଙ୍କ ଭଳି ଅନ୍ୟକୁ ସାହାଯ୍ୟ କରିବାକୁ ଆହ୍ୱାନ ଦେଲେ ସୁବ୍ରତ ବାଗଚୀ

796

କନକ ବ୍ୟୁରୋ: ସୁବ୍ରତଙ୍କ ମୁହଁରେ ଗୋପବନ୍ଧୁଙ୍କ ସାହାଯ୍ୟର କାହାଣୀ । କରୋନା ମୁକାବିଲା ଏବଂ ସଚେତନତା ପାଇଁ ଉକ୍ରଳମଣୀ ଗୋପବନ୍ଧୁ ଦାସଙ୍କ କଥା କହିଲେ ସୁବ୍ରତ ବାଗଚୀ । ଗୀତ ଗୋବିନ୍ଦ ସଦନରେ ଗୋପବନ୍ଧୁଙ୍କ ଉଦାହରଣ ଦେଇ ସଙ୍କଟ ସମୟରେ କେମିତି ଆମେ ଅନ୍ୟକୁ ସାହାଯ୍ୟ, ସହଯୋଗ କରିପାରିବା ସେନେଇ ଗୋପବନ୍ଧୁଙ୍କ ବନ୍ୟା ବେଳର ଗପ କହିଛନ୍ତି ସୁବ୍ରତ ।

ବିଦେଶୀ କିମ୍ବା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଏଭଳି କାର୍ଯ୍ୟକଳାପ ବିଶ୍ୱରେ ଓଡିଶାର ନାଁ ନୁହେଁ ଭାରତର ନାଁ ଖରାପ କରିବ ତେଣୁ ଏଥିପ୍ରତି ଧ୍ୟାନ ଦେବା ସହ ବାହାରୁ ଆସୁଥିବା ଲୋକଙ୍କୁ ସହଯୋଗ କରନ୍ତୁ ବୋଲି ସୁବ୍ରତ କହିଥିଲେ ।

ତେବେ ଅନ୍ୟକୁ ସାହାଯ୍ୟ କରିବା କଥା କହିବା ବେଳେ ସେ ଗୋପବନ୍ଧୁ ଦାସଙ୍କ କଥା ଅବତାରଣା କରିଥିଲେ । ବନ୍ୟା ଜଳରେ ଯେତେବେଳେ ଓଡିଶା ଭାସିଯାଉଥିଲା ସେତେବେଳେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲେ ସେ । ଘରେ ରୋଗୀଣା ପୁଅ ଥାଇ ବି ସେ ସାହାଯ୍ୟ କରିବା ପାଇଁ ଯାଇଥିଲେ । ତେଣୁ ଏଭଳି ସ୍ଥିତିରେ ସମସ୍ତେ ନିଜ ସହ ଅନ୍ୟ ମାନଙ୍କୁ ସାନ୍ତ୍ୱନା ଦେବା, ସହଯୋଗ କରିବାର ସମୟ ଉପନୀତ ହୋଇଛି ବୋଲି ବାଗଚୀ ରାଜ୍ୟବାସୀଙ୍କୁ କହିଛନ୍ତି ।

ସେପଟେ ସାମ୍ବାଦିକ ସମ୍ମିଳନୀରେ ସନ୍ଥକବିଙ୍କ କବିତା ପଢିଲେ ସୁବ୍ରତ । ଭୀମ ଭୋଇଙ୍କ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ…’ ଗୀତ ଗାଇ ରାଜ୍ୟବାସୀଙ୍କୁ ସହଯୋଗର ବାର୍ତ୍ତା ଦେଇଛନ୍ତି ବାଗଚୀ । ଆମେ ଗୋପବନ୍ଧୁଙ୍କ ଦାୟାଦ, ଭୀମ ଭୋଇଙ୍କ ଦାୟାଦ ତେଣୁ ସଙ୍କଟ ସମୟରେ ସମସ୍ତେ ମାନବିକତା ନମାରି ସହଯୋଗର ହାତ ବଢାନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ସୁବ୍ରତ ।