କରୋନା ଅପଡେଟ ନେଇ ପୁଣି ଫେରିଲେ ସୁବ୍ରତ ବାଗଚୀ । ଅଫିସର ବଦଳି ଓ ଏ ସଂପର୍କରେ ଚାଲିଥିବା ଖବରକୁ ନେଇ ରଖିଲେ ମତ, କହିଲେ ବିଶ୍ୱାସ କରନ୍ତୁନି ମିଛ ଖବରରେ ।

707

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସରକାର ଗଠନ କରିଥିବା ବରିଷ୍ଠ ପ୍ରଶାସନିକ ଟିମ୍‌ରୁ ବିନା କୌଣସି ସୂଚନାରେ ୯ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଅକସ୍ମାତ ଅପସାରଣ କରି ନେଇଛନ୍ତି । ଏହି ୯ ଜଣ ଅଧିକାରୀ ରାଜ୍ୟର କୋଭିଡ୍‌ ମୁକାବିଲା କ୍ଷେତ୍ରରେ ଆଗଧାଡ଼ିରେ ରହିବା ସହ ପ୍ରତ୍ୟେକଟି ଜିନିଷକୁ ନିୟନ୍ତ୍ରଣ କରୁଥିଲେ । ତେବେ, ହଠାତ୍‌ ଏହି ବରିଷ୍ଠ ଅଧିକାରୀମାନଙ୍କୁ କୋଭିଡ୍‌ ମୁକାବିଲା ଟିମ୍‌ରୁ ରାଜ୍ୟ ସରକାର ଅପସାରଣ କରିନେବା ପରେ ଏହାକୁ କେନ୍ଦ୍ରକରି ବିଭିନ୍ନ ପ୍ରକାରର ଚର୍ଚ୍ଚା ଆଲୋଚନା ଆରମ୍ଭ ହେବା ସହ ସୋସିଆଲ ମିଡିଆରେ ମଧ୍ୟ ଏହାକୁ କେନ୍ଦ୍ର କରି ଅନେକ କଥା ପ୍ରଚାରିତ ଓ ପ୍ରସାରିତ ହେଉଥିଲା । ତେବେ, କୋଭିଡ୍‌- ୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ପଛର କାରଣ ପ୍ରକାଶ କରିବା ସହ ଏହି ଘଟଣାକୁ କେନ୍ଦ୍ର କରି ସୋସିଆଲ ମିଡିଆରେ ପ୍ରଚାରିତ ଓ ପ୍ରସାରିତ ହେଉଥିବା ଗୁଜବକୁ ବିଶ୍ୱାସ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ବାଗଚୀ କହିଛନ୍ତି ଯେ, ଯେହେତୁ ରାଜ୍ୟ ସରକାର ମାର୍ଚ୍ଚ ମାସରେ କୋଭିଡ୍‌ ମୁକାବିଲାକୁ ସର୍ବପ୍ରଥମ ଓ ସର୍ବାଧିକ ପ୍ରାଥମିତା ଦେଇଥିଲେ, ସେଥିପାଇଁ ଅନ୍ୟ ବିଭାଗରୁ ବରିଷ୍ଠ ପଦାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗକୁ ଆଣିବା ସହ କୋଭିଡ୍‌ ମୁକାବିଲାର ବିଭିନ୍ନ ଦାୟିତ୍ୱ ଦେଇଥିଲେ । ସଂପୃକ୍ତ ଅଧିକାରୀମାନେ ମଧ୍ୟ ବିଗତ ୩ ମାସ ଧରି କୋଭିଡ୍‌ ମୁକାବିଲାରେ ରାତିଦିନ ପରିଶ୍ରମ କରି କରି କ୍ଲାନ୍ତ ହୋଇ ପଡ଼ିଥିଲେ। ପୁଣି ସେମାନଙ୍କ ଅନୁପସ୍ଥିତି ଦ୍ୱାରା ସେମାନଙ୍କ ମୂଳ ବିଭାଗ ଗତ ତିନିମାସ ହେଲା ଦୁର୍ବଳ ହୋଇ ପଡ଼ିଥିଲା । ସେଥିପାଇଁ ସେମାନଙ୍କୁ ବିଶ୍ରାମ ଦେବା ଲକ୍ଷ୍ୟରେ ସରକାର ସେମାନଙ୍କୁ କୋଭିଡ୍‌ ଟିମ୍‌ରୁ ବାଦ ଦେଇ ସେମାନଙ୍କ ସ୍ଥାନରେ ନୂଆ ଯୋଦ୍ଧାଙ୍କୁ ଆଣିବାକୁ ଯୋଜନା କରିଛନ୍ତି । ଏହା କୋଭିଡ୍‌ ମୁକାବିଲା କ୍ଷେତ୍ରରେ କେବଳ ଏକ ରଣ କୌଶଳ ମାତ୍ର । ଏହା ପଛରେ ଅନ୍ୟ କୌଣସି ପ୍ରକାରର ନିହିତ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ବାଗଚୀ ।