ଓଡ଼ିଶା କରୁଛି କରୋନା ମୁକାବିଲା । ସରକାର ପ୍ରତିଦିନ ଦେବେ କରୋନା ରିପୋର୍ଟ, ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବ ଠାରୁ ଦୂରେଇ ରହିବାକୁ ସୁବ୍ରତଙ୍କ ପରାମର୍ଶ

3,181

କନକ ବ୍ୟୁରୋ : କରୋନାର ମୁକାବିଲା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ଅଛି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଯୁଦ୍ଧକାଳୀନ ଭିତ୍ତିରେ କରୋନାର ମୁକାବିଲା ପାଇଁ ପ୍ରସ୍ତୁତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବ୍ରତ । ଏଥିସହ ପରିଷ୍କାର ପରିଚ୍ଛନ ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ପ୍ରତିଦିନ ୪.୩୦ରେ କରୋନାକୁ ନେଇ ସୂଚନା ଦିଆଯିବ । ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବ ଠାରୁ ଦୂରେଇ ରହିବାକୁ ବାଗଚୀ କହିଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦେଖି ଜନସମ୍ପର୍କ ବଜାୟ ରଖିବାକୁ ପଡିବ । ଖାସକରି ଏଭଳି ସ୍ଥିତିରେ ଶାନ୍ତି ବଜାୟ ରଖିବା ସହ ସଚେତନ ରହିବାକୁ କହିଛନ୍ତି ସୁବ୍ରତ । ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସଙ୍ଗରୋଧ କରିବାକୁ କହିଛନ୍ତି ସୁବ୍ରତ ।

ଏହାବାଦ୍ କରୋନାକୁ ନେଇ ଛାନିଆ ହୁଅନ୍ତୁ ନାହିଁ । ବାହାରୁ ଆସିଥିଲେ ସଙ୍ଗେ ସଙ୍ଗେ ଜଣାନ୍ତୁ, ଲୁଚାଛପା କରନ୍ତୁ ନାହିଁ । ମନ ମନ୍ଦିର ଠାରୁ ବଡ଼ ମନ୍ଦିର ନାହିଁ । ତେଣୁ ଏଭଳି ସ୍ଥିତିରେ ଭଗବାନଙ୍କୁ ମନରୁ ପ୍ରାର୍ଥନା କରନ୍ତୁ, ଦେବସ୍ଥାନରେ ଭିଡ ନ ଜମାଇବାକୁ ସେ କହିଛନ୍ତି । କାରଣ ବେଶି ଭିଡ ସ୍ଥାନରେ ସଂକ୍ରମଣର ଆଶଙ୍କା ବଢି ଯାଇଥାଏ ।

ପ୍ରତିଦିନ ପ୍ରେସମିଟରେ କରୋନାକୁ ନେଇ କଣ ସମୀକ୍ଷା ହୋଇଛି ଓ କଣ ପଦକ୍ଷେପ ନିଆଯାଇଛି ସେନେଇ ସମସ୍ତ ତଥ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ବୋଲି କହିଛନ୍ତି ସୁବ୍ରତ । ଏହା ଭିତରେ ମୁଖ୍ୟ ଶାସନ ସଚିବ ୩୦ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ କାହାର କଣ ଦାୟିତ୍ୱ ରହିବ ସେନେଇ ସୂଚିତ କରାଯାଇଛି । କଣ୍ଟ୍ରୋଲ ରୁମ ସ୍ଥାପିତ କରାଯାଇଛି, ହେଲପଲାଇନ ନମ୍ବର ଜାରି କରାଯିବା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲଗାତାର ସୂଚନା ଓ ବିଜ୍ଞପ୍ତି ଦିଆଯାଉଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ସ୍ୱଚ୍ଛତା ବଜାୟ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଉଚ୍ଚସ୍ତରୀୟ ମେଡିକାଲ କମିଟି ଗଠନ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ସହ ଲଗାତାର ଯୋଗାଯୋଗରେ ରହିବା ସହ ସେମାନଙ୍କ ସହ ମିଶି କରୋନାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ।

ସେହିଭଳି ଆଜି ୧ଟା ୧୫ ସୁଦ୍ଧା ପୂରା ବିଶ୍ୱରେ ୧ଲକ୍ଷ ୫୭ ହଜାର ୧୧୨ ଜଣ ସଂକ୍ରମିତ ହୋଇଥିବା ବେଳେ ୫୮୩୯ ଜଣଙ୍କର ମୃତ୍ୟୁ ହୋଇଛି । ସର୍ବାଧିକ କରୋନା ପ୍ରଭାବିତ ୫ ଦେଶ ମଧ୍ୟରେ ଚୀନ, ଇଟାଲୀ, ଇରାନ, ସ୍ପେନ ଓ ଦକ୍ଷିଣ କୋରିଆ ରହିଛି । ଭାରତରେ ଏପର୍ଯ୍ୟନ୍ତ ୧୦୭ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବା ବେଳେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କେହି ସଂକ୍ରମିତ ହୋଇନଥିବା କହିଛନ୍ତି ସୁବ୍ରତ ।