ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ବିଜେପିକୁ ଝଟକା ଦେଇପାରନ୍ତି ମମତା, ସୁବ୍ରମଣ୍ୟମ ସ୍ୱାମୀ ଟିଏମସିରେ ଯୋଗଦେବା ନେଇ ଅଟକଳ

618

କନକ ବ୍ୟୁରୋ : ସାରା ଦେଶର ଦଳର ବିସ୍ତାର ପାଇଁ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ୍ଟା ଭଡିଛନ୍ତି । ଏହି କ୍ରମରେ ଗତକାଲି ବିହାର କଂଗ୍ରେସ ନେତା କିର୍ତ୍ତୀ ଆଜାଦ ଓ ପବନ କୁମାର କଂଗ୍ରେସ ଛାଡି ଟିଏମସିରେ ସାମିଲ ହୋଇଛନ୍ତି । ଏହି କ୍ରମରେ ଦିଲ୍ଲୀ ଗସ୍ତରେ ଥିବା ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ବିଜେପି ସାଂସଦ ତଥା ବିବାଦୀୟ ନେତା ସୁବ୍ରମଣ୍ୟମ ସ୍ୱାମୀ ବି ମମତାଙ୍କୁ ଭେଟିଛନ୍ତି । ତାଙ୍କର ଏଭଳି ଭେଟପରେ ସୁବ୍ରମଣ୍ୟମ୍ ସ୍ୱାମୀ ଖୁବଶୀଘ୍ର ଟିଏମସିରେ ଯୋଗଦେଇ ପାରନ୍ତି ବୋଲି ଆଲୋଚନା ହୋଇଛି । ହେଲେ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏହି ଭେଟ ପରେ ସ୍ୱାମୀ କହିଛନ୍ତି “ମୁଁ ସର୍ବଦା ମାମତାଙ୍କ ସହିତ ରହିଛି ତେଣୁ ତାଙ୍କ ଦଳରେ ଯୋଗ ଦେବାର ଆବଶ୍ୟକତା ନାହିଁ ”

କହିରଖୁ କି ଆଜିର ଏହି ବୈଠକ ତୃରମୂଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଭିଷେକ ବାନାର୍ଜୀଙ୍କ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଅନ୍ୟପଟେ ସନ୍ଧ୍ୟା ୫ ଟାରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ,ରହିଛି । ଏହି ବୈଠକରେ ସେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି । ଏହା ମଧ୍ୟରେ ସୀମା ସୁରକ୍ଷାବଳର କ୍ଷେତ୍ରୀୟ ଅଧିକାର ବୃଦ୍ଧି ଓ ତ୍ରିପୁରାରେ ଟିଏମସି କର୍ମୀଙ୍କ ଉପରେ ବିଜେପିର ଆକ୍ରମଣ ପ୍ରସଙ୍ଗ ଅର୍ନ୍ତଭୁକ୍ତ ।

ସୂଚନା ଥାଉକି ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଗତମାସ ଦଳର ଜାତୀୟ କାର୍ଯ୍ୟନିର୍ବାହୀ କମିଟିରୁ ବାଦ ପଡିଥିଲେ ଓ ସେ ଅନେକ ସମୟରେ ମମତାଙ୍କୁ ପ୍ରଶଂସା କରୁଥିବା ଶୁଣିବାକୁ ମିଳୁଛି । ଗତ ଅକ୍ଟୋବର ମାସରେ ମମତା ବାନାର୍ଜୀଙ୍କ ରୋମ ଗସ୍ତକୁ କେନ୍ଦ୍ର ସରକାର ଅନୁମତି ନେଦେବାରୁ ସ୍ୱାମୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ।

ଏସବୁକୁ ନଜର କଲେ ସୁବ୍ରମଣ୍ୟମ୍ ସ୍ୱାମୀ ଯେ ବିଜେପିରେ ସନ୍ତୋଷ୍ଟ ନାହାଁନ୍ତି ଏକଥା ସ୍ପଷ୍ଟ । ଅନ୍ୟପଟେ ଜାତୀୟ ରାଜନୀତିରେ ଏବେ ମମତାଙ୍କ ଦବଦବା ବଢୁଛି ତେଣୁ ସୁବ୍ରମଣ୍ୟମ ସ୍ୱାମୀ ଏହି ସୁଯୋଗରେ ଟିଏମସିରେ ଯୋଗଦେଇ ନିଜର ମଉଳି ଯାଇଥିବା ରାଜନୈତିକ ଭବିଷ୍ୟତ ପୁଣି ଚମକାଇବାକୁ ଚେଷ୍ଟା କରିପାରନ୍ତି ।