କନକ ବ୍ୟୁରୋ : ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି । ଏଥର ସେ ଚୀନ ପ୍ରସଙ୍ଗରେ ନିଜ ସରକାରଙ୍କୁ ଘେରିଛନ୍ତି । ସୁବ୍ରମଣ୍ୟମ୍ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତକୁ ନେଇ ଏକ ଟ୍ୱିଟ୍ କରିଛନ୍ତି । ଏହି ଟ୍ୱିଟ୍ ମାଧ୍ୟମରେ ସେ କହିଛନ୍ତି କି, ଚୀନ ଲଗାତର ଭାବେ ଭାରତ ବିରୋଧରେ କଠୋର ହେଉଛି । ଏହା ପରେ ବି ଆମେରିକା ଚୀନ ବିରୋଧରେ ପଦୁଟିଏ କହିବାକୁ ସାହାସ କରୁନାହିଁ । ଏହି କାରଣରୁ ପ୍ରଧାନମନ୍ତ୍ରୀଙ୍କ ଖାଲି ହାତରେ ଆମେରିକାରୁ ଫେରିବାକୁ ପଡିବ ।

Advertisment

ସବୁବେଳେ ନିଜର ବିବଦୀୟ ବୟାନକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଚର୍ଚ୍ଚାରେ ଥାନ୍ତି । ଏବେ ସେ ତାଙ୍କ ଟ୍ୱିଟରେ ଇକୋନୋମିଷ୍ଟ ମାଗାଜିନର ସାମ୍ନା ପେଜକୁ ଛାପିଛନ୍ତି । ଏହି ଫଟୋରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବାଘ ସହିତ ଦେଖିବାକୁ ମିଳିଛି । ଏହାସହ ସେ ଲେଖିଛନ୍ତି କି ଚୀନ ଲଦାଖର ୪୦୨୬ ବର୍ଗକିଲୋମିଟର ଦଖଲ କରିସାରିଛି । ଏତେବଡ ସମ୍ବେଦନଶୀଳ ପ୍ରସଙ୍ଗରେ ବାଇଡେନ ଚୀନ ବିରୋଧରେ ପଦୁଟିଏ ମଧ୍ୟ କହିନାହାଁନ୍ତି । ହେଲେ ପ୍ରଧାନମନ୍ତ୍ରୀ ଯେଭଳି ଭାବେ ଆମେରିକା ପ୍ରଶଂସାରେ ଶତମୁଖ ହୋଇଛନ୍ତି ସେହି କାରଣରୁ ମୋଦୀଙ୍କୁ ଖାଲି ହାତରେ ଦିଲ୍ଲୀ ଫେରିବାକୁ ପଡିବ ବୋଲି ସେ କହିଛନ୍ତି ।

ସୂଚନା ଥାଉକି ପ୍ରଧାନମନ୍ତ୍ରୀ ମୋଦୀ ୩ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଗସ୍ତର ପ୍ରଥମ ଦିନରେ ସେ ଜାତିସଂଘ କାର୍ଯ୍ୟାଳୟରେ ଆୟୋଜିତ ଯୋଗ ଦିବସରେ ସାମିଲ ହୋଇଥିଲେ । ଏହାପରେ ସେ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ସହ ଭେଟ କରିଥିଲେ । ସେପଟେ କିଛିଦିନ ପୂର୍ବରୁ ସୁବ୍ରମଣ୍ୟମ୍ ସ୍ୱାମୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଥିଲେ । ଏନେଇ ସେ ଏକ ଟ୍ୱିଟରେ ଲେଖିଥିଲେ କି ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଦରକାର ।